ଶ୍ରୀମନ୍ଦିର ସୁରକ୍ଷା ଢିଲା

‘ସମ୍ବାଦ’ର ଗ୍ରାଉଣ୍ଡ ଜି‌ରୋ ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଏବେ ସବୁଠୁ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି। ବାରମ୍ବାର ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହୁଛି। ଏ ନେଇ କେନ୍ଦ୍ର ଗୃହ ବିଭାଗ, ଗୁଇନ୍ଦା ବିଭାଗ ପୁଲିସ ପ୍ରଶାସନକୁ ସତର୍କ ମଧ୍ୟ କରୁଛି। କେନ୍ଦ୍ର ସୁରକ୍ଷ‌ା ବଳ ମଧ୍ୟ ନିୟମିତ ଏଠାରେ ଯାଞ୍ଚ କରୁଛି। ସୁରକ୍ଷା ପାଇଁ ରାଜ୍ୟ ପୁଲିସ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ବ ଦେଇ ଆସୁଛି। ପୁରୀ ପୁଲିସ ମଧ୍ୟ ଏଥିପାଇଁ ସତର୍କ ଥିବା କହି ଆସୁଛି। ତେବେ ଶ୍ରୀମନ୍ଦିରର ସୁରକ୍ଷା କିଭଳି ରହିଛି, କିଭଳି ଭକ୍ତ ଓ ପର୍ଯ୍ୟଟକଙ୍କୁ ଯାଞ୍ଚ କରାଯାଉଛି, ସୁରକ୍ଷା ବଳ କେତେ ସତର୍କ, ସେମାନଙ୍କ କାର୍ଯ୍ୟଶୈଳୀ କ’ଣ ରହିଛି, ଯାଞ୍ଚ ପାଇଁ ଥିବା ଅତ୍ୟାଧୁନିକ ବ୍ୟବସ୍ଥା କାର୍ଯ୍ୟ କରୁଛି କି ନାହି, ସର୍ବୋପରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁଲିସ କେତେ ତତ୍ପର ତା’ର ବାସ୍ତବତା ପରଖିବାକୁ ‘ସମ୍ବାଦ’ ଟିମ୍ ଶ୍ରୀମନ୍ଦିର ଚାରିଦ୍ବାର, ଭିତର, ବାହାର ତିନି ଘଣ୍ଟାକାଳ ଅନୁସନ୍ଧାନ ଜାରି ରଖିଥିଲା। ତିନି ଘଣ୍ଟାର ଚିତ୍ରରୁ ଶ୍ରୀମନ୍ଦିର ସୁରକ୍ଷାର ଅସଲ ରୂପ ଯାହା ଜଣାପଡିଥିଲା ଶ୍ରୀମନ୍ଦିରକୁ କେଇଜଣ ପୁଲିସ କର୍ମଚାରୀ, ଜେଟିପିଙ୍କ ହାତରେ ଛାଡି ଦିଆଯାଇଥିଲା। ସବୁ କିଛି ମେଲା, ମୁକୁଳା ଥିଲା। ବିନା‌ ଅସ୍ତ୍ରଶସ୍ତ୍ରରେ ସୁରକ୍ଷାକର୍ମୀଙ୍କ ହାତରେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ବ ଛାଡ଼ି ଦେଇ ଉଚ୍ଚ କର୍ତ୍ତୃପକ୍ଷ ଚୁପ ଚାପ ବସିଯାଇଥିବା ଦେଖିବାକୁ ମିଳିଥିଲା।

ଗତକାଲି ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା ଅନୁସନ୍ଧାନ। ଶ୍ରୀମନ୍ଦିରର ଚାରିଦ୍ବାର ମୁକୁଳା ପଡିଥିଲା। ସେତେବେଳେ ଭକ୍ତଙ୍କ ଗହଳି ନ ଥିଲା। ପୁଲିସ କର୍ମଚାରୀଙ୍କ ଗୁଲି ଖଟି, ବେପରୁଆ ଅଙ୍ଗଭଙ୍ଗୀ ସୁରକ୍ଷା ବ୍ୟବସ୍ଥାକୁ ସୂଚାଇ ଦେଉଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ରହିଥିବ‌ା ଯାଞ୍ଚ ବ୍ୟବସ୍ଥା କେବଳ କାମଚଳା ଥିଲା। ମେଟଲା ଡିଟେକ୍ଟର ଥିଲା, ହେଲେ ଯାଞ୍ଚ ହେଉ ନଥିଲା। ସୁରକ୍ଷା କର୍ମୀଙ୍କ ପାଖରେ ବନ୍ଧୁକ ତ ନ ଥିଲା, ଏପରିକି ସାମାନ୍ୟ ବାଡ଼ିଟିଏ ମଧ୍ୟ ନ ଥିଲା। ଭକ୍ତଙ୍କ ପ୍ରବେଶ, ପ୍ରସ୍ଥାନ ଲାଗି ରହିଥିଲା। ଯିଏ ଚାହୁଁଥିଲା‌ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। କିଛି ଯାଞ୍ଚ କରାଯାଉ ନଥିଲା। ସିଂହଦ୍ବାର ନିକଟରେ ଯାଞ୍ଚ ବ୍ୟବସ୍ଥା ଅତି ଖାମଖିଆଲ ଢଙ୍ଗରେ ଚାଲିଥିଲା। ଭକ୍ତ ସୁବିଧା ପାଇଁ ହୋଇଥିବା ଧାଡି ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଥିଲା। ପୁରୁଷ ଓ ମହିଳାମାନଙ୍କ ଗୋଟିଏ ଧାଡି ରହିଥିଲା। ଧାଡି ଯେଉଁଠି ସରୁଥିଲା ସେଠାରେ ପୁରୁଷ ପୁଲିସ ଯାଞ୍ଚ କରୁଥିଲେ। ସେ ଧାଡିରେ ଥିବା ମହିଳାଙ୍କର ଆଦୌ ଯାଞ୍ଚ ହେଉନଥିଲା। ସୂଚନା କେନ୍ଦ୍ର ନିକଟରେ ଥିବା ଗଳାବାଟରେ ମଧ୍ୟ ମନଇଛା ପ୍ରବେଶ ପ୍ରସ୍ଥାନ ଚାଲିଥିଲା। ଉତ୍ତର ଦ୍ବାରରେ ପୁଲିସ କର୍ମଚାରୀ ମାନେ ବସି ଆରାମ କରୁଥଲେ। କେତେକ ନିଜ ନିଜ ମୋବାଇଲ ଦେଖିବାରେ ବ୍ୟସ୍ତ ଥିଲେ ତ ଆଉ କେତେକ ଖଟିରେ ମଜ୍ଜି ଯାଇଥିଲେ। ପଶ୍ଚିମଦ୍ବାର ମଧ୍ୟ ସୁରକ୍ଷା ବ୍ୟବସ୍ଥା ଢିଲା। ମେଟାଲ ଡି‌ଟେକ୍ଟର ଦେଇ କିଏ ଯାଉଥିଲା , କିଏ ଯାଉ ନଥିଲା ଏ ନେଇ କେହି ମୁଣ୍ଡ ଖେଳାଉ ନ ଥିଲେ। କହିବାକୁ ଗଲେ ଚାରିଦ୍ବାର ମୁକୁଳା ପଡିଥିଲା। ଓ୍ବାଚ ଟାୱାରରେ ପୁଲିସ ଦେଖାଯାଉ ନଥିଲେ। ଜଣେ ପୁଲିସ କର୍ମଚାରୀଙ୍କ କହିବା କଥା ୱାଚ୍‌ଟାୱାରରେ କାଳେ ୨୪ ଘଣ୍ଟା ପୁଲିସ ଲୁଚି କି ରହନ୍ତି, ସେ କାହାକୁ ଦିଶନ୍ତି ନାହିଁ ଏ ଉତ୍ତର ମିଳିଥିଲା।

ସମ୍ବନ୍ଧିତ ଖବର