ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗ : ଗଠନ ହେଲା ଗୃହ କମିଟି, ଟଙ୍କା ଫେରାଇ ଆଣିବାକୁ କମିଟି ଦେବ ସ୍ମାରକପତ୍ର

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ବିଧାନସଭାର ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୃହ କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଲକ୍ଷ୍ମଣ ମୁଣ୍ଡା, ତାରା ପ୍ରସାଦ ବାହିନୀପତି, ଅତନୁ ସବ୍ୟସାଚୀ ନାୟକ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୋହନ ଚରଣ ମାଝୀ ଓ ପ୍ରତାପ କେଶରୀ ଦେବ ସଦସ୍ୟ ଅଛନ୍ତି।

ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ତଦନ୍ତ କରିବାକୁ ଗୃହ କମିଟି ଗଠନ କରିବା ପାଇଁ ଗତକାଲି ବିଜେପି ଓ କଂଗ୍ରେସ ଦାବି କରିଥିଲେ। କିନ୍ତୁ ଆଜି ଗଠିତ କମିଟି ଜମା ପ୍ରସଙ୍ଗରେ ତଦନ୍ତ କରିବ କି ନାହିଁ, ତାହା ସ୍ପଷ୍ଟ କରାଯାଇ ନାହିଁ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପକ୍ଷରୁ ଆଗତ ପ୍ରସ୍ତାବରେ କେବଳ କମିଟି ରାଜ୍ୟପାଳ, ଆର୍‌ବିଆଇଙ୍କୁ ୟେସ୍‌ ବ୍ୟାଙ୍କ‌ରେ ଜମା ଥିବା ଶ୍ରୀମନ୍ଦିର ଅର୍ଥକୁ ଫେରାଇବା ପାଇଁ ସ୍ମାରକପତ୍ର ଦେବ ବୋଲି ଉଲ୍ଲେଖ ଅଛି। କମିଟିର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ବୈଠକ ବସି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। କମିଟି ଗଠନ ପରେ ଗୃହ କାର୍ଯ୍ୟ ୨୯ ତାରିଖ ଯାଏ
ବନ୍ଦ କରିଦିଆ ଯାଇଥିବାରୁ ବିରୋଧୀ ଦଳ ଗୃହରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଗତକାଲି ଶ୍ରୀମନ୍ଦିର ଜମା ପ୍ରସଙ୍ଗରେ ମୁଲତବୀ ଆଲୋଚନା‌ ବେଳେ ଗୃହ କମିଟି ଗଠନ କରିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଅର୍ଥ ମନ୍ତ୍ରୀ କମିଟି କଥା ଏଡ଼ାଇ ଯାଇଥିବାରୁ କଂଗ୍ରେସ କକ୍ଷତ୍ୟାଗ କରିଥିଲା। ଆଜି ସକାଳୁ ଗୃହ କମିଟି ଗଠନ ଦାବିରେ ବିଜେପି ସଭ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ପ୍ରଶ୍ନକାଳ ହୋଇପାରି ନ ଥିଲା। ୧୧ଟା ୩୦ରେ ମଧ୍ୟ ସେମାନେ ସମାନ ଦାବି କରି ଗୃହ ମଧ୍ୟ ଭାଗକୁ ଆସିବାରୁ ଆଉ ୧୦ ମିନିଟ୍‌ ଗୃହକୁ ମୁଲତବୀ ରଖାଯାଇଥିଲା। ୧୧ଟା ୪୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ କମିଟି ଗଠନ କରାଯିବା ନେଇ ସରକାରୀ ଦଳର ମୁଖ୍ୟ ସଚେତକ ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରସ୍ତାବ ଆଗତ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର