ଶ୍ରୀମନ୍ଦିରରେ ୨୨ ସୁଦ୍ଧା ଲାଗିବ ୪ ରୁପା ଦ୍ବାର

୩ କବାଟ ଶେଷ, ଆଜି ପହଞ୍ଚିବ ଷ୍ଟିଲ୍‌ ଫ୍ରେମ, ଷ୍ଟ୍ରଙ୍ଗ୍‌ ରୁମ୍‌ କାମ ଶେଷ, ଲାଗିଲା ସିସିଟିଭି

ପୁରୀ : ଶ୍ରୀମନ୍ଦିରର ୮ଟି ଦ୍ବାରରେ ଲାଗିବ ରୁପା ଚାଦର। ଏଥିପାଇଁ ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ସ୍ବତନ୍ତ୍ର ବର୍ମା ଟିକ୍‌ରେ ନୀଳାଦ୍ରି ଭକ୍ତ ନିବାସରେ ଗୁପ୍ତ ଭାବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ବାରରୁ ୩ ଦ୍ବାରର କାମ ‌ଶେଷ ହୋଇଛି। ବାକି ଗୋଟିଏ ଦ୍ବାରର କିଛି କାମ ବାକି ରହିଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଲୋଚନାକ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଅର୍ଥାତ୍‌ ଚଳିତ ମାସ ୨୨ ତାରିଖ ସୁଦ୍ଧା ଚାରି ପ୍ରମୁଖ ଦ୍ବାର ଲଗାଇବାକୁ ନିଷ୍ପତ୍ତି ହୋଇଛି। କଡ଼ା ସୁରକ୍ଷା ଭିତରେ ଏହି କାମ କରିବାକୁ ଷ୍ଟ୍ରଙ୍ଗ୍‌ ରୁମ୍‌ କାମ ବି ଶେଷ ହୋଇଛି। ଏ ଉପରେ କଡ଼ା ନଜର ରଖିବା ପାଇଁ ସିସି କ୍ୟାମେରା ବ୍ୟବସ୍ଥା କରାଯାଇଛି।

ରୁପା ଦ୍ବାର ନିର୍ମାଣର ଅଗ୍ରଗତି ଓ ଏହାର ଟିକିନିଖି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୁଇଟି କମିଟି ଗଠନ କରିଛି। ଗୋଟିଏ କମିଟି(ଟେକ୍ନିକାଲ୍‌ କମିଟି) କିଛି ଇଂଜିନିୟରକୁ ନେଇ ଗଠନ କରାଯାଇଥିବାବେଳେ ଅନ୍ୟଟି(ନନ୍‌ ଟେକ୍ନିକାଲ୍‌ କମିଟି) ସେବାୟତଙ୍କୁ ନେଇ ଗଠନ କରାଯାଇଛି। ଶ୍ରୀମନ୍ଦିର ଉନ୍ନ୍ରୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏହି ଦୁଇ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ, ଏ ଭିତରେ ଜୟ-ବିଜୟଦ୍ବାର, କଳାହାଟ ଦ୍ବାର ଓ ବେହେରଣ ଦ୍ବାରର କବାଟ ନିର୍ମାଣ ଶେଷ ‌ହୋଇଥିବାବେଳେ ଭୋଗମଣ୍ଡପ ଦ୍ବାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ସବୁ ଦ୍ବାରର ଲମ୍ବ ୧୫ ଫୁଟ ଓ ଓସାର ୮ ଫୁଟ ରହିଛି। ସେହି ଅନୁସାରେ ଦାତା ମୁମ୍ବାଇରେ ୮ଟି ଯାକ କବାଟର ଷ୍ଟିଲ୍‌ ଫ୍ରେମ୍‌ ତିଆରି କରିଛନ୍ତି। ମୁମ୍ବାଇରୁ ଷ୍ଟିଲ୍‌ ଫ୍ରେମ୍‌ ନେଇ ଏହି ଟ୍ରକ୍‌ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ସାରିଥିବା ଜଣାପଡ଼ିଛି। ଏହା ଶୁକ୍ରବାର ବିଳମ୍ବିତ ରାତିରେ ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ଷ୍ଟିଲ୍‌ ଫ୍ରେମ ଲାଗିବା ପରେ ଏହା ଉପରେ ରୁପାର ଚାଦର ଦିଆଯିବ।ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଅର୍ଥାତ୍‌ ଜୁଲାଇ ୨୦, ୨୧ ଓ ୨୨ ତାରିଖ, ଏହି ତିନିଦିନ ଭିତରେ ରୁପାଦ୍ବାର ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସେପଟେ ମରାମତି ତଥା କବାଟ ଲାଗିବା ସମୟରେ ମହାଲକ୍ଷ୍ମୀଙ୍କ ମୂର୍ତ୍ତି(ସୁନାର ମୂର୍ତ୍ତି) କ୍ଷତି ପହଞ୍ଚିବା ଆଶଙ୍କା ରହିଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ସେବାୟତ କମିଟି ଦାବି ରଖିଛି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ରୁପା ଚାଦର ଲାଗିବାକୁ ମୁମ୍ବାଇର ଜଣେ ଦାତା ଏ ବାବଦକୁ ଆବଶ୍ୟକ ପ୍ରାୟ ୨୩୫୦ କେଜି ରୁପା ଦାନ ସୂତ୍ରରେ ଦେଉଛନ୍ତି। ସେ ମଧ୍ୟ ଆବଶ୍ୟକ ବର୍ମା ଟିକ୍‌ ଯୋଗାଇଦେବା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି।

ସମ୍ବନ୍ଧିତ ଖବର