ପ୍ରତ୍ନତତ୍ତ୍ବ ବିଭାଗ ବେଆଇନ୍‌ ତାଲିକାରେ ପରିକ୍ରମା ପ୍ରକଳ୍ପ: ଭଙ୍ଗା ହେବ କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘର?

୧୦ ବର୍ଷ ତଳେ ଶ୍ରୀମନ୍ଦିର ସମ୍ମୁଖରୁ ଭଙ୍ଗା ହୋଇଥିଲା ମଠ, ନିଯୋଗ ଘର

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରକଳ୍ପ ଉପରେ ଅନିଶ୍ଚିତତାର ବାଦଲ ଦେଖାଦେଇଛି। ଏଭଳି ବିବାଦୀୟ ପରିସ୍ଥିତି ଭିତରେ ୧୦ ବର୍ଷ ତଳେ ଶ୍ରୀମନ୍ଦିର ସମ୍ମୁଖରୁ ବଡ଼ଛତା ମଠ, ଛାଉଣୀ ମଠ ଓ ପ୍ରତିହାରୀ ନିଯୋଗ ଘର ଉଚ୍ଛେଦ ପ୍ରସଙ୍ଗ ପୁଣିଥରେ ତାଜା ହୋଇଛି। ସେ ସମୟରେ ଯେଭଳି ଘର ସବୁ ଭଙ୍ଗା ଯାଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିର୍ମାଣ ସରିଥିବା ସବୁ ଘର ସେଭଳି ଭଙ୍ଗା ହେବନି ତ? ଏଭଳି ପ୍ରଶ୍ନ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅତୀତରେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ ବେଳେ ଡାହାଣ ପାର୍ଶ୍ବକୁ ମେଘନାଦ ପାଚେରିକୁ ଲାଗି ବଡ଼ଛତା ମଠ ଦୁଇମହଲା କୋଠା ନିର୍ମାଣ କରିଥିଲା। ଯାହା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକୁ ଅଢ଼ୁଆଳ କରିବା ସହ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିଲା। ପ୍ରତିହାରୀ ନିଯୋଗ ବି ଏହା ପାଖକୁ ଲାଗି ଦୁଇମହଲା କୋଠା ଠିଆ କରିଥିଲା। ଯେଉଁଠି ନିଯୋଗ ନିଜର କାର୍ଯ୍ୟାଳୟ ଖୋଲିଥିଲା। ବାମପାର୍ଶ୍ବରେ ଛାଉଣୀ ମଠ ବି ମଠ କୋଠାକୁ ପ୍ରଶସ୍ତ କରି ଶ୍ରୀମନ୍ଦିରକୁ ଓଗାଳିଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରତ୍ନତତ୍ତ୍ବ ବିଭାଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୨ ମସିହାରେ ବଡ଼ଛତା ମଠର ଦ୍ବିତୀୟ ମହଲା ସହ ମେଘନାଦ ପାଚେରି ସଂଲଗ୍ନ ଘର ସବୁକୁ ଭଙ୍ଗା ଯାଇଥିଲା। ପ୍ରତିହାରୀ ନିଯୋଗର ଘରକୁ ବି ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା। ଛାଉଣୀ ମଠକୁ ବି ସଂକୁଚିତ କରାଯାଇଥିଲା। ନିକଟରେ ହାଇକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ବି ଏ ସମ୍ପର୍କରେ ଉଲ୍ଲେଖ କରିଛି ପ୍ରତ୍ନତତ୍ତ୍ବ ବିଭାଗ।

ଅନ୍ୟପଟେ ଏବେ ଓଡ଼ିଶାରେ ଥିବା ଜାତୀୟ କୀର୍ତ୍ତିରାଜିର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ୧୨ଟି ନିର୍ମାଣ କାର୍ଯ୍ୟକୁ ଅଣସ୍ବୀକୃତ କାର୍ଯ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ପ୍ରତ୍ନତତ୍ତ୍ବ ବିଭାଗ। ଯେଉଁଥିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ସହ ପୂର୍ତ୍ତ ବିଭାଗ ପକ୍ଷରୁ ମେଘନାଦ ପାଚେରି ସଂଲଗ୍ନ ପ୍ରାଚୀର ନିର୍ମାଣକୁ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି କୋଣାର୍କ ଅତିରିକ୍ତ ତହସିଲଦାରଙ୍କ ଦ୍ବାରା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଲାଗି ନିର୍ମାଣ ହେଉଥିବା କୋଠା ଓ ଅଠରନଳା ଗରୁଡ଼ ମୂର୍ତ୍ତିକୁ ବି ଅଣସ୍ବୀକୃତ କାର୍ଯ୍ୟ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଘୋଷଣା କରିଛି। ଯେହେତୁ ଅଠର ନଳା ଏକ ଐତିହ୍ୟସଂପନ୍ନ ଜାଗା, ଏହା ପାଖରେ କୌଣସି ନିର୍ମାଣ ହେବା କଥା ନୁହେଁ। ଏଣୁ ଏହାର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁ ଗରୁଡ଼ ମୂର୍ତ୍ତି ନିର୍ମାଣ ତାହା ଅବୈଧ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଦର୍ଶାଇଛି। ଏଭଳି ସ୍ଥିତିରେ ଏହି ସବୁ କାର୍ଯ୍ୟର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

ଏ ସମ୍ପର୍କରେ ସାମାଜିକ କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ଯେହେତୁ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ପ୍ରତ୍ନତତ୍ତ୍ବ ବିଭାଗ ବି ଏହି ପ୍ରକଳ୍ପକୁ ଅବୈଧ ତାଲିକାରେ ଅନ୍ତର୍ଭୁକ୍ତ କରି ସାରିଛି। ଏଣୁ ଅତୀତରେ ଯେଉଁଭଳି ସିଂହଦ୍ବାରରୁ ବଡ଼ଛତା ମଠ, ପ୍ରତିହାରୀ ନିଯୋଗ ଘର ଉଚ୍ଛେଦ ହୋଇଥିଲା, ସେଭଳି ପରିକ୍ରମା ପ୍ରକଳ୍ପ ଜରିଆରେ ନିର୍ମାଣାଧୀନ ଘର ବି ଉଚ୍ଛେଦ ହେବା ଜରୁରୀ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଅବୈଧ ତାଲିକାରେ ପ୍ରତ୍ନତତ୍ତ୍ବ ବିଭାଗ ପରିକ୍ରମା ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିଦେବା ପରେ କିଛି ବି ଦ୍ବନ୍ଦ୍ବ ରହିବା କଥା ନୁହେଁ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବି ଆଧ୍ୟାତ୍ମିକ କ୍ଷେତ୍ରର ଆଧ୍ୟାତ୍ମିକ ବଜାୟ ରଖିବା ସପକ୍ଷରେ ମତ ଦେଇ ସାରିଛନ୍ତି। ଏହା ସତ୍ତ୍ବେ ନିର୍ମାଣ କାର୍ଯ୍ୟ ଚାଲିବା, ଦୁର୍ଭାଗ୍ୟଜନକ। ତୁରନ୍ତ କାମ ବନ୍ଦ ସହ ଶ୍ରୀମନ୍ଦିରକୁ ସୁରକ୍ଷା ଦିଆଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

 

ସମ୍ବନ୍ଧିତ ଖବର