ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ସବୁ ଟଙ୍କା

ଅବଶିଷ୍ଟ ୧୫୬ କୋଟି ଜମାକଲେ

ପୁରୀ : ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ ଜମା ଫାଣ୍ଠି ଫେରିଛି। ପୂର୍ବରୁ ୩୮୯ କୋଟି ଟଙ୍କା ଫେରିଥିବା ବେ‌ଳେ ଆଜି ଅବଶିଷ୍ଟ ୧୫୬ କୋଟି ଟଙ୍କା ଫେରିଆସିଛି। ୟେସ୍ ବ୍ୟ‌ାଙ୍କରେ ଥିବା ମହାପ୍ରଭୁଙ୍କ ଫାଣ୍ଠିର ସମସ୍ତ ୫୪୫ କୋଟି ଟଙ୍କା ସୁଧମୂଳ ସହିତ ନିରାପଦ ଭାବେ ଫେରିଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ଫଳରେ ୟେସ୍ ବ୍ୟାଙ୍କରେ ଥିବା ଟଙ୍କା ବୁଡ଼ିବା ନେଇ ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି।

ଆଜି ୧୫୬ କୋଟି ଟଙ୍କାର ସ୍ଥାୟୀ ଜମା ଅବଧି ସରିବା ପରେ ସୁଧମୂଳ ସହିତ ୧୫୯ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମିଳିଛି। ଶେଷ ତିନି ମାସର ସୁଧ ସହିତ ଏହି ମୂଳ ଜମା ଉପରେ ମନ୍ଦିର ମୋଟ ୧୩ କୋଟି ଟଙ୍କାର ସୁଧ ପାଇଛି। ଫେରି ଆସିଥିବା ସମସ୍ତ ଟଙ୍କା ‌ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଥିବା ମନ୍ଦିର ପ୍ରଶାସନର ବ୍ୟାଙ୍କ୍ ଆକାଉଣ୍ଟରେ ଜମା ରହିଥିବା ପ୍ରଶାସନ ସୂଚନା ଦେଇଛି। ତେବେ ଏ ଟଙ୍କା ପାଇଁ ଆଜି କିଛି ବ୍ୟାଙ୍କ ପ୍ରସ୍ତାବ ଦେଇଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ୬.୦୫ ସୁଧ ପ୍ରସ୍ତାବ ଦେଇଛି। ତେବେ ଏହି ଟଙ୍କା କେଉଁଠି ରହିବ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ। ଏହା ପୂର୍ବରୁ ଗତ ୧୯ ତାରିଖରେ ଅବଧି ସରିଥିବା ୩୮୯ କୋଟି ଟଙ୍କା ମିଳିସାରିଛି। ସେଥିରେ ସୁଧ ସହ ୩୯୭ କୋଟି ୨୩ ଲକ୍ଷ ୩୬ ହଜାର ଟଙ୍କା ଫେରିଥିଲା। ସେଥିରୁ ୨୮୭ କୋଟି ଟଙ୍କା ଟେଣ୍ଡର ମାଧ୍ୟମରେ ୟୁନିଅନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ସମାନ ଭାବେ ୬.୨୬ ସୁଧ ହାରରେ ଜମା ହୋଇଛି।

ସମ୍ବନ୍ଧିତ ଖବର