ଶ୍ରୀମନ୍ଦିର ପାଇଁ ନୂଆ ଆମିକସ କ୍ୟୁରି ହେଲେ ରଞ୍ଜିତ କୁମାର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ନୂଆ ଆମିକସ୍‌ କ୍ୟୁରି ଭାବେ ପୂର୍ବତନ ସିଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀଙ୍କୁ ମଧ୍ୟ ସହଯୋଗୀ ଭାବେ ସୁପ୍ରିମ କୋର୍ଟ ନିଯୁକ୍ତି ଦେଇଛନ୍ତି । ଗୋପାଳ ସୁବ୍ରମଣ୍ୟମଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆମିକ୍‌ସ କ୍ୟୁରି ପଦବିରେ ରଞ୍ଜିତ କୁମାରଙ୍କୁ ସୁପ୍ରିମ କୋର୍ଟ ନିଯୁକ୍ତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ହଇରାଣ ହରକତ କରାଯାଉଥିବା, ଶ୍ରୀମନ୍ଦିର ନୀତି ପାଳନରେ ବିଭ୍ରାଟ ସୃଷ୍ଟି କରାଯାଉଥିବା ଆଦି ବିଭିନ୍ନ ପ୍ରସଙ୍ଗରେ ଭକ୍ତମାନେ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତେଣୁ ଏ ସମ୍ପର୍କିତ ସବିଶେଷ ତଥ୍ୟ ପାଇଁ ସୁପ୍ରିମ୍‌ କୋର୍ଟ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକ୍‌ସ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ସୁବ୍ରମଣ୍ୟମ ମଧ୍ୟ ପୁରୀ ଆସି ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ପୁରୀ ଗୋବର୍ଦ୍ଧନ ପୀଠାର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଓ ସେବାୟତମାନଙ୍କ ସହିତ ଆଲୋଚନା କରି ଫେରି ଯାଇଥିଲେ। ତେବେ ବ୍ୟକ୍ତିଗତ କାରଣରୁ ଶ୍ରୀ ସୁବ୍ରମଣ୍ୟମ ଆମିକସ କ୍ୟୁରି ପଦବିରୁ ଇସ୍ତଫା ଦେବା ପରେ ସୁପ୍ରିମ କୋର୍ଟ ତାଙ୍କ ସ୍ଥାନରେ ରଞ୍ଜିତ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀମନ୍ଦିର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରି ୫ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର