ରଥଯାତ୍ରାରେ ମରାମତି ହେବ ଶ୍ରୀମନ୍ଦିର

ପାର୍ଶ୍ବ ମନ୍ଦିର ମରାମତି ପାଇଁ ପ୍ରସ୍ତୁତ ହେବ ୫ ବର୍ଷିଆ କାର୍ଯ୍ୟ ଖସଡ଼ା
ଶ୍ରୀମନ୍ଦିର ପ୍ରଶାସନ, ପ୍ରତ୍ନତତ୍ତ୍ବ ବିଭାଗ, ବୈଷୟିକ କୋର୍ କମିଟିର ବୈଠକ

ପୁରୀ : ଚଳିତ ବର୍ଷ ଜୁଲାଇ ୧୨ ତାରିଖରୁ ପବିତ୍ର ରଥଯାତ୍ରା ଆରମ୍ଭ ହେବ। ଏହି ସମୟରେ ଶ୍ରୀମନ୍ଦିର ଖାଲି ପଡ଼ୁଥିବାରୁ ଏହାର ମରାମତି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେହି ଅନୁଯାୟୀ ରତ୍ନ ସିଂହାସନରେ ଶ୍ରୀଜିଉଙ୍କ ଅନୁପସ୍ଥିତି ସମୟରେ ସମସ୍ତ ମରାମତି ଓ ରକ୍ଷଣାବେକ୍ଷଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ଉପରେ ଆଜି ଶ୍ରୀମନ୍ଦିର ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀ ଓ ବୈଷୟିକ କୋର୍‌ କମିଟି ସଦସ୍ୟଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ଏହି ଭର୍ଚୁଆଲ୍‌ ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଜାନୱହିଜ୍‌ ଶର୍ମା ଓ ବୈଜ୍ଞାନିକ ସଂରକ୍ଷଣ ବିଭାଗ ନିର୍ଦ୍ଦେଶକ ଡ. ରାମ୍‌ଜୀ ନିଗମ ପ୍ରତିନିଧିତ୍ୱ କରିଥିଲେ। ଖ୍ୟାତିସମ୍ପନ୍ନ ବିଶେଷଜ୍ଞ ଯଥା ଖଡଗ୍‌ପୁରସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନର ପୂର୍ବତନ ପ୍ରଫେସର୍ ତଥା ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ମୁଖ୍ୟ ଡ. ଏ ପି ଗୁପ୍ତା, ଏନ୍‌ ସି ପାଲ୍‌, ଡି ପି ମିଶ୍ର, ବିନ୍ଧେଶ୍ବର ପାତ୍ର ଏବଂ ଡ. ବି କେ ରଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା, କୋର କମିଟି ସଦସ୍ୟ, ରାଜ୍ୟ ପୂର୍ତ୍ତ ଓ ନିର୍ମାଣ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀମାନେ ବି ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଗର୍ଭଗୃହ ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ହେବାକୁ ଥିବା ବାର୍ଷିକ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ସମ୍ପନ୍ନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀ ମନ୍ଦିରମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଏକ ବ୍ୟାପକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା।

ସମ୍ବନ୍ଧିତ ଖବର