ଏତଲା କାହିଁକି ଦେଇନ, ଜଣାଅ
ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ମରାଯିବା ଘଟଣା : ଜଷ୍ଟିସ ବି.ପି.ଦାସ କମିସନଙ୍କ ରିପୋର୍ଟ ତଲବ
କଟକ : ପୁରୀ ଶ୍ରୀମନ୍ଦିର ପରିସରର ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଷ୍ଟିସ୍ ବିମଳ ପ୍ରସାଦ ଦାସ ତଦନ୍ତ କମିସନ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ନିକଟରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ଭୁବନେଶ୍ୱରସ୍ଥିତ ଏଏସଆଇ ଆଞ୍ଚଳିକ କାର୍ଯ୍ୟାଳୟର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ନୋଟିସ୍ ଜାରି କରି ଏହି ପ୍ରସଂଗରେ ୧୫ ଦିନ ଭିତରେ ଜବାବ ରଖିବାକୁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ଥାନାରେ ଏତଲା ରୁଜୁ ହୋଇଛି କି ନାହିଁ ଓ କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂପର୍କରେ ତଥ୍ୟ ଦେବା ପାଇଁ ଏଏସଆଇକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କେତେକ ଭକ୍ତ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ଦ୍ୱାରା ସେଲ୍ଫି ଉଠାଇ ତାହାକୁ ସୋସିଆଲ ମିଡିଆରେ ଛାଡିଥିଲେ। ଏ ନେଇ ବାରମ୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଶ୍ରୀମନ୍ଦିର ପରିସରରେ ଅବାଧରେ ସ୍ମାର୍ଟ ଫୋନ୍ ବ୍ୟବହାର ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ମତପ୍ରକାଶ ପାଇଥିଲା। ହାଇକୋର୍ଟରେ ଏ ପ୍ରସଂଗରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ଜବାବ ରଖିଥିଲେ।। ଅନ୍ୟପକ୍ଷରେ କମିସନ୍ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ରିପୋର୍ଟ ତଲବ କରିଥିଲେ। ଏପରି ପରିସ୍ଥିତି ଲାଗି ରହିଥିବା ବେଳେ ଶ୍ରୀମନ୍ଦିର ପରିସରକୁ ସ୍ମାର୍ଟ ଫୋନ ଯାଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ସେବକମାନେ କେବଳ ପଞ୍ଜୀକୃତ କ୍ୟାମେରାବିହୀନ ମୋବାଇଲ ଫୋନ୍ ନେଇ ଯାଇପାରିବେ। ନୂଆ ବର୍ଷ ଠାରୁ ଏହି ନିୟମ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ନେଇ ବିବାଦ ଦେଖାଯାଇଥିଲା। ତେବେ ଶ୍ରୀମନ୍ଦିର ଚାରି ଦ୍ୱାର ଓ ଏହାର ପରିସରରେ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସହିତ ଜଡିତ ଥିବା କେତେକ ବ୍ୟକ୍ତିଙ୍କ ପକ୍ଷରୁ ଏପରି ନିଷ୍ପତ୍ତିକୁ ବିରୋଧ କରି ପୋଷ୍ଟର ମରାଯାଇଥିଲା।
ବେଆଇନ୍ ଭାବେ ଶ୍ରୀମନ୍ଦିର ପରିସରରେ ପୋଷ୍ଟର ମରାଯିବା ଘଟଣା ପ୍ରସଂଗକୁ କମିସନ୍ ଗୁରୁତ୍ୱର ସହିତ ନେଇଛନ୍ତି। ପୁତାରନ ଐତିହ୍ୟ ସୁରକ୍ଷା ଆଇନର ଧାରା ୩୦ ଅନୁଯାୟୀ ପୁରାତନ କୀର୍ତିରାଜିର କାନ୍ଥରେ ପୋଷ୍ଟର ମରାଯିବା ଏକ ଦଣ୍ଡନୀୟ ଅପରାଧ। ଏପରି ଅପରାଧ ପାଇଁ ୨ବର୍ଷ ଜେଲଦଣ୍ଡ ସହ ଲକ୍ଷେ ଟଙ୍କା ଜରିମାନା ଆଦାୟ ନେଇ ଆଇନରେ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଏକ ସଂରକ୍ଷିତ ପୁରୁଣା ଐତିହ୍ୟସଂପନ୍ନ ମନ୍ଦିର। ଏହାର କାନ୍ଥରେ ପୋଷ୍ଟର ମାରି ମନ୍ଦିରକୁ ବିକୃତ କରାଯାଉଛି। ଏହା ଧାର୍ମିକ ଭାବନାକୁ ମଧ୍ୟ ଆଘାତ ଦେଉଛି। ତେଣୁ ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ସଂରକ୍ଷଣ ଦାୟିତ୍ୱରେ ଥିବା ଏଏସଆଇ ପକ୍ଷରୁ କଣ ପଦକ୍ଷେପ ନିିଆଯାଇଛି ସେ ସଂପର୍କରେ ସ୍ପଷ୍ଟ କରିବା ପାଇଁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି।