ଫେବ୍ରୁଆରି ୧ରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ପୂର୍ବ କଟକଣା ଭିତରେ ମହାପ୍ରଭୁଙ୍କ ଦର୍ଶନ

ସକାଳ ୬ରୁ ରାତି ୯ ପର୍ଯ୍ୟନ୍ତ ଦର୍ଶନ, ରବିବାର ଦର୍ଶନ ବନ୍ଦ, ପର୍ବପର୍ବାଣୀରେ ଖୋଲା

ପୁରୀ : ସର୍ବସାଧାରଣ ଦର୍ଶନ ପାଇଁ ଫେବ୍ରୁଆରି ୧ରୁ ଖୋଲିବ ଶ୍ରୀମନ୍ଦିର। କିନ୍ତୁ ପୂର୍ବ କଟକଣା ବଳବତ୍ତର ରହିବ। କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ। ବିଶୋଧନ ଓ ଭିଡ଼ ଏଡ଼ାଇବା ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ପର୍ବପର୍ବାଣୀରେ କିନ୍ତୁ ଶ୍ରୀମନ୍ଦିର ଖୋଲା ରହିବ। ରାତ୍ରକାଳୀନ କର୍ଫ୍ୟୁ ଯୋଗୁ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଶୁକ୍ରବାର ଦିନ ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି।

କୋଭିଡ୍‌ ସଂକ୍ରମଣ ବଢ଼ିବାରୁ ଛତିଶାନିଯୋଗ ବୈଠକ ନିଷ୍ପତ୍ତିକ୍ରମେ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଜାନୁଆରି ୩୧ ସରିବାକୁ ଯାଉଥିବାରୁ ପୁନର୍ବାର ଆଜି ଅପରାହ୍ନରେ ଛତିଶାନିଯୋଗ ବୈଠକ ଡାକି ଶ୍ରୀମନ୍ଦିର ପ୍ରଶାସନ ଫେବ୍ରୁଆରି ମାସର ସର୍ବସାଧାରଣ ଦର୍ଶନ ମାର୍ଗଦର୍ଶିକ ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭର୍ଚୁଆଲ୍‌ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

ବୈଠକ ପରେ ସୂଚନା ଦେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌ ସଂକ୍ରମଣ କମିଥିବାରୁ ସେବାୟତ ନିଯୋଗଙ୍କ ସହମତିକ୍ରମେ ଆସନ୍ତା ଫେବ୍ରୁଆରି ମାସ ପାଇଁ ମାଗଦର୍ଶିକା ଜାରି ହୋଇଛି। ଆସନ୍ତା ଫେବ୍ରୁଆରି ୧ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିବେ। ଫେବ୍ରୁଆରି ମାସରେ ୬, ୧୩, ୨୦ ଓ ୨୭ ତାରିଖ, ଏଭଳି ୪ଟି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ। ସମସ୍ତ ଭକ୍ତ ଦର୍ଶନ ସାରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ।

ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ ବି କଟକଣା ଜାରି କରାଯାଇଛି। ଭକ୍ତମାନେ ପୂର୍ବଭଳି ଆନନ୍ଦବଜାରରେ ବସି ମହାପ୍ରସାଦ ଖାଇପାରିବେ। ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍‌ଖା ସେବନରେ ବି କଟକଣା ଜାରି ହୋଇଛି। ଅମାନିଆଙ୍କୁ ୫ଶହ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ପଲିଥିନ୍‌ ବ୍ୟବହାର ବି ନିଷେଧ କରାଯାଇଛି। ଯଦି କେହି ପଲିଥିନ୍‌ ନେଇ ଧରା ପଡ଼ନ୍ତି, ଶହେ ଟଙ୍କା ଜରିମାନା କରାଯିବ। ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର