କଟକ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣକୁ ନେଇ ବିବାଦ ବଢୁଛି। ବିନା ବୈଧ ଅନୁମତିରେ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସଆଇ) ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ଦାଖଲ ହେବା ପରେ ରାଜ୍ୟ ସରକାର ଏହି ପ୍ରସଂଗକୁ ନେଇ ଅକଳରେ ପଡ଼ିଛନ୍ତି। ଏହି ପ୍ରସଂଗକୁ ନେଇ ସୁପ୍ରିମକୋର୍ଟେର ମାମଲା ଦାୟର ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଜଣେ ଆଇନଜୀବୀଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ପୂର୍ତ୍ତ ବିଭାଗ (ୱାର୍କସ୍ ଡିପାର୍ଟମେଣ୍ଟ) ପ୍ରମୁଖ ସଚିବଙ୍କ ତରଫରୁ ଏ ନେଇ ରାଜ୍ୟ ଆଇନ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଲେଖା ଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ହାଇକୋର୍ଟଙ୍କ ୨୦୨୨, ମେ ୯ର ନିର୍ଦ୍ଦେଶ ବିରୋଧରେ କୌଣସି ବ୍ୟକ୍ତି/ଗୋଷ୍ଠୀ/ଏଜେନ୍ସି/ଅନୁଷ୍ଠାନ ଜନସ୍ବାର୍ଥ ମାମାଲା କିମ୍ବା ଏସ୍ଏଲ୍ପି ସୁପ୍ରିମକୋର୍ଟରେ ଦାଖଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏଭଳି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ରାଜ୍ୟ ସରାକରଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟର ଆଡଭୋକେଟ ଅନ୍ ରେକର୍ଡ ଗୌରଭ ଖାନ୍ନାଙ୍କୁ ନିଯୁକ୍ତି ଦେବାକୁ ପତ୍ରରେ ପୂର୍ତ୍ତ ବିଭାଗ ତରଫରୁ ଅନୁରୋଧ କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନ ଓ ନିର୍ମାଣକୁ ବିରୋଧ କରି ଦାୟର ମାମଲାର ମେ ୯ରେ ହାଇକୋର୍ଟ ଶୁଣାଣି କରି ଏଏସଆଇ ସତ୍ୟପାଠ ଉପରେ ଜୁନ୍ ୨୦ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ମାଣ କାର୍ଯ୍ୟ ଚାଲିବା ପ୍ରସଂଗରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ମେ ୯ରେ ଜାରି କରାଯାଇ ନଥିଲା। ଏ ସଂପର୍କିତ ଦୁଇଟି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୨କୁ ଧାର୍ଯ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Supreme-court-2.jpg)