୨୨ରୁ ଖୋଲିପାରେ ଶ୍ରୀମନ୍ଦିର, ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଶ୍ରୀମନ୍ଦିର ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ

ପୁରୀ: ଶ୍ରୀମନ୍ଦିର ଖୋଲିବା ଲାଗି ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର। ଯଦି ରାଜ୍ୟ ସରକାର ଏହି ସୁପାରିସ ଆଧାରରେ ଶ୍ରୀମନ୍ଦିର ଖୋଲିବା ଲାଗି ନିଷ୍ପତ୍ତି ନିଅନ୍ତି ତେବେ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ। କୋଡିଡ୍ କଟକଣା ମଧ୍ୟରେ ଦର୍ଶକଙ୍କୁ ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ମିଳିବ।  ଆପାତତଃ ଡିସେମ୍ବର ୨୨ରୁ ୨୮ ମଧ୍ୟରେ ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ଲାଗି ଖୋଲିବ ବୋଲି ସେ ସୂଚନା ଦେଇଛନ୍ତି।

ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କ୍ରିଷନ୍ କୁମାର କହିଛନ୍ତି, ଆଗାମୀ ୨୨ରୁ ୨୮ ତାରିଖ ଭିତରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ହେଲେ ଏହି ସମୟରେ ପ୍ରଥମ ଚାରି/ପାଞ୍ଚ ଦିନ କେବଳ ପୁରୀର ଭକ୍ତମାନଙ୍କୁ ଦର୍ଶନ ଲାଗି ସୁଯୋଗ ଦିଆଯିବ। ତେବେ ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଥିବାରୁ ୨୦୨୧ ଜାନୁଆରି ପହିଲା ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ।

ଜାନୁଆରି ୩ ତାରିଖରୁ ଅନ୍ୟ ଅଞ୍ଚଳର ଲୋକଙ୍କୁ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଯୋଗ ମିଳିବ। ନୂଆବର୍ଷ ଥିବା ‌ହେତୁ ଭିଡ଼କୁ ଆଖି ଆଗରେ ରଖି ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ଲାଗି  ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ପ୍ରଥମ ସପ୍ତାହରେ ୫ ହଜାର ଲୋକଙ୍କୁ ଏଥିଲାଗି ସୁଯୋଗ ଦିଆଯିବ । ଯଦି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ଚାଲେ ତେବେ ଏହି ସଂଖ୍ୟା ଆଗକୁ ବଢାଯିବ ‌ବୋଲି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କହିଛନ୍ତି।

ଜଗନ୍ନାଥ ମନ୍ଦିର ଖୋଲା ଗଲେ ବି କରୋନା କଟକଣା ଜାରି ରହିବ। ଏହାଛଡ଼ା ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ କରିବା ଆଗରୁ ପୁରୀ ବାହାରର ଦର୍ଶନାର୍ଥୀମାନଙ୍କୁ ନିଜର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ଦର୍ଶନାର୍ଥୀମାନଙ୍କ ଲାଗି ମାସ୍କ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯିବ ବୋଲି କ୍ରିଷନ୍‌ କୁମାର କହିଛନ୍ତି। ଶ୍ରୀମନ୍ଦିରରେ ପ୍ରବେଶ ଦ୍ବାରରେ ସାନିଟାଇଜର୍ ଯୋଗାଇ ଦିଆଯିବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦୀପ ଓ ଫୁଲ ଶ୍ରୀମନ୍ଦିର ଭିତରକୁ ନେବା ଲାଗି ଅନୁମତି ମିଳିବ ନାହିଁ। ଏଥିଲାଗି ଅନ୍ୟକିଛି ବ୍ୟବସ୍ଥା କରିବାକୁ ପଡ଼ିବ ଓ ପରେ ତାହା ସୂଚିତ କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର