କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଥ୍ୟ ରଖିବାକୁ ପୁଣି ସମୟ ଲୋଡ଼ିଛନ୍ତି ସରକାର। ହାଇକୋର୍ଟରେ ଆଜି ଏ ସଂକ୍ରାନ୍ତ ମାମଲାର ଶୁଣାଣି ସମୟରେ ଜଷ୍ଟିସ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟର ସ୍ଥିତି ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିବାକୁ ସରକାର ଆଉ ଦୁଇ/ତିନି ଦିନ ସମୟ ମାଗିଥିଲେ। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେବା ସହିତ ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲାର ପରିଚାଳନା କରୁଥିବା ଆଇନଜୀବୀ ଅନୁପ କୁମାର ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ୨୦୨୩ ଏପ୍ରିଲ ୨୫ରେ ଆବେଦନର ଶୁଣାଣି କରି କମିସନ ଅଫ୍ ଇନକ୍ବାରି ଆଇନ ଅନୁସାରେ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟର କଣ ବର୍ତ୍ତମାନ ସ୍ଥିତି ରହିଛି ସେ ନେଇ ଜୁଲାଇ ୧ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଜୁଲାଇ ୪ରେ ଅଧିକ ସମୟ ଲୋଡ଼ି ଏକ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। କମିସନଙ୍କ ନିକଟରୁ ତଦନ୍ତ ରିପୋର୍ଟ ମିଳିବା ପରେ ଏହା ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଜଷ୍ଟିସ ରଘୁବୀର ଦାସ କମିସନ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂକ୍ରାନ୍ତରେ ଜଣାଇବାକୁ ୨ ମାସ ସମୟ ପ୍ରଦାନ କରାଯାଉ ବୋଲି ସେବେ ପ୍ରାର୍ଥନା କରାଯାଇଥିଲା। ଗତ ଡିସେମ୍ବର ୧ରେ ପୁଣି ଅଧିକ ସମୟ ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଥିଲା। ହାଇକୋର୍ଟ ଅନୁମତି ଦେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଡିସେମ୍ବର ୧୫ରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ଲୋଡ଼ା। ହାଇକୋର୍ଟ ଶୀତ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ପୁଣି ସରକାରଙ୍କ ତରଫରୁ ଏହି ପ୍ରସଂଗରେ ଅବଗତ କରିବାକୁ ଅଧିକ ସମୟ ଲୋଡ଼ା ଯାଇଛି। ଏପ୍ରିଲ ୨୫ରେ ହାଇକୋର୍ଟ ଏହି ଜନସ୍ବାର୍ଥ ଆବେଦନର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ଆଇନ ସଚିବ ଓ ଗୃହ ସଚିବଙ୍କୁ ନୋଟିସ୍ ଜାରି କରିବା ସହିତ ଜୁଲାଇ ୧ ସୁଦ୍ଧା ତଦନ୍ତ କମିସନ ଦାଖଲ କରିଥିବା ରିପୋର୍ଟର ସାନି ସ୍ଥିତି ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।