ଶ୍ରୀମନ୍ଦିର ନିରାପତ୍ତାକୁ ହେୟଜ୍ଞାନ: ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହେଲାନି

ସିସି କ୍ୟାମେରା ଲାଗିବା ନିଷ୍ପତ୍ତି ଝୁଲିଲା

ପୁରୀ : ଚଳିତବର୍ଷ ଶ୍ରୀମନ୍ଦିରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ(ନିଷିଦ୍ଧାଞ୍ଚଳ) କୁହାଯାଉଥିବା ରୋଷଘରେ ପଶି ଦୁର୍ବୃତ୍ତ ଚୁଲି ଭାଙ୍ଗିଲେ। ସେ ପୁଣି ଗୋଟିଏ ନୁହେଁ, ଏକାଥରକେ ୪୩ଟି ଚୁଲି। ପରେ ପରେ ଶ୍ରୀମନ୍ଦିର ଗୁମୁଟରୁ ଜଣେ କିନ୍ନର ଡେଇଁ ଆତ୍ମହତ୍ୟା କଲେ। ଏହି ଦୁଇ ଚର୍ଚ୍ଚିତ ଘଟଣାକୁ କିଛି ମାସ ବିତିଛି କି ନାହିଁ, ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଘରର ୨୨ଟି ଚୁଲିକୁ ଭାଙ୍ଗି ଦିଆଗଲା। ପରେ ଶ୍ରୀମନ୍ଦିର ରୋଷଘରେ ଦୁଇ ସୁପକାରଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିଲା। ଢେଲାପଥର ଉଡ଼ିଲା। କିନ୍ତୁ ଏତେ ପରେ ବି ଚେତିଲେନି ସରକାର। ଶ୍ରୀମନ୍ଦିର ସୁରକ୍ଷାର ବଦଳିଲାନି ରୂପରେଖ। ଏହା ଭକ୍ତ, ସେବାୟତଙ୍କ ମହଲରେ ଏବେ ସମାଲୋଚନାର ବିଷୟ ପାଲଟିଛି। ଯେଉଁଠି ଶ୍ରୀମନ୍ଦିର ସୁରକ୍ଷାରେ ଏତେ ହେୟଜ୍ଞାନ କରାଯାଉଛି, ସେଠି ଭକ୍ତ କିଭଳି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଛନ୍ତି।

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଘନ ଘନ ବୈଠକ ବସିଥିଲା। ସୁରକ୍ଷା ବ୍ୟବସ୍ଥାର ଘନ ଘନ ସମୀକ୍ଷା ବି କରାଗଲା। ପରେ ଶ୍ରୀମନ୍ଦିରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରି ସେଠାରେ ଅଧିକ ଫୋର୍ସ ଓ ସିସି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହେଲା। ସମୀକ୍ଷା ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ୧୩୫ଟି ଉଚ୍ଚକ୍ଷମତା ସଂପନ୍ନ ସିସି କ୍ୟାମେରା ଲାଗିବ ବୋଲି ନିଷ୍ପତ୍ତି ହେଲା। ସିସି କ୍ୟାମେରା ଭିଡିଓ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ଯେଭଳି ଦେଖି ପାରିବେ, ସେ ବ୍ୟବସ୍ଥା କରାଯିବ ବୋଲି କୁହାଗଲା। ଏପରିକି ରାତ୍ର ପହୁଡ଼ ପୂର୍ବରୁ ଶ୍ରୀମନ୍ଦିର ଶୋଧ ବେଳେ ଜେଟିପିଙ୍କ ସହ ଓଡ଼ିଶା ପୁଲିସ ବି ରହିବେ ବୋଲି ନିଷ୍ପତ୍ତି ହେଲା। ସାପ୍ତାହିକ ସମୀକ୍ଷା କରି ସୁରକ୍ଷା ବ୍ୟବସ୍ଥାର ତ୍ରୁଟିବିଚ୍ୟୁତି ସଜାଡ଼ିବାକୁ ବି ନି‌ଷ୍ପତ୍ତି ନିଆଗଲା। କିନ୍ତୁ ନିଷ୍ପତ୍ତିର ୩ ମାସ ପରେ ବି ବଦଳିନି ସ୍ଥିତି। ଶ୍ରୀମନ୍ଦିର ଭିତରେ ରାତି ଡ୍ୟୁଟି କେବଳ ଜେଟିପିମାନେ କରୁଛନ୍ତି। ଓଡ଼ିଶା ପୁଲିସ କିମ୍ବା ରିଜର୍ଭ ପୁଲିସଙ୍କ ଦେଖାଦର୍ଶନ ମିଳୁନି। ସିସି କ୍ୟାମେରା କେବେ ଲାଗିବ, ତାହା ଅନିଶ୍ଚିତତା ଭିତରେ। କାରଣ ୪ ମାସ ହେଲାଣି ଏହା ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି।

ଏ ସଂପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ କହିଛନ୍ତି, ଶ୍ରୀମନ୍ଦିରରେ ପୂର୍ବରୁ ଯେତିକି ସୁରକ୍ଷା କର୍ମୀ ଜଗୁଥିଲେ, ଏବେ ବି ସେତିକି ସୁରକ୍ଷା କର୍ମୀ ଜଗୁଛନ୍ତି। ଏଥିରେ ସଂଖ୍ୟା ବୃଦ୍ଧି ଘଟିନି। ବାକି ଶ୍ରୀମନ୍ଦିର ଚାରିଦ୍ବାରରେ ସୁରକ୍ଷା ଦାୟିତ୍ବ ଓଡ଼ିଶା ପୁଲିସ ନେଇଛି ବୋଲି ସେ କହିଛନ୍ତି। ସିସି କ୍ୟାମେରା ଲାଗିବା ସଂପର୍କରେ ଶ୍ରୀମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ରାଉତ କହିଛନ୍ତି, ସିସି କ୍ୟ‌ାମେରା ଲଗାଇବା ପୂର୍ବରୁ ଏଏସ୍‌ଆଇର ଅନୁମୋଦନ ଆବଶ୍ୟକ। ଏହା ଏବେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅନୁମୋଦନ ଅପେକ୍ଷାରେ ରହିଛି। ପ୍ରତ୍ନତତ୍ତ୍ବ ବିଭାଗ ଅନୁମୋଦନ ପରେ ସିସି କ୍ୟାମେରା ଲାଗିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର