ଦକ୍ଷିଣା ବଦଳରେ ବିକ୍ରି ‌ହେଉଛି ଶ୍ରୀମନ୍ଦିର ସେବାପୂଜା

ବେଶ, ଛପନ ଭୋଗ ବି ପଡ଼ୁନି ବାଦ୍‌ , ମନ୍ଦିର ବାହ‌ାରେ ପୂଜାପଣ୍ଡା ଓ ସିଂହାରୀ ସେବକଙ୍କ ପୂଜା ଭିଡିଓ ଭାଇରାଲ

ପୁରୀ : ଟଙ୍କା ଦେଲେ ମହାପ୍ରଭୁଙ୍କ ଅବିକଳ ବେଶ ‌ହୋଇପାରୁଛି। ଏମିତିକି ଛପନ ଭୋଗ, ପୂଜା ନୀତି ବି। ଖାଲି ସେତିକି ନୁହେଁ, ଠାକୁରଙ୍କର ଗୁପ୍ତ ନୀତି; ଯାହାକୁ ନେଇ କାହିଁ କେଉଁ କାଳରୁ ଭକ୍ତ ମଧ୍ୟରେ ରହିଛି ପ୍ରବଳ ଉତ୍ସୁକତା, ତାହା ମଧ୍ୟ ଟଙ୍କା ବଦଳରେ ସହଜରେ ଉପଲବ୍ଧ ହେଉଛି। ଗୋଟିଏ ପଟେ ଅନ୍‌ଲାଇନ୍‌ରେ ଅବଢା ବିକ୍ରିକୁ ବିରୋଧ କରାଯାଉଛି। ସେପଟେ ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ନୀତି, ‌ସେବାପୂଜା, ଭୋଗ ପ୍ରସ୍ତୁତିକୁ ଖୋଲାଖୋଲି ବଜାରରେ ବିକ୍ରି କରାଯାଉଛି। ଆଜି ଶ୍ରୀମନ୍ଦିରର କିଛି ସିଂହାରୀ ସେବକ ଓ ପୂଜାପଣ୍ଡା ସେବକ ପୁରୀ ବାହାରେ ଏକ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଅବିକଳ ପୂଜା ନୀତି ଓ ଭୋଗ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ବିବାଦ ମୁଣ୍ଡ ଟେକିଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଜଣେ ବଙ୍ଗାଳୀ ଭକ୍ତଙ୍କ ଦ୍ବାରା ପରିଚାଳିତ ମନ୍ଦିରରେ ଏହି ପୂଜା କରାଯାଇଥିବା ଜଣାପଡିଛି। ତେବେ ମୋଟା ଅଙ୍କର ଦକ୍ଷିଣା ବଦଳରେ ମହାପ୍ରଭୁଙ୍କ ‌ଅବିକଳ ସେବା ପୂଜା କରିବାକୁ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଶ୍ରୀମନ୍ଦିରରେ ଦୈନନ୍ଦିନ ମହାପ୍ରଭୁଙ୍କ ସେବା ପୂଜା କରୁଥିବା ସେବକମାନେ ବାହାରେ ଯାଇ ଏଭଳି ପୂଜା କରିବା ଘଟଣାକୁ ନେଇ ପୁରୀରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରତିଦିନ ଶ୍ରୀମନ୍ଦିର‌ରେ ମହାପ୍ରଭୁଙ୍କ ‌ସେବା ପୂଜା କରିଥା‌ନ୍ତି ପୂଜାପଣ୍ଡା ସେବକ ଓ ସିଂହାରୀ ସେବକ। ଭାଇରାଲ୍‌ ଭିଡିଓରେ ଅବକାଶ ଓ ତର୍ପଣ ସାଙ୍ଗକୁ ଅବିକଳ ପାତ୍ର, ଭୋଗ ସବୁ ରଖାଯାଇଛି। ମନ୍ତ୍ର ବି ଉଚ୍ଚାରଣ ହେଉଛି। ତେବେ ମହାପ୍ରଭୁଙ୍କ ‌ସେବା ପୂଜାର ଏଭଳି ଅବିକଳ ନକଲ ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ ମତ ଦେଇଛନ୍ତି। ଶ୍ରୀମନ୍ଦିରରେ ଜଣାଶୁଣା ପୂଜାପଣ୍ଡା ଓ ମହାପ୍ରଭୁଙ୍କ ଅବକାଶ କରୁଥିବା ସିଂହାରୀ ‌ସେବକଙ୍କୁ ଏ ପୂଜାରେ ସଂପୃକ୍ତ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରରେ ରନ୍ଧାଯାଇଥିବା ଭୋଗ ମଧ୍ୟ ଶ୍ରୀମନ୍ଦିର ଶୈଳୀରେ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ସେବା, ପୂଜାର ଏକ ସ୍ବତନ୍ତ୍ରତା ରହିଛି। ହଜାର ହଜାର ବର୍ଷ ଧରି ଏହା ଗୁପ୍ତ ରହିଛି। ଏହାକୁ ଏତେ ଶସ୍ତ‌ା ନକରିବାକୁ ଅନେକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର