ରତ୍ନଭଣ୍ଡାରରେ ରତ୍ନ ଅଛି ତ?

ମୁହଁ ଖୋଲୁନି ନୂଆ କମିଟି, କ’ଣ ଦେଖିଥିଲେ ପ୍ରାଧିକୃତ କମିଟି?

ପୁରୀ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ବର୍ଷ ତଳେ ରତ୍ନଭଣ୍ଡାର ମେକାପଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ଦୁଆର ଖୋଲିଥିଲେ। ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ଦୃଶ୍ୟମାନ ହେବାରୁ ଏହାର ଦ୍ବାର ଖୋଲିବାକୁ ଆବଶ୍ୟକ ପଡ଼ିଲାନି। ପରେ ଏହାକୁ ନେଇ ଚାବି ହଜିବାର ଛଳନା କରାଗଲା। ଏଠି ପ୍ରଶ୍ନ ଉଠୁଛି ପ୍ରାଧିକୃତ କମିଟି ଏମିତି କ’ଣ ଦେଖିଲେ ଯେ ଭିତର ରତ୍ନଭଣ୍ଡାର ଭିତରକୁ ଯିବାକୁ ଉଚିତ୍‌ ମଣିଲେ ନାହିଁ। ରତ୍ନଭଣ୍ଡାର କଥା କହିଲେ କାହିଁକି ମୁଖ୍ୟ ପ୍ରଶାସକଙ୍କଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ, ପରିଚାଳନା କମିଟି ସଦସ୍ୟମାନେ ପଛଘୁଞ୍ଚା ଦେଉଛନ୍ତି। ରତ୍ନଭଣ୍ଡାରରେ ରତ୍ନ ଅଛି ତ? ଏଭଳି ପ୍ରଶ୍ନ ଏବେ ଭକ୍ତ ମହଲକୁ ଆନ୍ଦୋଳିତ କରୁଥିବାବେଳେ ସରକାରଙ୍କଠାରୁ ଏହାର ଜବାବ ମାଗିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟି ରତ୍ନଭଣ୍ଡାର ଖୋଲିବା ସହ ରତ୍ନ ଅଳଙ୍କାର ଗଣତିର ଅନୁମତି ପାଇଥିଲା। ୨୦୧୮ ଏପ୍ରିଲ ୪ ତାରିଖ ଅପରାହ୍ଣ ସାଢ଼େ ୨ଟାରେ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଯାଞ୍ଚ ପରେ ଫେରିଥିଲେ ଅଧିକାରୀ। ପରେ ଭିତର ରତ୍ନଭଣ୍ଡାର ଖୋଲା ଯାଇନଥିବା ଜଣାପଡ଼ିଥିଲା। ଏବେ ସୂଚନା ଅଧିକାର ବଳରେ ସେ ଦିନର ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ରେଜିଷ୍ଟର ହସ୍ତଗତ ହେବା ପରେ ପୁଣିଥରେ ତାଜା ହୋଇଛି ଏହି ଘଟଣା।

ପ୍ରାଧିକୃତ କମିଟିଙ୍କ ଦସ୍ତଖତ ସମ୍ବଳିତ ଖାତାରେ ସ୍ପଷ୍ଟ ‌ଉଲ୍ଲେଖ ରହିଛି କି ସେତେବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ୍ତ କୁମାର ଦାଶଙ୍କଠାରୁ ‌ଚାବି ନେଇ ବାହାର ଭଣ୍ଡାର ତାଲା ଖୋଲାଯାଇଥିଲା। ସମସ୍ତ ପ୍ରାଧିକୃତ ବ୍ୟକ୍ତି ଭଣ୍ଡାର ମେକାପଙ୍କ ସହ ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ। ଅନୁଧ୍ୟାନ ସମୟରେ ରତ୍ନଭଣ୍ଡାର କାନ୍ଥ ଓ ଛାତରେ ଥିବା ଫାଟ ସ୍ପଷ୍ଟ ଦେଖା ଯାଇଥିଲା। ପରେ ବାହାର ରତ୍ନଭଣ୍ଡାର ଘରୁ ଭିତର ରତ୍ନଭଣ୍ଡାର ଘରର ଜାଲି ଦୁଆର ଦେଇ ଘରର କାନ୍ଥ ଓ ଛାତକୁ ସର୍ଚ୍ଚ ଲାଇଟ୍‌ ପକାଇ ଅନୁଧ୍ୟାନ କରାଯାଇଥିଲା। ସେ ସମୟରେ ଭିତର ଭଣ୍ଡାର ଘରେ ତିନୋଟି ତାଲା ପଡ଼ିଥିଲା। ଯେଉଁଥିରୁ ଗୋଟିଏ ତାଲାରେ ଜଉମୁଦ ଦିଆଯାଇଥିଲା। ଭିତର ରତ୍ନଭଣ୍ଡାର ଘର ଖୋଲିବା ଆବଶ୍ୟକ ନଥିବା ମନେ କରି ଅଧିକାରୀମାନେ ଏହାକୁ ଖୋଲିନଥିଲେ। କେବଳ ଏକ ଲୁହା ପାଇପ୍‌ ଭିତର ରତ୍ନଭଣ୍ଡାର ଜାଲି ଦ୍ବାର ଦେଇ ଭିତରକୁ ଭର୍ତ୍ତି କରି ଏହି ଘରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ। ଅନୁଧ୍ୟାନ ପରେ ଏହାର ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ପ୍ରତ୍ନତତ୍ତ୍ବ ବିଭାଗ ଓ କୋର କମିଟିକୁ କୁହାଯାଇଥିଲା।

ଏଠି ପ୍ରଶ୍ନ ଉଠୁଛି କି କାହିଁକି ପ୍ରାଧିକୃତ ଅଧିକାରୀମାନେ ଭିତର ରତ୍ନଭଣ୍ଡାର ଖୋଲିବାକୁ ସାହସ କଲେନି। କ’ଣ ଏମିତି ଭିତରେ ଦେଖିଲେ ଯେ ହତବାକ୍‌ ହୋଇ ଫେରି ଆସିଲେ। ସତରେ କ’ଣ ଭିତର ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ଅଛି ନା ଗାଏବ ହୋଇଯାଇଛି। ଯାହାକୁ ଦେଖି ଭୟରେ ଫେରି ଆସିଥିଲେ ଅଧିକାରୀ। ଏମିତି ଅନେକ ପ୍ରଶ୍ନ ଭକ୍ତ ମହଲକୁ ଆନ୍ଦୋଳିତ କରୁଛି।

ଗତକାଲି ନବଗଠିତ ପରିଚାଳନା କମିଟିର ପ୍ରଥମ ବୈଠକରେ ଏହି ପ୍ରସଙ୍ଗ ମଧ୍ୟ ଉଠିଲାନି। ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥା ଅଛି ବୋଲି ଯେଉଁ ରିପୋର୍ଟ ପ୍ରାଧିକୃତ କମିଟି ପ୍ରସ୍ତୁତ କରିଥିଲେ, ତାହା ରାଜ୍ୟ ସରକାରଙ୍କୁ ଦିଆଯାଇଛି ନା ଚାପି ଦିଆଯାଇଛି। ଯଦି ଦିଆଯାଇନି, ତାହେଲେ କ’ଣ ସ୍ବାର୍ଥ ରହିଛି। ଯଦି ଦିଆଯାଇଛି, ତେବେ କାହିଁକି ମରାମତି ଦିଗରେ ପଦକ୍ଷେପ ନିଆଯାଉନି।

ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କୁ ପଚାରିବାରୁ ସେ କହିଥିଲେ, ଶ୍ରୀମନ୍ଦିର ମରାମତି ନେଇ ପ୍ରତ୍ନତତ୍ତ୍ବ ବିଭାଗକୁ ୫ ବର୍ଷିଆ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି, ତାହା ଆସିବା ପରେ ଏ ନେଇ କିଛି କୁହାଯାଇ ପାରିବ।

ସମ୍ବନ୍ଧିତ ଖବର