ସର୍ବସାଧାରଣଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ଦିନରେ ଦର୍ଶନ କଲେ ୧୦ହଜାର ଶ୍ରଦ୍ଧାଳୁ

ପୁରୀ : କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ସୋମବାର ପ୍ରାୟ ୧୦ ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏତେ ଦିନ ପରେ ମହାପ୍ରଭୁଙ୍କ ଦର୍ଶନ କରି ଶ୍ରଦ୍ଧାଳୁମାନେ ବେଶ୍‌ ବିହ୍ବଳିତ ହୋଇଛନ୍ତି। ତେବେ ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଅବା ଡବଲ୍‌ ଡୋଜ୍‌ ଟିକା ପ୍ରମାଣପତ୍ର ସାଙ୍ଗରେ ଆଣି ନଥିବାରୁ କିଛି ଶ୍ରଦ୍ଧାଳୁ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସେପଟେ ଶୃଙ୍ଖଳା ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ୧୦ ପ୍ଲାଟୁନ୍‌ ଫୋର୍ସ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା। ପ୍ରତିହାରୀ ସେବକମାନେ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ରକ୍ଷା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଥିଲେ।

ଆସନ୍ତା ୨୫ ଓ ୨୭ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆଂଶିକ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଆସନ୍ତା ୨୫ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଏହି ନୀତି ଦ୍ଵିତୀୟ ଭୋଗମଣ୍ଡପ ଭୋଗ ସମ୍ପନ୍ନ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ସମ୍ପାଦିତ ହେବ। ଏହି ଦିନ ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହିଭଳି ଶୁକ୍ରବାର ଅଗଷ୍ଟ ୨୭ ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥି ରେଖାପଞ୍ଚମୀରେ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି ହେବ। ଏହି ନୀତି ଭୋଗମଣ୍ଡପ ପରେ ହେବାକୁ ଥିବାରୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ସମ୍ବନ୍ଧିତ ଖବର