ପୁରୀ : ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ଆବଶ୍ୟକସ୍ଥଳେ ମରାମତି କରାଯିବ। ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରେ କେଉଁଭଳି ବ୍ୟବସ୍ଥା କରାଯିବ, ସେ ଉପରେ ବିଚାରବିମର୍ଶ କରିଛନ୍ତି। ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଖରାପ ହୋଇଯାଇଥିବା ବିମ୍ ସ୍ପଳ୍ପ ସମୟରେ ମରାମତି ହେବା ସମ୍ଭବ ନ ଥିବାରୁ ଏହାକୁ ସପୋର୍ଟିଂ ଜରିଆରେ ବାନ୍ଧି ରଖିବାକୁ ନିଷ୍ପତ୍ତି ହୋଇଛି। କିଛିଦିନ ତଳେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପର କଳଙ୍କି ବିମ୍ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ଏହା ବଦଳରେ ନୂଆ କଳଙ୍କିବିହୀନ ବିମ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ।
ଶୁକବ୍ରାର ଦିନ ଜିଲ୍ଲାପାଳଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଏହାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ମହାପାତ୍ର କହିଛନ୍ତି, ନାଟମଣ୍ଡପ ଖରାପ ବିମ୍ ଏବେ ବଦଳାଇ ନୂଆ ବିମ୍ ଲଗାଇବ ସମୟସାପେକ୍ଷ ହୋଇଥିବାରୁ ଏଥିରେ ସପୋର୍ଟ ଦେଇ ରଖିବାକୁ ନିଷ୍ପତ୍ତି ହୋଇଛି। ପହଣ୍ଡି ସମୟରେ ଯେଭଳି ଏହା ଦେହରେ ଦଇତାପତି ସେବକମାନେ ନ ବାଜିବେ, ସେଥିପ୍ରତି ବ୍ୟବସ୍ଥା କରାଯିବ। ବାକି ପହଣ୍ଡି ସମୟରେ ତାତିରୁ ରକ୍ଷା ପାଇଁ ବାଟରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯିବ। ଆବଶ୍ୟକ ସଫେଇ ସହ ରୋଷଘର ଲିପାଲିପି ଓ ଅନ୍ୟାନ୍ୟ ଛୋଟ ଛୋଟ କାମ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।