ରଥଯାତ୍ରାରେ ମରାମତି ହେବ ଗର୍ଭଗୃହ, ରତ୍ନଭଣ୍ଡାର କେବେ?

ପୁରୀ : ରଥଯାତ୍ରା ସମୟରେ ଗର୍ଭଗୃହ ମରାମତି ହେବା ପାଇଁ ସ୍ଥିର ହୋଇଛି। ଗତକାଲି ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହା ନିଷ୍ପତ୍ତି ହେବା ସହ ଆଗାମୀ ୫ ବର୍ଷ ପାଇଁ ହେବାକୁ ଥିବା କାମର ଏକ ୫ ବର୍ଷିଆ ଆକ୍ସନ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ) ପ୍ରସ୍ତୁତ କରୁଛି। କିନ୍ତୁ ରତ୍ନଭଣ୍ଡାର ମରାମତି ନେଇ କୌଣସି ଯୋଜନା ନାହିଁ। ଦୀର୍ଘ ଦିନରୁ ଏହି (ଭିତର)ରତ୍ନ ଭଣ୍ଡାର ଛାତର ମରାମତି ଆବଶ୍ୟକ ହେଉଛି। ଏହାର ତୁରନ୍ତ ମରାମତି କରିବା ପାଇଁ ହାଇକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସରୁ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଛି। ଏଣୁ ଏହି ଭିତର ରତ୍ନ ଭଣ୍ଡାରରେ ପାଣି ପଶି ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି।

୨୦୧୮ ମସିହା‌ରେ ରତ୍ନ ଭଣ୍ଡାର ଛାତରୁ ପାଣି ଗଳୁଥିବା ନେଇ ଭଣ୍ଡାର ମେକାପ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇବା ସହ ତୁାରନ୍ତ ମରାମତି ନେଇ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସଙ୍ଗ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉଠିଥିଲା। ମରାମତି ପାଇଁ ଏଏସ୍‌ଆଇ ଏହାକୁ ଖୋଲି ଯାଞ୍ଚ କରିବା ପାଇଁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ଏହା ପରେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ରତ୍ନଭଣ୍ଡାର ଯାଞ୍ଚ ହେବା ପାଇଁ ଯୋଜନା ହୋଇଥିଲା। ଟିମ୍‌ ରତ୍ନ ଭଣ୍ଡାରରେ ଦୁଆର ଖୋଲିବାକୁ ପହଞ୍ଚିବା ବେଳେ ଚାବି ହଜି ଯାଇଥିବା ଜଣାପଡ଼ିଥିଲା। ଏଣୁ ଯାଞ୍ଚ ସ୍ଥଗିତ ରହିଥିଲା। ଶେଷରେ ଏହାର ଏକ ନକଲି ଚାବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିଲା। ଏହି ହଜିବା-ମିଳିବା ପ୍ରସଙ୍ଗ ହାଇକୋର୍ଟକୁ ଯାଇଥିଲା। ହାଇକୋର୍ଟ ଆଦେଶ ପରେ ସରକାର ରଘୁବର ଦାସ କମିସନ ବି ବସାଇଥିଲେ। ହେଲେ ତାହାର ରିପୋର୍ଟ ମଧ୍ୟ ପ୍ରକାଶ ପାଇଲାନି। ଏହାକୁ ଖୋଲାଗଲା ନଯାଇ ପାରିବାରୁ ଯାଞ୍ଚ ହୋଇ ପାରିଲା ନାହିଁ। ଏହା ଖୋଲା ଯାଇଥିଲେ ସମସ୍ତ ରତ୍ନ ଯାଞ୍ଚ ହୋଇ ଏହାର ଛାତ ମରାମତି ହୋଇଥାନ୍ତା ଯାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ।

ଛାତ ମରାମତିରୁ ରତ୍ନ ଭଣ୍ଡାର ଯାଞ୍ଚ ପର୍ଯ୍ୟନ୍ତ କଥା ଯାଇଥିବାରୁ ବିରୋଧୀ ସରକାରଙ୍କୁ ଗୃହରେ ଘେରିଥିଲେ। ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ବିରୋଧୀ ମଧ୍ୟ ଦାବି କରିଥିଲେ। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲା ଯାଇଥିଲା। ସେତେବେଳେ ଏଥିରେ ସୁନା ଅଳଙ୍କାର ୪୫୪, ୨୩୬ ଗୋଟି ରୂପା ଅଳଙ୍କାର, ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର, ୧୮ହଜାର ୮୧୫ ଖଣ୍ଡ ପଥର, ୮ ଟି ସୁନାମୂର୍ତ୍ତି, ୬ଟି ରୂପା ବାସନ ରହିଥିଲା। ଏଣୁ ଆଉ ଖୋଲାଯିବା ଆବଶ୍ୟକତା ନାହିଁ ବୋଲି ସରକାର ଗୃହରେ ପ୍ରକାଶ କରିବାରୁ ବିରୋଧୀ ଗ୍ରହଣ କରିନଥିଲେ। ସୁପ୍ରିମ୍‌କୋର୍ଟ ଶ୍ରୀମନ୍ଦିର ସଂପତ୍ତିର ତାଲିକା ଦାଖଲ ପାଇଁ ସରକାରଙ୍କୁ ଆଦେଶ ଦେଇଥିଲେ। ହେଲେ ସରକାର ୧୯୮୫ ମସିହାର ଏହି ପୁରୁଣା ତାଲିକା କୋର୍ଟରେ ଦାଖଲ କରିଥିଲେ।

ରତ୍ନଭଣ୍ଡାର ଖୋଲିବା ପାଇଁ ଦିଲିପ ବରାଳ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଛନ୍ତି। ସେ କହିଛନ୍ତି, ରତ୍ନ ଭଣ୍ଡାର ଯାଞ୍ଚ ହେଲେ ଅନେକଙ୍କର ମୁଖା ଖୋଲିଯିବ। ଚାବି ହଜିବା, ରଘୁବର ଦାଶ ରିପୋର୍ଟ ଚାପିଦେବା, ପ୍ରସଙ୍ଗରୁ ଜଣାପଡ଼ୁଛି କି ଅନେକ ମୂଲ୍ୟବାନ ରତ୍ନ ପଥର ଏଠାରୁ ଗାୟବ ହୋଇଯାଇଛି। ଏଣୁ ଏହାକୁ ଖୋଲିବାକୁ ଚାହୁନାହାନ୍ତି। ଯଦି ନକଲି ଚାବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଛି ତେବେ ସେଥିରେ ଖୋଲା ଯାଉ ନାହିଁ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀମାନେ କହିବା ପାଇଁ ଚାହିନାହାନ୍ତି।

ସମ୍ବନ୍ଧିତ ଖବର