ବଢ଼ୁନି ଶ୍ରୀମନ୍ଦିର ସମ୍ପତ୍ତି

ହୁଣ୍ଡି ଓ ଦାନ ଅର୍ଥ ପରିମାଣ ବଢ଼ୁନି, ଶ୍ରୀମନ୍ଦିର ସମ୍ପତ୍ତି ୧୨ହଜାର କୋଟି, ତିରୁପତି ମନ୍ଦିର ସମ୍ପତ୍ତି ଅଢ଼େଇ ଲକ୍ଷ କୋଟି

ପୁରୀ : ପ୍ରସିଦ୍ଧ ତିରୁପତି ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରର ହୁଣ୍ଡି, ଦାନ ଅର୍ଥ ଆୟ ସହ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ କୋଟି ବୋଲି ଆକଳନ କରାଯାଇଛି। କିନ୍ତୁ ତିରୁପତି ମନ୍ଦିର ସହ ବିଶ୍ବର ଅନ୍ୟତମ ପ୍ରମୁଖ ମନ୍ଦିର ଶ୍ରୀମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ତୁଳନା କଲେ, ଏହା ବହୁ ନଗଣ୍ୟ। ଶ୍ରୀମନ୍ଦିରର ସମ୍ପତ୍ତିର ମୂଲ୍ୟ ୧୨ ହଜାର କୋଟି ଟଙ୍କା ବୋଲି ଆକଳନ କରାଯାଇଛି, ଯାହା ତିରୁପତି ମନ୍ଦିରର ସମ୍ପତ୍ତି ମୂଲ୍ୟର ୧ ପ୍ରତିଶତ ବି ନୁହେଁ। ତିରୁପତି ମନ୍ଦିରଠାରୁ ୪ ଗୁଣା ଅଧିକ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି। ତଥାପି ଶ୍ରୀମନ୍ଦିର ଦାନ ଅର୍ଥରେ ବୃଦ୍ଧିହେଉ ନାହିଁ କି ବିତ୍ତଶାଳୀ ମନ୍ଦିର ତାଲିକାରେ ଶ୍ରୀମନ୍ଦିର ନାଁ ରହୁନାହିଁ।

ସଦ୍ୟ ପ୍ରକାଶିତ ଆକଳନରୁ ଜଣାପଡ଼ିଛି, ତିରୁପତି ମନ୍ଦିରର ପ୍ରାୟ ୧୦.୨୫ ଟନ ସୁନା ବ୍ୟାଙ୍କରେ ଜମା ରଖାଯାଇଛି। ଅଢ଼େଇ ଟନ୍‌ର ଦୈନିକ ବ୍ୟବହାର୍ଯ୍ୟ ସୁନା ଅଳଙ୍କାର ରହିଛି। ୧୬ହଜାର କୋଟିର ବ୍ୟାଙ୍କ ଜମା ଓ ସମଗ୍ର ଭାରତରେ ୯୬୦ଟି ଜାଗାରେ ମହାପ୍ରଭୁଙ୍କ ଜମିବାଡ଼ି ରହିଛି। ଯାହା ଦେଶର ପ୍ରମୁଖ ବଡବଡ କମ୍ପାନି ୱିପ୍ରୋ, ନେସ୍‌ଲେ, ଓଏନଜିସିର ବଜାର ମୂଲ୍ୟଠାରୁ ପ୍ରାୟ ୧୦ଗୁଣା ଅଧିକ ବୋଲି ଏକ ତଥ୍ୟରୁ ଜଣାପଡ଼ିଛି। ସେଠାରେ ଧର୍ମ ସହ ଦାନକୁ ଯୋଡ଼ା ଯାଇଥିବାରୁ ଦିନକୁ ଦିନ ଭକ୍ତଙ୍କ ଦାନ ଅର୍ଥ ପରିମାଣ ବଢ଼ୁଥିବାରୁ ତିରୁପତି ମନ୍ଦିରର ଏହି ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ବହୁଗୁଣା ହେବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ମନ୍ଦିର ପାଇଁ ୩୧ଶହ କୋଟି ଟଙ୍କାର ବାର୍ଷିକ ବଜେଟ୍‌ ପ୍ରସ୍ତୁତି ହୋଇଛି। ଯେଉଁଥିରୁ ୬୬୮ କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଜମା ଟଙ୍କାର ସୁଧରୁ ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୧ହଜାର କୋଟି ଟଙ୍କା କେବଳ ଭକ୍ତ ଦାନ ଅର୍ଥରୁ ଆୟ ଲକ୍ଷ ରଖାଯାଇଛି।

ପ୍ରଶାସନିକ ଆକଳନ ମୁତାବକ, ଶ୍ରୀମନ୍ଦିରର ସମସ୍ତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨ହଜାର କୋଟି ଟଙ୍କା ମଧ୍ୟରେ ରତ୍ନଭଣ୍ଡାର ସୁନା ଓ ରୁପା ଅଳଙ୍କାର, କର୍ପସ ପାଣ୍ଠି, ମୂଳ ପାଣ୍ଠି ଆଦି ଅନ୍ତର୍ଭୁକ୍ତ ରହିଛି। ୧୯୭୮ ମସିହା ମେ ୧୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ୩ ମାସ ଧରି ଗଣତି ହୋଇଥିଲା। ଗଣତି ସମୟରେ ଭିତର ରତ୍ନଭଣ୍ଡାରରେ ୩୬୭ ପ୍ରକାରର ୪ହଜାର ୩୬୪ ଭରି, ବାହାର ରତ୍ନଭଣ୍ଡାରରେ ୭୯ ପ୍ରକାରର ୮ହଜାର ୧୭୫ ଭରି ଓ ଦୈନନ୍ଦିନ ବ୍ୟବହାର ପାଇଁ ୮ ପ୍ରକାରର ୨୯୯ ଭରି ସୁନା ଅଳଙ୍କାର ରତ୍ନଭଣ୍ଡାରେ ରହିଥିଲା। ସେହିଭଳି ଭିତର ରତ୍ନଭଣ୍ଡାରରେ ୨୩୧ ପ୍ରକାରର ୧୪ହଜାର ୮୭୮ ଭରି, ବାହାର ରତ୍ନଭଣ୍ଡାରରେ ୩୯ ପ୍ରକାରର ୪ହଜାର ୬୭୧ ଭରି ଓ ଦୈନନ୍ଦିନ ନୀତିକାନ୍ତି ପାଇଁ ୨୩ ପ୍ରକାରର ୨ହଜାର ୬୦୩ ଭରି ରୁପା ଅଳଙ୍କାର ରହିଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ହେବ।

ସେହିଭଳି ଶ୍ରୀମନ୍ଦିର ପ୍ରଶାସନର ୩୯୨ କୋଟି କର୍ପସ ପାଣ୍ଠି, ୧୨୨କୋଟି ଫାଉଣ୍ଡେସନ୍‌ ପାଣ୍ଠି, ୨୪୨କୋଟି ଟଙ୍କାର ମନ୍ଦିର ପାଣ୍ଠି ବିଭିନ୍ନ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯାଇଛି। ମହାପ୍ରଭୁଙ୍କ ନାଁରେ ପ୍ରାୟ ୬୦ହଜାର ଏକର ଜମି ରହିଥିବା ବେଳେ ପ୍ରାୟ ୩୫ହଜାର ଏକର ଜମି ଶ୍ରୀମନ୍ଦିର ଖାତାକୁ ଆସିପାରିଛି। ଖଣି ଉପରେ ନଜର ପକାଇଲେ, ମହାପ୍ରଭୁଙ୍କ ନାଁରେ ୯୯ଟି ଖଣି ଖାଦାନ ରହିଛି। ଯେଉଁଥିରୁ ୨୬ଟି ମାଙ୍କଡା ପଥର ଖଣି, ୭୨ଟି ବ୍ଲୁଷ୍ଟୋନ୍‌ ପଥର ଖଣି ଓ ୨ଟି ଖାଣ୍ଡେଲାଇଟ୍‌ ପଥର ଖଣି ରହିଛି। ଯାହାର ଆନୁମାନିକ ମୂଲ୍ୟ ୧୫ଶହ କୋଟି ହେବ। ସେହିଭଳି ବ୍ୟାଙ୍କ ସୁଧ ୩୭ କୋଟି ଓ ଜମି ମୂଲ୍ୟ ପ୍ରାୟ ୭ହଜାର କୋଟି ହେବ। ଶ୍ରୀମନ୍ଦିରକୁ ସାଧାରଣ ଦିନରେ ପ୍ରାୟ ୩୦ରୁ ୫୦ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ବିଭିନ୍ନ ପର୍ବପର୍ବାଣୀରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଛନ୍ତି। ଭକ୍ତଙ୍କ ଦାନ ପାଇଁ ଶ୍ରୀମନ୍ଦିରରେ ହୁଣ୍ଡି ବ୍ୟବସ୍ଥା ସହ ଅନ୍‌ଲାଇନ୍‌ ଦାନ ଗ୍ରହଣ ବ୍ୟବସ୍ଥା ରହିଛି। ହୁଣ୍ଡି ଦାନ ଉପରେ ନଜର ପକାଇଲେ, ପ୍ରାୟ ୧୨ରୁ ୨୦ ‌କୋଟି ଟଙ୍କା ବାର୍ଷିକ ହୁଣ୍ଡିରୁ ଆଦାୟ ହେଉଛି। କିନ୍ତୁ ତିରୁପତି ମନ୍ଦିରରେ କେବଳ ଚୁଟି ବିକ୍ରି ବାବଦରେ ବାର୍ଷିକ ୧୩ କୋଟି ଟଙ୍କା ଆଦାୟ କରାଯାଉଛି। ସେପଟେ ହୁଣ୍ତି ଆୟ ଦେଖିଲେ ମାସିକ ୧୩୦ରୁ ୧୪୦ କୋଟି ଟଙ୍କାର ଦାନ ଅର୍ଥ ମିଳୁଛି।

ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କହିଛି, ଆମେ ଶ୍ରୀମନ୍ଦିରରେ ଭକ୍ତଙ୍କ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଛୁ। ଅନ୍ୟ ମନ୍ଦିର ତୁଳନାରେ ଶ୍ରୀମନ୍ଦିର ବହୁ ଊର୍ଦ୍ଧ୍ବରେ। ଶ୍ରୀମନ୍ଦିରରେ ନିଶୁଳ୍କ ଦର୍ଶନ, ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତଙ୍କୁ ବିନା ଅର୍ଥରେ ଅନେକ ସୁବିଧା ଯୋଗାଇ ଦିଆଯାଉଛି। ଶ୍ରୀମନ୍ଦିରକୁ ବ୍ୟବସାୟୀକରଣ ନୁହେଁ, ଭକ୍ତଙ୍କ ଭାବନାକୁ ପ୍ରାଥମିକତା ଦିଆଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ସେପଟେ କରୋନା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କ ଦର୍ଶନରେ କଟକଣା ଲଗାଯାଇଥିଲା। ଏବେ ଶ୍ରୀମନ୍ଦିର ଖୋଲିଛି। ଯଦି ଅଧିକ ଭକ୍ତ ଆସିବେ, ନିଶ୍ଚିତପକ୍ଷେ ଶ୍ରୀମନ୍ଦିର ଆୟ ବୃଦ୍ଧି ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ମହାପ୍ରଭୁଙ୍କ ନାଁରେ ଅନେକ ଖଣି, ଜମିଜମା ରହିଛି, କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିଲାମ ଦେଇପାରୁନି। ଫଳସ୍ବରୂପ ଏହି ଖଣିରୁ ରାଜସ୍ବ ଆସିପାରୁନି। କେଉଁଠି କେତେ ଜମି ଅଛି, ତାହା ଶ୍ରୀମନ୍ଦିର ପ୍ରଶାସନକୁ ଜଣାନାହିଁ। ଯଦି ଶ୍ରୀମନ୍ଦିର ପ୍ରଶାସନ ଏ ଦିଗକୁ ଗୁରୁତ୍ବ ଦିଅନ୍ତା, ତେବେ ନିଶ୍ଚିତ ରାଜସ୍ବ ବଢ଼ନ୍ତା ଓ ଶ୍ରୀମନ୍ଦିର ବି ଅନ୍ୟ ମନ୍ଦିର ଭଳି ବିତ୍ତଶାଳୀ ‌ହୋଇପାରନ୍ତା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର