ଶ୍ରୀମନ୍ଦିର ପରିସରରେ ହେବ ରୀତିନୀତି

କ୍ୟାବିନେଟ୍ ସଂକଳ୍ପ ପାରିତ

ଶ୍ରୀମନ୍ଦିର ପ୍ରଶାସନକୁ ସଙ୍କେତ ଦେଲେ ସରକାର
ଅନ୍ୟ ଜିଲ୍ଲାର ସୁନିଶ୍ଚିତ କରିବେ ଜିଲ୍ଲା ମାଜିଷ୍ଟ୍ରେଟ୍
ଲୀଳାମୟ ହିଁ ସବୁର କର୍ତା ଓ ସବୁର ନିୟନ୍ତା
ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବେ ଗ୍ରହଣ କରି
ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି

ଭୁବନେଶ୍ବର : ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସବୁ ପ୍ରକାର ନିର୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ ପାଇଁ ରାଜ୍ୟ କ୍ୟାବିନେଟ୍ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ କ୍ୟାବିନେଟ୍ ସଂକଳ୍ପ ପାରିତ ହୋଇଛି। ଏଥିସହିତ ମହାପ୍ରଭୁଙ୍କ ନୀତିକାନ୍ତି ଏବେ ସୁପ୍ରିମକୋର୍ଟ ନିର୍ଦେଶ ଆଧାରରେ କିଭଳି ପାଳନ ହେବ, ତାହା ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବେ। ଯେ କୌଣିସ ମୁହୂର୍ତରେ ପରିଚାଳନା କମିଟି ବୈଠକ ବସିପାରେ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କମିଟି ମାଗିପାରନ୍ତି ବୋଲି ସୂଚନା ମିଳୁଛି। ଏହି ଆଧାରରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଧାରଣ ହେବ।

ସେହିଭଳି ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନ ଯେପରି ରଥଯାତ୍ରା ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରନ୍ତି, ତାହାକୁ ସୁନିଶ୍ଚିତ କରିବା ଲାଗି ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦେଶ ଦିଆଯାଇଛି।

ଆଜି ପୁରୀ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ସନ୍ଧ୍ୟା ୭ଟା ୪୫ମିନିଟରେ ରାଜ୍ୟ କ୍ୟାବିନେଟ୍ ଜରୁରୀ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ବୈଠକରେ ଗୋଟିଏ ମାତ୍ର ସଂକଳ୍ପ ପାରିତ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ କୋର୍ଟଙ୍କ ରାୟ ସଂପର୍କରେ ଆଡଭୋକେଟ୍‌ ଜେନେରାଲ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ପରେ ଆଲୋଚନା ମାଧ୍ୟମରେ ସରକାର ରଥଯାତ୍ରା ପାଳନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଆବଶ୍ୟକ ସୂଚନା ଦେବା ସହିତ ଭାରତ ସରକାରଙ୍କର ମେ’ ୩୦ ତାରିଖର ନିର୍ଦେଶ ଓ ରାଜ୍ୟ ସରକାରଙ୍କ ଜୁନ୍ ପହିଲାର ନିର୍ଦେଶ ଏବଂ କୋଭିଡ଼୍ ପରିଚାଳନା ପାଇଁ ଥିବା ସମସ୍ତ ନିର୍ଦେଶାବଳୀର ଦୃଢ ଅନୁପାଳନ କରାଯିବ ବୋଲି ସ୍ଥିର କରିଥିଲେ।

ଏହି ଅବସରରେ ରାଜ୍ୟ ସରକାର ଏକ ପ୍ରେସ ଇସ୍ତାହାରରେ କହିଛନ୍ତି ଯେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଓଡ଼ିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ। ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆତ୍ମା। ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ। ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖରେ ପଥ ପ୍ରଦର୍ଶକ। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି। ସେ ଲୀଳାମୟ ହିଁ ସବୁର କର୍ତା ଓ ସବୁର ନିୟନ୍ତା। ଆମେ କେବଳ ନିମିତ୍ତ ମାତ୍ର। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ।

ସରକାର ଆହୁରି କହିଛନ୍ତି ଯେ ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି। ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ବ କରୋନା ମହାମାରୀ ସହିତ ଲଢୁଛି, ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିପଦରୁ ସମସ୍ତଙ୍କୁ ରକ୍ଷା କରନ୍ତୁ ବୋଲି ଏହି ଅବସରରେ ସରକାର କହିଥିଲେ।

ଆଜିର କ୍ୟାବିନେଟ୍ ଆରମ୍ଭରେ ଲଦାଖ୍‌ର ଗଲଵାନ ଉପତ୍ୟକାରେ ସହିଦ୍ ଓଡ଼ିଆ ଯବାନ ନନ୍ଦୁରାମ ସୋରେନ୍ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ଅନ୍ୟ ୨୦ ଜଣଙ୍କ ବୀର ସୈନିକଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବୈଠକରେ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର