ଏସ୍‌ପିଙ୍କ ନୋଟିସ୍‌ ପରେ ଫଟୋ ହଟିଲା

ଶ୍ରୀମନ୍ଦିର ଭିତର ଫଟୋ ଫେସବୁକ୍‌ରେ ଭାଇରାଲ୍‌

କ୍ଷମା ପ୍ରାର୍ଥନା କଲେ ମାଡ୍‌କେ

ପୁରୀ : ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଏହାକୁ ଭାଇରାଲ କରିବା ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ମହାରାଷ୍ଟ୍ରର ପର୍ଯ୍ୟଟକ ଆକାଶ ମାଡ୍‌କେଙ୍କ ନାମରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହେବା ପରେ ତାଙ୍କୁ ନୋଟିସ୍‌ ହୋଇଛି। ସେ ଆଜି ନୋଟିସ୍‍ ପାଇବା ପରେ ନିଜ ଫେସ୍‍ବୁକ୍‍ ପେଜ୍‌ରୁ ଫଟୋଗୁଡ଼ିକ ହଟାଇ ଦେଇଛନ୍ତି। ସେ ଏ ନେଇ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କ ଷ୍ଟାଟସ୍‌ ଅପ୍‍ଡେଟ୍‍ରେ ସେ ଲେଖିଛନ୍ତିି, ମୋ ଅଜାଣତରେ ଏଭଳି ଭୁଲ ହୋଇଯାଇଛି। ଦେଢ଼ବର୍ଷ ତଳେ ମୁଁ ପୁରୀ ଯାଇଥିଲି। ସିଂହଦ୍ଵାର ଦେଇ ଯିବା ବେଳେ କେହି ଯାଞ୍ଚ କରିନାହାନ୍ତି। ଭିତରେ ଫଟୋ ଉଠିବ ନାହିଁ ବୋଲି ଜାଣି ନଥିଲି। ଏଣୁ ଫଟୋ ଉଠାଇଥିଲି। ଏଭଳି ତ୍ରୁଟି ପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି। ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ଆଗକୁ ଏଭଳି ହେବ ନାହିଁ। ମୋର କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ଜଗନ୍ନାଥଙ୍କ ପ୍ରତି ଭକ୍ତି ରହିଛି। ଏଣୁ ମୋତେ କ୍ଷମା କରିଦିଅନ୍ତୁ ବୋଲି ସେ ଲେଖିଛନ୍ତି।

ଆକାଶ ଜଣେ ଗାଡ଼ିଚାଳକ। ତାଙ୍କ ପରିବାର ସହ ୨୦୧୬ ମସିହା ଜୁନ୍‍ ମାସରେ ସେ ପୁରୀ ଆସିଥିଲେ। ଜାନୁଆରି ୧୧ ତାରିଖରେ ଫଟୋ ଅପ୍‍ଲୋଡ୍‍ କରିଥିଲେ। ଆସନ୍ତାକାଲି ସେ ଶ୍ରୀମନ୍ଦିର ପ୍ରଶାସନ ଓ ଏସ୍‍ପିଙ୍କୁ ଲିଖିତ ଭାବେ ଅବଗତ କରାଇବେ ବୋଲି କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ପ୍ରଫୁଲ୍ଲ ମିଶ୍ରଙ୍କ ଅଭିଯୋଗକ୍ରମେ ସିଂହଦ୍ଵାର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଆକାଶ ମାଡ୍‌କେ ଓ ରାୟପୁରର ଯୁଗଳ କିଶୋର ବୈଷ୍ଣବଙ୍କ ନାମରେ ଏହି ଦୁଇଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର