ପୁରୀ : ମହାପ୍ରଭୁଙ୍କ ଘୋଷଯାତ୍ରା ନେଇ ବିମୁଖ ଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ। ନବବିବାହିତା ମହାଲକ୍ଷ୍ମୀଙ୍କ ବିବାହ ଗଇଣ୍ଠାଳ ନ ଫିଟୁଣୁ ଜ୍ବର, ଅଣସର ଘରେ ଗୋପନ ନୀତି ସାରି ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲି ଆସିଥିଲେ ମହାବାହୁ। ମା’ ଲକ୍ଷ୍ମୀ ସାଆନ୍ତାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଥିଲେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଅଭିମାନରେ ଫେରି ଆସିଥିଲେ ମା’ ଲକ୍ଷ୍ମୀ। ଏହି କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ବିଜେ ବେଳେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ରୋଷର ଶିକାର ହୋଇଛନ୍ତି।
ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଆଗମନ ଖବର ପାଇ ଚାହାଣୀ ମଣ୍ଡପ ବିଜେ କରିବା ପରେ ମହାପ୍ରଭୁ ଚାରମାଳ ଉପରେ ଅଟକି ଚାହାଣୀ ମଣ୍ଡପକୁ ଅନାଇଥିଲେ। ଚାହାଣୀ ମଣ୍ଡପରୁ ମା’ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ଆଗମନକୁ ଦେଖି ଅଭିମାନରେ ସହଚରୀଙ୍କ ଦ୍ବାରା ସିଂହଦ୍ୱାରକୁ ବନ୍ଦ କରି ଦେଇଛନ୍ତି। ଯେଉଁଥିପାଇଁ ବିଶ୍ବନିୟନ୍ତାଙ୍କୁ ବି ସିଂହଦ୍ବାରରେ ଅଟକିବାକୁ ପଡ଼ିଛି। ପରେ ମହାପ୍ରଭୁ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରି ସିଂହଦ୍ବାର ଓ ବାଇଶି ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। କିନ୍ତୁ, ଜଗମୋହନକୁ ପ୍ରବେଶ କରିବା ପରେ ପୁଣିଥରେ ଜୟ-ବିଜୟ ଦ୍ୱାରଠାରେ ବିରୋଧର ସମ୍ମୁଖୀନ ହୋଇଥିଲେ ମହାପ୍ରଭୁ। ଶ୍ରୀମନ୍ଦିର ଜୟ-ବିଜୟ ଦ୍ୱାରକୁ ମା’ ଲକ୍ଷ୍ମୀଙ୍କ ସହଚରୀମାନେ କ୍ଷଣକ ପାଇଁ ବନ୍ଦ କରି ଦେଇଥିଲେ। ଏଠାରେ ମହାପ୍ରଭୁଙ୍କ ସହଚର ଓ ମା’ ଲକ୍ଷ୍ମୀଙ୍କ ସହଚରୀଙ୍କ ମଧ୍ୟରେ ପାରମ୍ପରିକ ବଚନିକା ପାଠ ହୋଇଥିଲା। ମହାପ୍ରଭୁଙ୍କ ପକ୍ଷରୁ ପତିମହାପାତ୍ର ଓ ଅନ୍ୟମାନେ ବଚନିକା ପାଠ କରିଥିଲେ। ସେହିଭଳି ମା’ ଲକ୍ଷ୍ମୀଙ୍କ ପକ୍ଷରୁ ଭିତରଚ୍ଛ ଓ ଅନ୍ୟମାନେ ବଚନିକା ପାଠ କରିଥିଲେ। ବଚନିକା ପାଠ ପରେ ଜୟ-ବିଜୟ ଦ୍ୱାର ଖୋଲିଥିଲା।
ନୀଳାଦ୍ରି ବିଜେର ଅନ୍ୟତମ ବିଶେଷ୍ୱତ୍ୱ ଥିଲା ରସଗୋଲା ଭୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଜୟ-ବିଜୟ ଦ୍ୱାର ନିକଟରେ ମାନଭଞ୍ଜନ କରିଥିଲେ। ପ୍ରତିବର୍ଷ ହଜାର ହଜାର ଭକ୍ତ ଏହି ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରିଥାନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ପାଇଁ ରସଗୋଲା ଭୋଗ ଲାଗି କରିବା ବିଶ୍ୱାସ ଥିବାରୁ ଆଜି ଦମ୍ପତିଙ୍କ ଭିଡ଼ ସିଂହଦ୍ବାରରେ ପରଲକ୍ଷିତ ହୋଇଥିଲା। ବିଶେଷ କରି ନବବିବାହିତ ଦମ୍ପତିଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)