ଏବେ ବି ରହସ୍ୟ ଭିତରେ ରତ୍ନଭଣ୍ଡାର ଚାବି

ହାଇଡ୍ରାମା କରିଥିଲେ ୧୭ଜଣିଆ ଦଳ

ହାଇକୋର୍ଟଙ୍କୁ ବି ଭଣ୍ଡାଇବାକୁ ପଛାଇଲେନି
ରତ୍ନଭଣ୍ଡାର ଖୋଲିବା ଦିନ ଚାବି ହଜିବା ନେଇ ଚିଠି କରିଥିଲେ ତତ୍କାଳୀନ ଜିଲ୍ଲାପାଳ

ପୁରୀ : ବିପଦସଂକୁଳ ରତ୍ନଭଣ୍ଡାରର ମରାମତି, ଏଥିରେ ଥିବା ରତ୍ନ ଅଳଙ୍କାରର ଗଣତି ଓ ଏହାର ଚାବି ହଜିବା, ସବୁକିଛି ରହସ୍ୟ ଭିତରେ ରହିଛି। ତେବେ ଅଧିକ ରହସ୍ୟଜନକ ହୋଇପଡ଼ିଛି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ। ସାଢ଼େ ୩ ବର୍ଷ ପରେ ବି ଭକ୍ତ ମହଲ ଏହାକୁ ନେଇ ଅନ୍ଧାର ଭିତରେ ରହିଛନ୍ତି। ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବା ପାଇଁ ଗଠିତ ୧୭ଜଣିଆ କମିଟି ଯେ ହାଇଡ୍ରାମା କରିଥିଲେ, ଆଜିର ସୂଚନା ଅଧିକାର ତଥ୍ୟ ଧରା ପକାଇ ଦେଇଛି। ପାଖରେ ଚାବି ନ ଥିବା ଜାଣି ବି ଏହି ପ୍ରତିନିଧି ଦଳ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ଓ ରତ୍ନଭଣ୍ଡାର ଖୋଲିବାର ବାହାନା କରିଥିଲେ। ପରେ ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ‌ଦୃଶ୍ୟମାନ ହେବାରୁ ଖୋଲିବା ଆବଶ୍ୟକ ପଡ଼ିଲାନି ବୋଲି କହି ଭୂତାଇ‌ଥିଲେ। ଏଭଳି କରି କେବଳ ଅଗଣିତ ଭକ୍ତଙ୍କୁ ଭଣ୍ଡାଇନଥିଲେ, ମାନ୍ୟବର ହାଇକୋର୍ଟଙ୍କୁ ବି ଭୂତାଇଥିଲେ। ଯାହା ଆଜି ବି ରତ୍ନଭଣ୍ଡାର ରେଜିଷ୍ଟରରେ ପ୍ରାମାଣିକ ଭାବେ ଉଲ୍ଲେଖ ରହିଛି। ସେପଟେ ଜିଲ୍ଲା ରେକର୍ଡ ରୁମ୍‌ ଅଧିକାରୀ ୧୯୬୦ ମସିହାରୁ ସେମାନଙ୍କ ପାଖରେ ଚାବି ନ ଥିବା କହୁଥିବା ବେଳେ ଜିଲ୍ଲା କୋଷାଗାର ଅଧିକାରୀ ୧୯୭୦ ମସିହାରୁ ରତ୍ନଭଣ୍ଡାର ଚାବି ନ ଥିବା କହିବା ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ନେଇ ବିବାଦ ଘନେଇଲାଣି। କିଏ ଠିକ୍‌ ଆଉ କିଏ ଭୁଲ୍‌ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଏପ୍ରିଲ ମାସ ୪ତାରିଖରେ ରତ୍ନଭଣ୍ଡାର ଖୋଲିବ ବୋଲି ନିଷ୍ପତ୍ତି ହୋଇଥିଲା। ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଏସ୍‌ଏସ୍‌ଆଇର କୋର କମିଟି, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ୧୭ଜଣିଆ କମିଟି ଗଠନ କରାଯାଇଥିଲା। ଏହି ପ୍ରସ୍ତୁତି ଦିନେ କି ଦୁଇଦିନର ନ ଥିଲା, ମାସେ ପୂର୍ବରୁ ଆରମ୍ଭ ହୋଇଥିଲା। କିନ୍ତୁ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୮ ଏପ୍ରିଲ ୩ରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ରତ୍ନଭଣ୍ଡାର ଚାବି ସମ୍ପର୍କରେ ଜିଲ୍ଲା କୋଷାଗାର ଅଧିକାରୀଙ୍କୁ ଚିଠି(ସଂଖ୍ୟା-୫୮୮/୩.୪.୨୦୧୮) କରିଥିଲେ। ଆଉ ରତ୍ନଭଣ୍ଡାର ଖୋଲିବା ଦିନ ହିଁ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ ଜିଲ୍ଲାପାଳ ଏକ ଚିଠି(ସଂଖ୍ୟା-୫୯୫/୪.୪.୨୦୧୮) କରି ରତ୍ନଭଣ୍ଡାରର ଚାବି ମିଳୁନଥିବା କହିଥିଲେ। ରତ୍ନଭଣ୍ଡାର ଚାବି ୧୯୭୦ ମସିହାରୁ ଜିଲ୍ଲା ‌କୋଷାଗାରରେ ଜମା ହୋଇନଥିବା ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ କେହି ମୁହଁ ଖୋଲିନଥିଲେ।

ପୂର୍ବପ୍ରସ୍ତୁତ ମୁତାବକ ୧୭ଜଣିଆ ଦଳ ଶ୍ରୀମନ୍ଦିରକୁ ଯାଇଥିଲେ ଓ ରତ୍ନଭଣ୍ଡାର ଖୋଲିବାର ବାହାନା କରିଥିଲେ। ସେହି ଅନୁଯାୟୀ ରତ୍ନଭଣ୍ଡାର ରେଜିଷ୍ଟରରେ ବି ଉଲ୍ଲେଖ କରାଗଲା କି ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାର ଦେଖାଯିବାରୁ ଖୋଲିବା ଆବଶ୍ୟକ ପଡ଼ିଲାନାହିଁ, କେବଳ ଅନୁଧ୍ୟାନ କରି ଫେରି ଆସିଲୁ। ଯେଉଁଥିରେ ୧୭ଜଣିଆ କମିଟି ବି ଦସ୍ତଖତ ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯଦି ପାଖରେ ଚାବି ନ ଥିଲା, କାହିଁକି ରତ୍ନଭଣ୍ଡାର ରେଜିଷ୍ଟରରେ ୧୭ଜଣିଆ ପ୍ରତିନିଧି ଦଳ ଏଭଳି ଉଲ୍ଲେଖ କଲେ। ଯଦି ଚାବି ନଥିବା ଜିଲ୍ଲାପାଳ ଜାଣିଥିଲେ, ତେବେ ରତ୍ନଭଣ୍ଡାର ଖୋଲିବା ଦିନ କାହିଁକି ଚିଠି କରି ଜଣାଇଲେ। ଯଦି ରତ୍ନଭଣ୍ଡାର ଚାବି ଜିଲ୍ଲା କୋଷାଗାରରେ ନ ଥିଲା, ତେବେ କିଏ ଜିଲ୍ଲା ରେକର୍ଡ ରୁମ୍‌କୁ ଏହାକୁ ନେଲା। ୧୯୬୦ ମସିହାରୁ ‌ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲିବା ପାଇଁ କେଉଁଠୁ ଚାବି ଆସୁଥିଲା ଓ କେଉଁଠି ରଖାଯାଉଥିଲା। ଚାବି ନେବା ଓ ରଖିବା ଦାୟିତ୍ବ କାହାର ଥିଲା। ଚାବି ନ ଥିବା ଜାଣି ବି କାହିଁକି ଅଧିକାରୀମାନେ ରତ୍ନଭଣ୍ଡାର ଖୋଲିବାର ବାହାନା କରି ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଲେ।

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଡାକ୍ତରୀ ଦଳ, ଅଗ୍ନିଶମ ବିଭାଗ ମାଳ ମାଳ ଅଧିକାରୀ, ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ କାହିଁକି ମୁତୟନ ହୋଇଥିଲେ। କାହିଁକି ଶ୍ରୀମନ୍ଦିରକୁ ଶହ ଶହ ପୁଲିସ ଛାଉଣୀରେ ରଖାଯାଇଥିଲା। ଏଭଳି ଅନେକ ଅସମାହିତ ପ୍ରଶ୍ନ ଭକ୍ତଙ୍କ ମହଲଙ୍କୁ ଆନ୍ଦୋଳିତ କଲାଣି। ଏଠି ୧୭ଜଣିଆ କମିଟି ଠିକ୍‌ କି ତତ୍କାଳୀନ ଜିଲ୍ଲାପାଳ ଅବା ଜିଲ୍ଲା କୋଷାଗାର ଅଧିକାରୀଙ୍କ କଥା ଠିକ୍‌, ତାକୁ ନେଇ ଭକ୍ତ ମହଲ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟାଇବାକୁ ଭକ୍ତ ମହଲ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର