ସୂର୍ଯ୍ୟୋପରାଗ ପାଇଁ ୨୫ରେ ରାତିସାରା ଖୋଲାରହିବ ଶ୍ରୀମନ୍ଦିର

ଶ୍ରୀମନ୍ଦିର ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ବନ୍ଦ ରହିବ ନୀତି

ପୁରୀ : ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ। ଏହିଦିନ ସକାଳ ୮ ଘଣ୍ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ, ଦେବନୀତି ନିଷେଧ କରାଯାଇଛି। ଯେହେତୁ ରାତି ୮ଟା ୨୦ରୁ ପାକତ୍ୟାଗ ସହ ଦେବନୀତି ନିଷେଧ କରାଯାଇଛି, ସେହି ଦୃଷ୍ଟିରୁ ଏହି ସମୟ ପରଠାରୁ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବନୀତି ନିଷେଧ କରାଯାଇଛି। ପହିଲି ଭୋଗର କୌଣସି ବି ନୀତି ଏହି ସମୟ ପରଠାରୁ ସଂପାଦନ ହେବନି। ଏହି ଦୃଷ୍ଟିରୁ ୨୫ ତାରିଖ ରାତି ୮ଟା ୨୦ରୁ ୨୬ ତାରିଖ ୮ଟା ୨୦ ମିନିଟ୍ ୮ ସେକେଣ୍ଡ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହୁଡ଼ ସହ ଅନ୍ୟାନ୍ୟ ନୀତି ନି‌ଷେଧ କରାଯାଇଛି। ଯେହେତୁ ପହୁଡ଼ ନୀତି ଅନୁଷ୍ଠିତ ହେବନି, ସେହି ଦୃଷ୍ଟିରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ରାତିସାରା ଶ୍ରୀମନ୍ଦିର ଖୋଲା ରହିବ। ଭକ୍ତମାନେ ଶ୍ରୀମନ୍ଦିର ଯାଇପାରିବେ। ମହାପ୍ରଭୁଙ୍କ ଦର୍ଶନ ବି କରିପାରିବେ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କେତେ ସମୟ ହୋଇପାରିବ, ସେ ଉପରେ କୌଣସି ନିଷ୍ପତ୍ତି ନିଆଯାଇନି। ତଥାପି ଶ୍ରୀମନ୍ଦିର ବନ୍ଦ ହେବନି। ୨୬ ତାରିଖ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହେବ। ପରେ ବିଭିନ୍ନ ନୀତି ଆରମ୍ଭ ହେବ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ମକର ସଂକ୍ରାନ୍ତିରେ ଏହି ନୀତି ଶେଷ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ କରି ପହୁଡ଼ ହେଉଛି। କିନ୍ତୁ ୨୫ ତାରିଖରୁ ୨୬ ତାରିଖ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବନାହିଁ।

ସମ୍ବନ୍ଧିତ ଖବର