୮ ମାସ ହେବ ଖୋଲୁନି ଶ୍ରୀମନ୍ଦିର, ଚିନ୍ତାରେ ଦଶ ହଜାର ସେବକ ପରିବାର

ଦୁଇଟି କିସ୍ତିରେ ପ୍ରଶାସନ ଦେଇଛି ୧୦ ହଜାର

ପୁରୀ : କରୋନା କଟକଣା ଯୋଗୁ ଶ୍ରୀମନ୍ଦିର ଏବେ ଖାଁ ଖାଁ। ଦୀର୍ଘ ୮ମାସ ହେବ ଶ୍ରୀମନ୍ଦିର ବନ୍ଦ । ଭକ୍ତଙ୍କ ପ୍ରବେଶ ନଥିବାରୁ ଦାନ,ଦକ୍ଷିଣା, ଯାତ୍ରୀ ଚର୍ଚ୍ଚା ସବୁ ବନ୍ଦ। ଭୋଗ ବିକ୍ରି ବି ନାହିଁ। ପଶ୍ଚିମବଙ୍ଗ ଓ ଅନ୍ୟ ପ୍ରାନ୍ତରୁ ଭକ୍ତ ବି ଆସୁନାହାନ୍ତି। ରେଳ ଚଳାଚଳ ସ୍ଵାଭାବିକ ହୋଇନି। ଏହା ଦ୍ବାରା ଶ୍ରୀମନ୍ଦିର ସେବକ ସର୍ବାଧିକ ପ୍ରଭାବିତ ହେଉଛନ୍ତି। କରୋନା କଟକଣା ଯୋଗୁଁ ପୁରୀର ୧୦ ହଜାର ସେବକ ପରିବାର ପ୍ରଭାବିତ ହୋଇଛନ୍ତି। ୭୦୦ ସେବକ କୋଭିଡ ସଂକ୍ରମିତ ହୋଇଛନ୍ତି। ୫ ସେବକ ପ୍ରାଣ ମଧ୍ୟ ହରାଇଛନ୍ତି। ଅନ୍ୟପକ୍ଷରେ ଜାନୁଆରି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲିବ ନାହିଁ। ସେବକ ପରିବାର ବଡ଼ କଷ୍ଟରେ ଜୀବନ କାଟୁଛନ୍ତି। ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାତ୍ର ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିଛି। ତାହା ପୁଣି ସେବକ କଲ୍ୟାଣ ପାଣ୍ଠିରୁ। ସେବକ ପରିବାରଙ୍କ ମଧ୍ୟରେ ଏବେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିବା ପ‌ରେ ‌ଏବେ ସେବକ ପରିବାରରେ ଭାଳେଣି ପଡ଼ିଛି। ସରକାର ସମସ୍ତ ସଂଗଠିତ ଓ ଅଣସଂଗଠିତ ଶ୍ରମିକ, ବ୍ୟବସାୟୀମାନଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରୁଥିବା ବେ‌‌ଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକଙ୍କ ପ୍ରତି ଆଖି ବୁଜିଦେଇଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ୯୯୦୦ ପରିବାର ନିୟୋଜିତ ରହିଛନ୍ତି। ମହାପ୍ରଭୁଙ୍କ ଦ୍ବାରା ଫିଟାଠାରୁ ଆରମ୍ଭ କରି ପହୁଡ଼ ପର୍ଯ୍ୟନ୍ତ ବଭିନ୍ନ ନିଯୋଗରେ ବିଭକ୍ତ ହୋଇ ମହାପ୍ରଭୁଙ୍କ ସେବା, ପୂଜ‌ା ଓ ଦୈନନ୍ଦିନ ନୀତି କରିଥା’ନ୍ତି। ଏଥିପାଇଁ ସେବକମାନଙ୍କୁ ୩୬ଟି ନିଯୋଗରେ ବିଭକ୍ତ କରାଯାଇଛି। ସେଥିରୁ କିଛି ପ୍ରତ୍ୟେକ୍ଷ ଓ କିଛି ପରୋକ୍ଷଭାବେ ମହାପ୍ରଭୁଙ୍କ ସେବା ପୂଜାରେ ନିୟୋଜିତ ରହିଥା’ନ୍ତି। ଏହି ସଂଖ୍ୟା ମିଶାଇଲେ ସେବକ ପରିବାର ସଂଖ୍ୟା ୧୫ ହାଜରରୁ ଅଧିକ ହେବ।

atlasobscura.com

‌ତେବେ ଶ୍ରୀମନ୍ଦିରର ଦୈନନ୍ଦିନ ସେବା, ପୂଜା, ନୀତି ପାଇଁ ତଥା ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ବୀମାଭୂକ୍ତ ହୋଇଥିବା ପରିବାର ସଂଖ୍ୟା ୯୯୦୦ ରହିଛି। ଏମାନେ ସିଧାସଳଖ ଶ୍ରୀମନ୍ଦିର ଉପରେ ନିର୍ଭର କରନ୍ତି। ପାଳିଆ ପୁରସ୍କାର, ପ୍ରାପ୍ୟ ପାଉଣା ପାଇଥା’ନ୍ତି। ଅନ୍ୟ କିଛି ଦାନଦକ୍ଷିଣ, ଯାତ୍ରୀ ଓ ଅନ୍ୟ ଉପାୟ ଉପରେ ନିର୍ଭର କରିଥା’ନ୍ତି। ସେବକ ପରିବାର ମଧ୍ୟରେ ସୁଆର ମହାସୁଆର ନିଯୋଗରେ ସର୍ବାଧିକ ସେବକ ରହିଛନ୍ତି। ଏମାନଙ୍କ ସଂଖ୍ୟା ୨ ହଜାରରୁ ଅଧିକ ବୋଲି ଜଣାପଡ଼ିଛି। ଏହା ପ‌ଛକୁ ରହିଛନ୍ତି ପ୍ରତିହାରି ସେବକ, ଦଇତାପତି ସେବକ, ସିଂହାରୀ, ପୁଷ୍ପାଳକ, ପୂଜାପଣ୍ଡା, ବିମାନବଡ଼ୁ, ସୁଆରବଡ଼ୁ, ପତ୍ରିବଡ଼ୁ, ଚୁନରା, ପାଣିଆଆପଟ, ଦେଉଳକରଣ ଏଭଳି ଅନେକ ସେବକ ପରିବାର ଶ୍ରୀମନ୍ଦିର ଉପରେ ନିର୍ଭର କରିନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମିଳୁଥିବା ପ୍ରାପ୍ୟ ପାଉଣା ସେମାନଙ୍କ ଆବଶ୍ୟକତା ମେଣ୍ଟାଇପାରୁନଥିବାରୁ ସେମାନଙ୍କ ପରିବାର ଏବେ କଷ୍ଟରେ ଚଳୁଛନ୍ତି। ଶତକଡା ୮୦ ପ୍ରତିଶତ ସେବକ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଏହି କଠିନ ସମୟରେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ କଲ୍ୟାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର, ରାମଚନ୍ଦ୍ର ଦାସମହପାତ୍ର ପ୍ରମୁଖ ଦାବି କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ସେବକଙ୍କ କଲ୍ୟାଣ କଥା ଚିନ୍ତା କରୁନାହିଁ। ମନ୍ଦିରର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏହାକୁ ବିଚାରକୁ ନେବାକୁ ସେବକ ପରିବାର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର