ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା! ନାଟମଣ୍ଡପକୁ ଚଢ଼ିଗଲେ ଯୁବକ, ୪ଥର ଘଟିଲା ଏହିଭଳି ଘଟଣା

ପୁରୀ : ସୁରକ୍ଷା ବଳୟକୁ ଭେଦକରି ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିଯାଇଛନ୍ତି ଜଣେ ଯୁବକ। ଯୁବକ ଜଣକ ଗଞ୍ଜାମ ଜିଲ୍ଲାର ଜିତୁ ଗୌଡ଼ (୩୨) ବୋଲି ପରିଚୟ ଦେଇଛନ୍ତି। ରବିବାର ପୂର୍ବାହ୍ନରେ ସେ ମାଜଣା ମଣ୍ଡପ ଦେଇ ନାଟମଣ୍ଡପ ଉପରକୁ ପ୍ରାୟ ୧୦୦ ଫୁଟ ପର୍ଯ୍ୟନ୍ତ ଚଢ଼ିଯାଇଥିଲେ। ଏହା ଦୃଷ୍ଟିକୁ ଆସିବା କ୍ଷଣି ଜଣେ ଚୁନରା ସେବାୟତ ତାଙ୍କୁ ଧରି ପୁଲିସ୍‌ ଜିମା ଦେଇଛନ୍ତି। ସିଂହଦ୍ବାର ଥାନା‌ରେ ଜିତୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। କାହିଁକି ସେ ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରୁଥିଲେ, ତାହା ସ୍ପଷ୍ଟ ହୋଇନାହିଁ। ଶ୍ରୀମନ୍ଦିର ଉପରକୁ ଚଢ଼ିଯିବା ଘଟଣା ଏହା ପ୍ରଥମ ନୁହେଁ। ନିକଟ ଅତୀତରେ ଏଭଳି ଘଟଣା ଚାରିଥର ଘଟିଛି। ଫଳରେ, ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ୨୦୧୯ ମସିହା ଏପ୍ରିଲ୍‌ ୨୦ ତାରିଖରେ ଭଦ୍ରକର ହାତିଆ ମହନ୍ତ ନାମକ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ି ଯାଇଥିଲେ। ପୂର୍ବଦିନ ମାଙ୍କଡ଼ଟିଏ ପର୍ସ ନେଇ ମନ୍ଦିର ଚୂଡ଼ାକୁ ପଳାଇଥିବାରୁ ବ୍ୟକ୍ତି ଜଣକ ଏହି ଟଙ୍କା ଆଣିବା ଆଶାରେ ଶ୍ରୀମନ୍ଦିର ଉପରକୁ ଚଢ଼ି ଯାଇଥିଲେ। ସେତେ‌ବେଳେ ସେ ବିମଳାଙ୍କ ମନ୍ଦିର ନିକଟରେ ଏଏସ୍‌ଆଇ ପକ୍ଷରୁ ଲଗାଯାଇଥିବା ଶିଡ଼ି ଦେଇ ଶ୍ରୀମନ୍ଦିର ଚୂଡ଼ାକୁ ଚଢ଼ିଥିଲେ। ଏପରିକି ନୀଳଚକ୍ର ବାନା ଛିଣ୍ଡାଇ ଆଣିଥିଲେ। ସେ ମନ୍ଦିର ତଳକୁ ଓହ୍ଲାଇବା ପରେ ସିଂହଦ୍ବାର ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଚଳିତବର୍ଷ ମେ ୩ ତାରିଖରେ ସିଂହଦ୍ବାର ଗୁମୁଟକୁ ଚଢ଼ି ଡେଇଁ ପଡ଼ିବାରୁ ଜଣେ କିନ୍ନରଙ୍କର ମୃତ୍ୟୁ ହୋଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟା ପୋଖରୀ କୋଠାସାରିର ଅରକ୍ଷିତ ରାଉତଙ୍କ ପୁତ୍ର ବଳରାମ ଅତ୍ୟଧିକ ମାନସିକ ଚାପ‌ରେ ଥିବାରୁ ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତ ପରେ କହିଥିଲା। ଶ୍ରୀମନ୍ଦିର ଗୁମୁଟରୁ ପଡ଼ି ମୃତ୍ୟୁ ଘଟଣା ଥିଲା ପ୍ରଥମ। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମାଲୋଚନା କରାଯାଇଥିଲା। ସେହିପରି କିନ୍ନରଙ୍କ ମୃତ୍ୟୁର ମାତ୍ର ୧୩ ଦିନ ପରେ ମେ ମାସ ୧୬ ତାରିଖରେ ପୁନର୍ବାର ସେଇଭଳି ଘଟଣାର ପୁନରାବୃତ୍ତି ହୋଇଥିଲା। ବଙ୍ଗୀୟ ପର୍ଯ୍ୟଟକ ରାକେଶ ହାଜରା (୨୦) ଶ୍ରୀମନ୍ଦିର ଉପରକୁ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ସେବାୟତ, ଜେଟିପି ଓ ପୁଲିସ୍‌ ତାଙ୍କୁ କୌଶଳକ୍ରମେ ଉଦ୍ଧାର କରିଥିଲେ।

ମାଳମାଳ ପୁଲିସ୍‌ ଓ ଜେଟିପିଙ୍କ ପହରା ଭିତରେ ବାରମ୍ବାର କିପରି ଲୋକେ ଶ୍ରୀମନ୍ଦିର ଉପରକୁ ଚଢ଼ୁଛନ୍ତି ଏବଂ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ କିଭଳି ସେମାନଙ୍କୁ ଦେଖି‌ପାରୁନାହାନ୍ତି, ସେନେଇ ପ୍ରଶ୍ନ ଉଠିଛି। ଜିତୁ ଗୌଡ଼ ସୁରକ୍ଷା ବଳୟ ଭେଦକରି ନାଟମଣ୍ଡପକୁ ଚଢ଼ିବାକୁ ନେଇ ବି ସମାନ ପ୍ରଶ୍ନ ଉଠିଛି। ତେବେ, ତାଙ୍କର ମାନସିକ ବିକୃତି ଥିବା ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି। ଏଥିରେ ବାସ୍ତବତା ଅଛି ନା ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନବାଚୀକୁ ଏଡ଼ାଇବା ପାଇଁ ପୁଲିସ୍‌ ଏଭଳି ବୟାନ ଦେଉଛନ୍ତି, ତାହାକୁ ନେଇ ବି ସାଧାରଣରେ ପ୍ରଶ୍ନ ଉଠିଛି।

ଏନେଇ ଚୁନରା ସେବାୟତ ଡ.ଶରତ ମହାନ୍ତି କହିଛନ୍ତି, ଲଗାଣ ବର୍ଷା ଯୋଗୁ ଖସଡ଼ା ଥିବାରୁ ଚୁନରା ସେବାୟତମାନେ ବି ଶ୍ରୀମନ୍ଦିରକୁ ବାନା ବାନ୍ଧିବା ପାଇଁ ଚଢ଼ିବାବେଳେ ଯତ୍ନ ସହକାରେ ଯାଉଛନ୍ତି। ଏଭଳି ସ୍ଥଳେ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢ଼ିବା ନିଶ୍ଚୟ ଆହ୍ବାନପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର