ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ପ୍ରସଙ୍ଗ : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ଗୃହ କମିଟିର ପ୍ରଥମ ବୈଠକ ସ୍ଥଗିତ

କଟକ : ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହାଇକୋର୍ଟର ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ଓ ଅନୁପ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ମହାପ୍ରଭୁଙ୍କ ଟଙ୍କା ପୁରୀସ୍ଥିତ ୟେସ୍ ବ୍ୟାଙ୍କରେ ଦୀର୍ଘମିଆଦି ଜମା ଆକାରରେ ରଖାଯାଇଥିଲା। ୟେସ୍ ବ୍ୟାଙ୍କର ସ୍ଥିତି ଭଲ ନଥିବା କଥା ୨୦୧୭ରୁ ସ୍ପଷ୍ଟ ହୋଇଥିବାବେଳେ କେଉଁ ପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜାତୀୟକରଣ ବ୍ୟାଙ୍କରେ ନ ରଖି ଏକ ଘରୋଇ ବ୍ୟାଙ୍କରେ ଜମା କରାଯାଇଥିଲା ତାହା ଏବେ ଜଣା ପଡୁନାହିଁ। କାହା ସ୍ବାର୍ଥରେ ଏପରି କରାଯାଇ ଥିଲା ତାହା କିଛି ସ୍ପଷ୍ଟ କରାଯାଉ ନାହିଁ। ୟେସ୍ ବ୍ୟାଙ୍କର ତ୍ରୈମାସିକ କ୍ଷତି ୧୮,୬୫୪ କୋଟି ହୋଇଥିବା ବେଳେ ଏ ନେଇ ‘ସମ୍ବାଦ’ର ୨୦୨୦, ମାର୍ଚ୍ଚ ୧୯ ତାରିଖ ସଂସ୍କରଣରେ ଖବର ପ୍ରକାଶ ପାଇଥିଲା। ଏଥିରୁ ୟେସ୍ ବ୍ୟାଙ୍କର ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇଛି। ଏଭଳି ଘଟଣାର ତଦନ୍ତ କରାଯିବା ଉଚିତ। ଆବେଦନକାରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ମହାପ୍ରଭୁଙ୍କ ସେବାପୂଜା, ନୀତିକାନ୍ତି ପାଇଁ ୟେସ୍ ବ୍ୟାଙ୍କରେ ଥିବା ଟଙ୍କା ଗୁରୁତ୍ବପୂର୍ଣ୍ଣ। ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ପ୍ରାୟ ୫୯୦ କୋଟି ଟଙ୍କାକୁ ଷ୍ଟେଟ୍ ବ୍ୟାଙ୍କ ବା ‌ଅନ୍ୟ କୌଣସି ଜାତୀୟକରଣ ବ୍ୟାଙ୍କକୁ ଫେରାଇ ଆଣିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ। ଏଥିସହିତ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପାଇଁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସଂପର୍କିତ ରେକର୍ଡ ତଲବ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ଆଇନ ସଚିବ, ଅର୍ଥ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର ଫାଉଣ୍ଡେସନ୍ କମିଟି, ଶ୍ରୀଜଗନ୍ନାଥ ମନ୍ଦିର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଆଇନମନ୍ତ୍ରୀ ତଥା ଫାଉଣ୍ଡେସନ୍ କମିଟି ସଂଯୋଜକ, ମୁଖ୍ୟ ଶାସନ ସଚିବ, ଦେବୋତ୍ତର କମିସନର, ପୁରୀ ଜିଲ୍ଲାପାଳ, କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର, ଆଞ୍ଚଳିକ ନିର୍ଦ୍ଦେଶକ, ୟେସ୍ ବ୍ୟାଙ୍କ ଏମଡି, ସିବିଆଇ ନିର୍ଦ୍ଦେଶକ, ସିବିଆଇ ଏସପିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଗୃହ କମିଟିର ପ୍ରଥମ ବୈଠକ ସ୍ଥଗିତ
ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ଗଠିତ ବିଧାନସଭାର ଗୃହ କମିଟିର ପ୍ରଥମ ବୈଠକ ଆସନ୍ତା ୧୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା। ତେବେ ବୈଠକକୁ ସ୍ଥଗିତ ରଖାଯାଇଛି। ଆଜି ବିଧାନସଭାର ସଚିବ ଦାଶରଥୀ ଶତପଥୀ ଏ ନେଇ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଛନ୍ତି। ବୈଠକ ସ୍ଥଗିତ ରଖାଯିବାର ନିର୍ଦ୍ଦିଷ୍ଟ କାରଣ ଏଥିରେ ଦର୍ଶାଯାଇନି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୃହ କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ଲକ୍ଷ୍ମଣ ମୁଣ୍ଡା, ତାରା ପ୍ରସାଦ ବାହିନୀପତି, ଅତନୁ ସବ୍ୟସାଚ୍ଚୀ ନାୟକ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୋହନ ଚରଣ ମାଝୀ ଓ ପ୍ରତାପ କେଶରୀ ଦେବ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର