କରୋନା କଟକଣା ଯୋଗୁଁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା : ଏପ୍ରିଲ ପହିଲା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଧାର୍ମିକ ପୀଠ ବନ୍ଦ

ପୂର୍ବଭଳି ଚାଲିବ ନୀତିକାନ୍ତି, ଭକ୍ତ ହତାଶ
ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା
ଶଙ୍କରାଚାର୍ଯ୍ୟ, ମୁକ୍ତମଣ୍ଡପର ନିଆଯାଇନି ମତ

ପୁରୀ : ଶହ ଶହ ବର୍ଷର ଶ୍ରୀମନ୍ଦିର ଇତିହାସରେ ଯାହା କେବେ ଘଟିନଥିଲା ତାହା ଆଜି କରୋନା କଟକଣା ଯୋଗୁଁ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜମାନ ଥାଇ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ। ଗର୍ଭଗୃହରେ ଏକା ଏକା ରହିବେ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଶ୍ରୀମନ୍ଦିର ପ୍ରକମ୍ପିତ ହେବ ନାହିଁ। ଶ୍ରୀମନ୍ଦିର ଭକ୍ତ ଶୂନ୍ୟ ହୋଇପଡିବ, କୋଳାହଳ ଶୁଭିବନି, ପ୍ରତିହାରୀ ସେବକ ବି ଗହଳିରେ ବେତ ମାଡ କରିବେ ନାହିଁ, ବ୍ୟାକୁଳ ଭକ୍ତ ବି ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହେବେ। ଆନନ୍ଦ ବଜାର ଖାଁ ଖାଁ ହୋଇଯିବ। ଭକ୍ତ ବିନା ଭାବର ଠାକୁର ଚତୁର୍ଦ୍ଧାମୂର୍ତ୍ତିଙ୍କ ଉପରେ ଏ ପ୍ରକାର କରୋନା କଟକଣା ଲଦି ଦିଆଯାଇଛି।

କରୋନା ମହାମାରୀକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ଏଭଳି କଟକଣା ଲଗାଇଛି। ଆସନ୍ତାକାଲିଠାରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ପାଇବେ ନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଭକ୍ତ ହତାଶ ହୋଇପଡିଛନ୍ତି।
ମହାମାରୀର ମୁକାବିଲା ପାଇଁ ବାଧ୍ୟବାଧକତାରେ ଭକ୍ତ ଓ ଭଗବାନଙ୍କୁ ଅଲଗା ହେବାକୁ ପଡିଛି।

ସଂକ୍ରାମକ ରୋଗ ଆଇନ ୧୮୯୭ ସେକସନ(୨)୧ ବଳରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ତାଙ୍କ କ୍ଷମତାର ଉପଯୋଗ କରି ଏଭଳି ଏକ ବିରାଟ ନିଷ୍ପତ୍ତି ନେଇଛନ୍ତି। ଭକ୍ତ, ସେବାୟତ ଓ ଏଠାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଦେବାଳୟରେ ସାମାଜିକ ଦୂରତା ହ୍ରାସ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଭକ୍ତମାନେ ଏଥିରେ ସହଯୋଗ କରିବାକୁ ପୁରୀ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଧାରରେ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ଏ ସଂପର୍କରେ ନୀତି ସବ୍ କମିଟି ଓ ଛତିଶାନିଯୋଗର ପରାମର୍ଶ ନିଆଯାଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ମୁତାବାକ, ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦର୍ଶାନାର୍ଥୀଙ୍କ ପାଇଁ କଟକଣା ଲାଗୁ କରାଯାଇଛି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୦ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଏହି କଟକଣା ବଳବତ୍ତର ରହିବ। ତେବେ ଏହି ୧୪ ଦିନ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତିରେ କୌଣସି ବ୍ୟାଘାତ ହେବ ନାହିଁ। ପରମ୍ପରା ମୁତାବକ, ଯଥାରୀତି ସେବାୟତମାନେ ମନ୍ଦିର ଯାଇ ମହାପ୍ରଭୁଙ୍କ ସେବା ପୂଜା କରିବେ। କେବଳ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିବ। ଏହା ପୂର୍ବରୁ ଛତିଶାନିଯୋଗ ବୈଠକର ନିଷ୍ପତ୍ତି ମୁତାବକ, ମନ୍ଦିର ପ୍ରବେଶ, ସ୍ବଚ୍ଛତା ଉପରେ କଟକଣା ଲଗାଯାଇଥିବା ବେଳେ ଆଜି ଭକ୍ତ ଦର୍ଶନ ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛନ୍ତି।

ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଗବେଷକ, ଭକ୍ତ, ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି। ମହାମାରୀ ମୁକାବିଲା ପାଇଁ ଏହାକୁ କେତାକାଂଶରେ ସ୍ବାଗତ କରାଯାଇଥିବା ବେଳେ ଅନ୍ୟ କିଛି ଏହାକୁ ସମାଲୋଚନା କରିଛନ୍ତି। ଇତିହାସରେ ଅନେକ ମହାମାରୀ, ବିପର୍ଯ୍ୟୟ ଆସିଛି ମାତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ବିଜେ ଥାଇ ଭକ୍ତ ଦର୍ଶନ ବନ୍ଦ ହୋଇନାହିଁ। କେବଳ ମହାପ୍ରଭୁ ପାତାଳି ହୋଇଥିବା ଓ ମହାପ୍ରଭୁ ମନ୍ଦିରରେ ନଥିବା ବେଳେ ଦର୍ଶନ ବନ୍ଦ ରହୁଥିଲା। ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖିବାକୁ ଏତେ ବଡ ନିଷ୍ପତ୍ତି ନେଇଥିବା ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡିନାହିଁ। ଏ ସଂପର୍କରେ ମୁକ୍ତିମଣ୍ଡପର ମଧ୍ୟ ପରାମର୍ଶ ନିଆଯାଇନଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ, ବିନା ପରାମର୍ଶରେ ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପୁରୀର ସ୍ଥାନୀୟ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଧାର୍ମିକ ପୀଠ ବନ୍ଦ
ଭୁବନେଶ୍ବର : କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଧର୍ମାନୁଷ୍ଠାନଗୁଡ଼ିକୁ ଏପ୍ରିଲ୍‌ ୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ବାରା ଆଦି ଧାର୍ମିକ ଅନୁଷ୍ଠାନକୁ ଆସନ୍ତାକାଲିଠାରୁ ଏପ୍ରିଲ୍‌ ୧ ଯାଏ ବନ୍ଦ ରଖିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ‌େନବେ। ତେବେ ଏଠାରେ ପୂର୍ବ ପରି ନୀତିକାନ୍ତି ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏସବୁ ପ୍ରତିକାରମୂଳକ ନିୟମାବଳୀକୁ ପାଳନ କରିବା ପାଇଁ ଗତକାଲି ଧର୍ମାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ଯଦି କୌଣସି ଧାର୍ମିକ ଅନୁଷ୍ଠାନ ଏହି ପଦକ୍ଷେପ ନେବାରେ ଅସମର୍ଥ ହୁଅନ୍ତି, ତେବେ ସେମାନେ ତୁରନ୍ତ ସେହି ଅନୁଷ୍ଠାନରେ ଯାତ୍ରୀଙ୍କ ପ୍ରବେଶକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେବା ଜରୁରି ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର