ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା: ୩ ବର୍ଷ ବିତିଲା, ସାର୍ବଜନୀନ ହେଲାନି କମିସନଙ୍କ ରିପୋର୍ଟ

୨୦୧୯ ଅନୁଧ୍ୟାନ ଚାଲିଛି ବୋଲି ଗୃ‌ହରେ କହିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର
ତଦନ୍ତ ପାଇଁ ଖର୍ଚ୍ଚ ହୋଇଥିଲା ୨୨.୨୭ ଲକ୍ଷ ଟଙ୍କା

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ଏହାକୁ ନେଇ ରାଜ୍ୟସ୍ତରରେ ତୁମ୍ବିତୋଫାନ ପରେ ଆରମ୍ଭ ହୋଇଥିଲା ନ୍ୟାୟିକ ତଦନ୍ତ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାଶଙ୍କ ନେତୃତ୍ବରେ ଗଠନ ହୋଇଥିଲା ତଦନ୍ତ କମିସନ୍‌। ଯେଉଁଥିପାଇଁ ରାଜ୍ୟ ସରକାର ପ୍ରାୟ ୨୨.୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତଦନ୍ତ କମିସନ୍‌ ବି ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କଲେ। ଇଥିମଧ୍ୟରେ ୩ ବର୍ଷ ବିତିଲାଣି, ତଥାପି ସାର୍ବଜନୀନ ହୋଇପାରିନି ତଦନ୍ତ ରିପୋର୍ଟ। ଯାହାକୁ ନେଇ ଭକ୍ତ, ସେବାୟତ ମହଲରେ ସନ୍ଦେହ ବଢ଼ିବାରେ ଲାଗିଛି। ଏହି ରିପୋର୍ଟରେ ଏଭଳି କ’ଣ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ଏହାକୁ ସାର୍ବଜନୀନ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ୩ ବର୍ଷ ହେଲା କାହିଁକି ଏହି ରିପୋର୍ଟକୁ ଚାପି ରଖିଛନ୍ତି। ରତ୍ନଭଣ୍ଡାର ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କାହିଁକି ରାଜ୍ୟ ସରକାର ନିରବ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।

ଦୀର୍ଘ ୩୪ ବର୍ଷ ହାଇକୋର୍ଟଙ୍କ ଆଦେଶକ୍ରମେ ୨୦୧୮ ଏପ୍ରିଲ୍‌ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିରେ ରାଜ୍ୟ ସରକାର। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ତାଲିକା ପ୍ରସ୍ତୁତ ପାଇଁ ହୋଇଥିଲା ଯୋଜନା। ସେହି ଅନୁଯାୟୀ ୧୭ଜଣିଆ କମିଟି ଗଠନ କରାଗଲା। ଏଥିପାଇଁ ବ୍ୟାପକ ଆୟୋଜନ ବି ହେଲା। ଶହ ଶହ ପୁଲିସ ଶ୍ରୀମନ୍ଦିରକୁ ଘେରି ରହିଲେ। ଶ୍ରୀମନ୍ଦିର ଭିତରେ ବି ମାଳ ମାଳ ପୁଲିସ ମୁତୟନ କରାଗଲ। କିନ୍ତୁ ବହୁ ଆଡମ୍ବରେ ଲଘୁକ୍ରିୟା ଭଳି ୧୭ଜଣିଆ କମିଟି ରତ୍ନଭଣ୍ଡାର ନ ଖୋଲି ଫେରି ଆସିଥିଲେ। ପରେ ବିଭିନ୍ନ ବାହାନା କରାଗଲା। ପ୍ରଥମେ କୁହାଗଲା ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ଦେଖାଯିବାରୁ ଖୋଲିବା ଆବଶ୍ୟକ ପଡ଼ିଲାନି। ପରେ ରତ୍ନଭଣ୍ଡାର ଚାବି ହଜିଯିବା ଘଟଣା ଜଣାପଡ଼ିଥିଲା। ଚାବି ହଜିବା ପ୍ରସଙ୍ଗରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ପରେ ତତ୍କାଳ ନ୍ୟାୟିକ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଘୁବୀର ଦାସଙ୍କୁ ନେଇ ଗଠନ ହେଲା ନ୍ୟାୟିକ ତଦନ୍ତ କମିସନ୍‌। ସେ ସମୟରେ ଜଷ୍ଟିସ୍‌ ରଘୁବୀର ଦାସ କମିସନ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଜନଶୁଣାଣି ବି କଲେ। ଆଗ୍ରହୀ ବ୍ୟକ୍ତି, ସଂଗଠନଙ୍କଠାରୁ ସତ୍ୟପାଠ ଜରିଆରେ ରତ୍ନଭଣ୍ଡାର ଚାବି ହଜିବା

ପ୍ରସଙ୍ଗରେ ମତ ଗ୍ରହଣ କଲେ। ପରେ ତଦନ୍ତ କମିସନ୍‌ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ଏହି ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବର ୩୦ରେ ପ୍ରଦାନ କରିଥିଲେ। ସେ ସମୟରେ ଏ ବାବଦକୁ ରାଜ୍ୟ ସରକାର ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିଲେ। ଆସନ୍ତା ନଭେମ୍ବର ୩୦ ତାରିଖକୁ ଏହି ରିପୋର୍ଟ ଦାଖଲ ହେବା ତିନି ବର୍ଷ ପୂରିବାକୁ ଯାଉଛି। ତଥାପି ରିପୋର୍ଟ ସାର୍ବଜନୀନ ହୋଇପାରିନି। ୨୦୧୯ ମସିହାରେ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଧାନସଭାରେ ଏହି ରିପୋର୍ଟ ସମ୍ପର୍କରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରଶ୍ନ କରିବା ସହ ଏହାକୁ ସାର୍ବଜନୀନ କରିବାକୁ ଦାବି ରଖିଥିଲେ। କିନ୍ତୁ ସେ ସମୟରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହି ରିପୋର୍ଟର ଅନୁଧ୍ୟାନ ଚାଲିଛି ବୋଲି ଗୃହରେ ମନ୍ତବ୍ୟ ରଖିଥିଲେ। ତିନି ବର୍ଷ ପରେ ବି ରାଜ୍ୟ ସରକାର ଏହି ରିପୋର୍ଟର ଅନୁଧ୍ୟାନ କରୁଛନ୍ତି। ଯାହାକୁ ଭକ୍ତ ମହଲ ଦୃଢ଼ ବିରୋଧ କରିଛନ୍ତି। ଏମିତି କ’ଣ ଏହି ରିପୋର୍ଟରେ ଅଛି ଯେ ରାଜ୍ୟ ସରକାର ଏହାକୁ ଘଣ୍ଟା ଘୋଡ଼ାଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର