୧୬ରୁ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ୫ ଦିନ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ

୨୩ରୁ ଜିଲ୍ଲା ବାହାର ଭକ୍ତଙ୍କୁ ଦର୍ଶନ ଅନୁମତି, ଶନି-ରବିବାର ସହ ପର୍ବପର୍ବାଣୀରେ ବନ୍ଦ ରହିବ ଦର୍ଶନ

ପୁରୀ : ଅଗଷ୍ଟ ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। କୋଭିଡ୍‌ କଟକଣା ଭିତରେ ପ୍ରଥମେ ପୁରୀବାସୀ ଓ ପରେ ଜିଲ୍ଲା ବାହାର ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ବୁଧବାର ସଂଧ୍ୟାରେ ଛତିଶାନିଯୋଗ ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ପ୍ରବେଶ ତଥା ଦର୍ଶନ ପାଇଁ ଭକ୍ତଙ୍କ ପାଇଁ କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ଅବା କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ‌ଯେ‌କୌଣସି ଗୋଟିଏ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇପାରିବେ ଏବଂ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଏପ୍ରିଲରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା। କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଯଥାବିଧି ଚାଲିଥିଲା। ଜୁଲାଇ ୨୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶରେ ରୋକ୍‌ ଲଗାଯାଇଥିଲା। ଏବେ କୋଭିଡ୍‌ ସଂକ୍ରମଣ କମିବା ପରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗ ବୈଠକ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ‌ହୋଇଥିଲା। ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଡିସେମ୍ବର ମାସ ଭଳି କଟକଣା ଭିତରେ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡ. କୁମାର କହିଛନ୍ତି କି ଅଗଷ୍ଟ ୧୬ରୁ ପ୍ରଥମ ୫ ଦିନ ପୁରୀ ପୌରାଞ୍ଚଳବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ମିଳିବ। ଆଧାର କାର୍ଡ ଅବା ଅନ୍ୟ କୌଣସି ପ୍ରମାଣପତ୍ର ଦେଖାଇ ପୁରୀ ପୌରାଞ୍ଚଳବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅଗଷ୍ଟ ୨୧ ଓ ୨୨ ତାରିଖ‌ ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ୨୩ ତାରିଖରୁ ଜିଲ୍ଲା ଓ ଜିଲ୍ଲା ବାହାର ଭକ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ଜୁଲାଇ ୨୩ରୁ ଉଭୟ ପୁରୀବାସୀ ଓ ଜିଲ୍ଲା ବାହାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। କିନ୍ତୁ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ କୋଭିଡ୍‌ ଟିକାର ‌ଦୁଇଟି ଡୋଜ୍‌ ପ୍ରମାଣପତ୍ର ଅବା ୯୬ ଘଣ୍ଟାର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବ। କିନ୍ତୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ପାଇଁ ଶନି ଓ ରବିବାର ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଗକୁ ଜନ୍ମାଷ୍ଟମୀ ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ଭିଡ଼ ହେବାର ଆଶଙ୍କା ରହିଥିବାରୁ ଏହି ଦିନ ବି ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବଭଳି ମାସ୍କ, ସାନିଟାଇଜର୍‌ ବ୍ୟବହାର କଡ଼ାକଡ଼ି ପାଳନ ହେବ। ଶ୍ରୀମନ୍ଦିରର ପ୍ରତ୍ୟେକ ଦ୍ବାର ସହ ସିଂହଦ୍ବାର ସେଡ୍‌ରେ ବି ସାନିଟାଇଜ୍‌ ବ୍ୟବସ୍ଥା ରହିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବ। କିନ୍ତୁ ବରିଷ୍ଠ ନାଗରିକଙ୍କୁ ଦର୍ଶନରୁ ଯଥାସମ୍ଭବ ଦୂରେଇ ରହିବାକୁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ।

ଅନ୍ୟପଟେ ଶ୍ରୀମନ୍ଦିରରେ ଦୀପ ଲଗାଇବାରେ କଟକଣା ରଖାଯାଇଛି। ଭକ୍ତ ଆନନ୍ଦବଜାର ଯାଇ ମହାପ୍ରସାଦ କିଣିପାରିବେ, କିନ୍ତୁ ମହାପ୍ରସାଦ ସେବନରେ କଟକଣା ଲଗାଯାଇଛି। ୪ ସପ୍ତାହର ସ୍ଥିତି ଅନୁଧ୍ୟାନ ପରେ ପୁନର୍ବାର ବୈଠକ ଡାକି କଟକଣାରେ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଡ. କୁମାର କହିଛନ୍ତି। ଆର୍‌ଟିପିସିଆର୍‌ ଟେଷ୍ଟ ଓ ଟିକାକରଣ ଉପରେ ସୂଚନା ଦେଇ ଡ. କୁମାର କହିଛନ୍ତି କି ରଥଯାତ୍ରା ପରେ କେଉଁମାନେ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ଚିହ୍ନଟ ପାଇଁ ଆସନ୍ତା ୮ ତାରିଖରୁ ସେବାୟତ ଓ ସେମାନଙ୍କ ପରିବାର, ଶ୍ରୀମନ୍ଦିର କର୍ମଚାରୀ, ଅଧିକାରୀ ଓ ସେମାନଙ୍କ ପରିବାରର ଆର୍‌ଟିପିସିଆର୍‌ ଟେଷ୍ଟ ସହ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ହେବ ବୋଲି ଡ. କୁମାର କହିଛନ୍ତି।

ସମ୍ବନ୍ଧିତ ଖବର