ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର : ତଦନ୍ତ ରିପୋର୍ଟକୁ ଚାପି ରଖିଛନ୍ତି!, ‘ଫନି’ରେ ରତ୍ନଭଣ୍ଡାର ବାହାର ପାର୍ଶ୍ବରୁ ଖସିଥିଲା ପ୍ଲାଷ୍ଟର

ପୁରୀ : ଫନି ବାତ୍ୟାରେ ରତ୍ନ ଭଣ୍ଡାର ବାହାର ପାର୍ଶ୍ବରୁ ପଲସ୍ତରା ଖସିଥିଲା। ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାର ରହିଥିବା ଏହି ଅମୁହାଁ ଦେଉଳ (ରତ୍ନଭଣ୍ଡାର) ଏବେ ବିପଦ ଭିତରକୁ ଠେଲି ହୋଇଯାଇଛି। ବିଶେ‌ଷ କରି ମୌସୁମୀ ବର୍ଷା ରାଜ୍ୟରେ ଆରମ୍ଭ ହେବା ପରେଏବେ ରତ୍ନଭଣ୍ଡାରରୁ ପାଣି ଗଳୁଛି। ବିମ୍ ବି ଭାଙ୍ଗିଲାଣି। ଫନି ପରେ ଏଭଳି ସଙ୍ଗିନ ସ୍ଥିତିରେ ରତ୍ନଭଣ୍ଡାର ଥିବା ବେଳେ ଏ ପ୍ରସଙ୍ଗରେ ସରକାର, ଶ୍ରୀମନ୍ଦିର ପ୍ରଶାସନ, ରାଜନେତା ଓ ଜନତା ସମସ୍ତେ ନିରବ ରହିଛନ୍ତି।

ରତ୍ନଭଣ୍ଡାର ଯେ ଅସୁରକ୍ଷିତ ଏ କଥାକୁ ନେଇ ପୂର୍ବରୁ ମଧ୍ୟ ବିଶେଷଜ୍ଞ କମିଟି ରିପୋର୍ଟ ଦେଇ ସାରିଛି। ଗତ ୨୦୧୩ ରିପୋର୍ଟରେ ମଧ୍ୟ ଏ କଥା ଦର୍ଶାଯାଇଛି। ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନ ଉଠିଛି। ରତ୍ନଭଣ୍ଡାର ପ୍ରସଙ୍ଗରେ ସରକାରଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରଶାସନ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି।

ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ନ୍ୟାୟିକ ତଦନ୍ତ ରିପୋର୍ଟ ପୁଣିଥରେ ସରକାରୀ ଫାଇଲ ତଳେ ଚାପି ଦିଆଯାଇଛି। ଠିକ୍ ବର୍ଷକ ତଳେ ରତ୍ନଭଣ୍ଡାରକୁ ନେଇ ହେଉଥିବା ତମ୍ବିତୋଫାନ ଆଜିର ଦିନରେ ଶାନ୍ତ ପଡ଼ିଯାଇଛି। ଶ୍ରୀମନ୍ଦିରକୁ ନେଇ ପୂର୍ବରୁ ହୋଇଥିବା ସବୁ ତଦନ୍ତ ରିପୋର୍ଟ ଭଳି ଶ୍ରୀମନ୍ଦିର ସୁରକ୍ଷା ସହିତ ଜଡ଼ିତ ରତ୍ନଭଣ୍ଡାର ରିପୋର୍ଟକୁ ମଧ୍ୟ ଉପସ୍ଥାପନ କରାଯାଉନାହିଁ। ଆସନ୍ତା ୨୫ ତାରିଖରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ସରକାର ରତ୍ନଭଣ୍ଡାର ସମ୍ପର୍କିତ ତଦନ୍ତ ରିପୋର୍ଟକୁ ଉପସ୍ଥାପନ କରି ତୁରନ୍ତ ଏହାର ମରାମତି ଦିଗରେ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିବା ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏ ପ୍ରସଙ୍ଗକୁ ମନରୁ ପାଶୋରି ଦେଇଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ଯେତିକି ଗୁରୁତ୍ବପୂର୍ଣ୍ଣ ଏହାର ମରାମତି ମଧ୍ୟ ଅପରିହାର୍ଯ୍ୟ ବୋଲି
ବିଶେଷଜ୍ଞମାନେ ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମାନ୍ୟବର ହାଇକୋର୍ଟ ଗତ ୨୦୧୭ ମାର୍ଚ୍ଚ ୧୬ ତାରିଖରେ ଜଗମୋହନ ଖୋଲିବାକୁ ପରାମର୍ଶ ଦେଇଥିଲେ। ତେବେ ଜଗମୋହନ ନିର୍ମାଣ‌ରେ ପ୍ରାୟ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ରତ୍ନଭଣ୍ଡାର ଜଗମୋହନର ଏକ ଅଂଶ ହୋଇଥିବାରୁ ଏହାର ଅନୁଧ୍ୟାନ କରିବାକୁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଥିଲେ। ଏ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ପରିଚାଳନା କମିଟିରେ ଭଣ୍ଡାର ମେକାପ ଦେଇଥିବା ରିପୋର୍ଟକୁ ଗୁରୁତ୍ବର ସହ ଆଲୋଚନା କରାଯାଇଥିଲା। ଭଣ୍ଡାର ମେକାପ ରତ୍ନଭଣ୍ଡାର ଅସୁରକ୍ଷିତ, ପାଣି ଗଳୁଥିବା ଓ ପ୍ଲାଷ୍ଟର ଖସୁଥିବା ନେଇ ରିପୋର୍ଟ ଦେଇଥିଲେ। ଅନ୍ୟପକ୍ଷରେ ଏହା ପୂର୍ବରୁ ଗତ ୨୦୧୩ରେ ରତ୍ନଭଣ୍ଡାର ଷ୍ଟାଟସ୍‌ ରିପୋର୍ଟରେ ମଧ୍ୟ ସମାନ କଥା ଦର୍ଶାଯାଇଥିଲା। ବିମ୍‌ ଦବୁଥିବା ଓ ପ୍ଲାଷ୍ଟର ଖସୁଥିବା କାରଣରୁ ଏହାର ଯାଞ୍ଚ ପାଇଁ ପରିଚାଳନା କମିଟିରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ରତ୍ନ ବା ଅଳଙ୍କାର ଯାଞ୍ଚ ନ କରି କେବଳ ରତ୍ନଭଣ୍ଡାର ଘରର ସ୍ଥିତି ଯାଞ୍ଚ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଅନୁମତି ଦେଇଥିଲେ। ୨୦୧୮ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଉତ୍କଣ୍ଠା ଦେଖାଦେଇଥିଲା। ବିଭିନ୍ନ ସଙ୍ଗଠନ ଏହାକୁ ବିରୋଧ କରିଥିଲେ ମଧ୍ୟ ବହୁ ଆଡ଼ମ୍ବରରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତୁତି କରାଯାଇଥିଲା। ଯାଞ୍ଚ ପାଇଁ ଏକ ୧୭ ଜଣିଆ କମିଟି ଗଠନ କରାଯାଇଥିଲା। ତେବେ ଚାବି ହଜିଯାଇଥିବା କାରଣରୁ ରତ୍ନଭଣ୍ଡାର ଯାଞ୍ଚ ହୋଇପାରି ନ ଥିଲା। ବିଶେଷଜ୍ଞ କମିଟି ବାହାରୁ ଯାହା ଦେଖିଥିଲେ, ସେଥିରୁ ରତ୍ନଭଣ୍ଡାର ସ୍ଥିତି ସଙ୍ଗିନ ଥିବା ଜଣା ପଡ଼ିଥିଲା। ମରାମତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ତେବେ ଏହି ମୂଳ ପ୍ରସଙ୍ଗକୁ ଭୁଲିଯାଇ ଚାବି ହଜିବା ମୁଖ୍ୟ ପ୍ରସଙ୍ଗ ହୋଇଯାଇଥିଲା। ସମସ୍ତ ବିରୋଧୀ ରାଜନୈତିକ ଦଳ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ସରକାର ମଧ୍ୟ ଏ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଥିଲେ।

ଗତ ୨୦୧୮ ଜୁନ ୬ ତାରିଖରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ସରକାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦଇଥିଲେ। ଜଷ୍ଟିସ ରଘୁବୀର ଦାସ ଏହାର ତଦନ୍ତ ଦାୟିତ୍ବ ନେଇଥିଲେ। ତେ‌ବେ ତଦନ୍ତ କମିସନ ଗଠନ ହେବାର ୬ ଦିନ ପରେ ଅର୍ଥାତ ୧୩ ତାରିଖରେ ଚମତ୍କାର ଢଙ୍ଗରେ ଚାବି ମିଳିଯାଇଥିଲା। ଚାବି ମିଳିବା ପରେ ମଧ୍ୟ ବିବାଦ ଥମି ନ ଥିଲା। ଏହି ଘଟଣାକୁ ନେଇ ସରକାର ଗତ ଜୁନ ୧୧ ତାରିଖରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ବଦଳି କରିଦେଇଥିଲେ। ତାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟତ୍ବ ଦିଆଯାଇଥିଲା। ଏ ପ୍ରସଙ୍ଗରେ ବଦନାମ ହୋଇଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମଧ୍ୟ ପୁରୀରେ ବେଶି ଦିନ ରହି ନଥିଲେ। ରଥ ପରେ ତାଙ୍କୁ ବଦଳି କରାଯାଇଥିଲା। ଇତିମଧ୍ୟରେ ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ଜଷ୍ଟିସ ରଘୁବୀର ଦାସ ସରକାରଙ୍କୁ ପ୍ରଦାନ କରି ସାରିଲେଣି। ୬ ମାସ ତଳୁ ରିପୋର୍ଟ ମିଳିଥିଲେ ମଧ୍ୟ ରତ୍ନଭଣ୍ଡାରକୁ ନେଇ ଏବେ ସମସ୍ତେ ଚୁପ୍‌। ସତେ ଯେମିତି ନିର୍ବାଚନ ପାଇଁ ମହାପ୍ରଭୁଙ୍କ ମନ୍ଦିର ସୁରକ୍ଷାକୁ ନେଇ ରାଜନୀତି କରାଯାଉଥିଲା। ବର୍ତ୍ତମାନର ନିରବତାରୁ ତାହା ସ୍ପଷ୍ଟ ‌ହେଉଛି। ରତ୍ନଭଣ୍ଡାରରୁ ପାଣି ଗଳୁଛି, ବିମ୍ ଫାଟି ଆଁ କଲାଣି। ମହାପ୍ରଭୁ ହୀରା, ଲୀଳା, ମୋତି ମାଣିକ୍ୟ ଭଳି ଦୁର୍ଲଭ ଅଳଙ୍କାର ରହୁଥିବା ରତ୍ନଭଣ୍ଡାରକୁ ସରକାର କାହା ଚାପରେ ମରାମତି କରୁନାହାନ୍ତି ତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର