୯ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ : ୨୩ରୁ ଖୋଲିବ ଶ୍ରୀମନ୍ଦିର

ପ୍ରଥମେ ପୁରୀବାସୀଙ୍କୁ ଦର୍ଶନ ସୁଯୋଗ
ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ
କୋଭିଡ୍‌ ନେଗେଟିଭ୍‌ ଜରୁରୀ

ପୁରୀ : ଦୀର୍ଘ ୯ ମାସ ‌ଅପେକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ଲାଗି ମହାପ୍ରଭୁଙ୍କୁ ଦର୍ଶନ କରିବାର ବେଳ ପାଖେଇ ଆସୁଛି। ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ ବୋଲି ଆଜି ଛତିଶାନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର। ତେବେ ପ୍ରଥମେ ପୁରୀ ସହରବାସୀଙ୍କୁ ମହାପ୍ରଭୁଙ୍କୁ ଦର୍ଶନର ସୁଯୋଗ ମିଳିବ। ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରଥମେ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବ। ପରେ ସ୍ଥିତି ଦେଖି ସଂଖ୍ୟା ବୃଦ୍ଧି କରାଯିବ। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କୋଭିଡ୍‌ ନେଗେଟିଭ୍ ଦେଖାଇବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି। ଆଜିର ଏହିସବୁ ନିଷ୍ପତ୍ତିରେ ମୋହର ମାରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍‌ କରାଯିବ। ରାଜ୍ୟ ସରକାରଙ୍କ ଅନୁମତି ପରେ କେଉଁସବୁ କଟକଣା ଭିତରେ ଦର୍ଶନ ହେବ ସେ ନେଇ ସ୍ବତନ୍ତ୍ର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଜାରି କରାଯିବ ବୋଲି ଶ୍ରୀ କୁମାର କହିଛନ୍ତି।

ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟ ପ୍ରଶାସକ ଶ୍ରୀ କୁମାରଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି ଓ ସଂପାଦକମାନେ ଯୋଗ ଦେଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ବୈଠକରେ ବିସ୍ତୃତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଥିଲେ ଯେ ଡିସେମ୍ବର ୨୩ରୁ କୋଭିଡ୍‌ କଟକଣା ଭିତରେ ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମେ ପୁରୀ ସହରବାସୀ ଦର୍ଶନ ସୁଯୋଗ ପାଇବେ। ଡିସେମ୍ବର ୨୩ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ୱାର୍ଡ଼ୱାରି କି ଅନ୍ୟ ଉପାୟରେ ସହରବାସୀ ଦର୍ଶନ ପାଇପାରିବେ ସେ ଉପରେ ପୌରସଂସ୍ଥା ସହ ଆଲୋଚନା ଜାରି ରହିଛି।

ନୂଆବର୍ଷରେ ଭିଡ଼ ବଢ଼ିବା ଆଶଙ୍କା ଥିବାରୁ ଜାନୁଆରି ୧ ଓ ୨ ତାରିଖରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ବନ୍ଦ ରଖାଯିବ। ଜାନୁଆରି ୩ରୁ ପୁରୀ ସହ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ। ସପ୍ତାହେ ଧରି ଅର୍ଥାତ୍‌ ଜାନୁଆରି ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାମୂଳକ ଦର୍ଶନ ଚାଲିବ। ସ୍ଥିତି ଭଲ ରହିଲେ, ଦ୍ବିତୀୟ ସପ୍ତାହରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଉତ୍ସବ ଆଦିରେ ନିର୍ଦ୍ଦିଷ୍ଟ କଟକଣା ରହିବ। ନୀତିକାନ୍ତିକୁ ପ୍ରଭାବିତ କରିବା ଭଳି କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ତେବେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ଅନୁପାଳନ ହେବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କ ପାଇଁ ମାସ୍କ, ସାନିଟାଇଜର୍‌, ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରାଯିବ। ଚାରିଦ୍ବାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯିବ। ଏହାଛଡ଼ା ପ୍ରବେଶ ପୂର୍ବରୁ ଭକ୍ତମାନଙ୍କ ପାଇଁ କୋଭିଡ୍‌-୧୯ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଟା ଭିତରର ନେଗେଟିଭ୍‌ ରିପୋର୍ଟ ଦେଖାଇ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ। ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଅବା ଆର୍‌ଟିପିସିଆର୍‌, ଯେ କୌଣସି ରିପୋର୍ଟ ଦେଖାଇ ଭକ୍ତ ଶ୍ରୀମନ୍ଦିରକୁ ଯାଇପାରିବେ। ତଥାପି ଏ ନେଇ ସ୍ବାସ୍ଥ୍ୟ ବିଭାଗ ସହ ଅଧିକ ବିଚାରବିମର୍ଶ ଜାରି ରହିଛି।

ପୂର୍ବଭଳି ନୀତିକାନ୍ତି ଅନୁଯାୟୀ ଭକ୍ତମାନେ ଉଭୟ ବାହାର ଓ ଭିତର କାଠରୁ ଦର୍ଶନ କରିପାରିବେ। ଫୁଲ, ଦୀପ ଆଦି ଦେବାରେ କଟକଣା ଲାଗିବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଫୁଲ, ଦୀପ ଓ ଧୂପ ଆଦି ବିଶୋଧନ ହେବ। ମନ୍ଦିର ଭିତରେ ଓ ବାହାରେ ସାମାଜିକ ଦୂରତା ରକ୍ଷା ପୂର୍ବକ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ। ସେବାୟତ ହୁଅନ୍ତୁ କି କର୍ମଚାରୀ, ପ୍ରବେଶ ପୂର୍ବରୁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍‌ ବୟସର ଭକ୍ତଙ୍କୁ ଦର୍ଶନ ପାଇଁ ନ ଆସିବାକୁ ନିବେଦନ କରାଯାଇଛି। ମହାପ୍ରସାଦ ସମସ୍ତେ ପାଇପାରିବେ। ଆନନ୍ଦ ବଜାରରେ ପୂର୍ବଭଳି ମହାପ୍ରସାଦ ମିଳିବ। ଶୃଙ୍ଖଳିତ ନୀତିକାନ୍ତି ଓ ଶୃଙ୍ଖଳିତ ଦର୍ଶନକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ସାହାଣମେଲା ଦର୍ଶନ ବନ୍ଦ ରହିବ। ଗଙ୍ଗା ସାଗର ବୁଡ଼ ପରେ ଅର୍ଥାତ୍‌ ଫେବ୍ରୁଆରିରୁ ଦର୍ଶନ ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି।

ଶ୍ରୀ କୁମାର ଆହୁରି କହିଛନ୍ତି ଯେ ଆଜିର ଛତିଶାନିଯୋଗ ନିଷ୍ପତ୍ତି ସଂପର୍କିତ ସମସ୍ତ ରିପୋର୍ଟ ଦୁଇ ତିନିଦିନ ଭିତରେ ରାଜ୍ୟ ସରକାରଙ୍କ ସୁପାରିସ୍ ପାଇଁ ପଠାଯିବ। ସରକାରଙ୍କ ନିଷ୍ପତ୍ତି ଆସିବାର ୫/୬ ଦିନ ଭିତରେ ଶ୍ରୀମନ୍ଦିର ଖୋଲାଯିବ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି। ଏବେ ବି କରୋନ ମହାମାରୀର ଭୟ ରହିଛି। ସେଥିପାଇଁ ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ କଟକଣା ରହିବ। ସେହି ଅନୁଯାୟୀ ସ୍ବତନ୍ତ୍ର ଏସ‌୍ଓପି ଜାରି କରାଯିବ। ଧୈର୍ଯ୍ୟର ସହ ଏହି କଟକଣାକୁ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଭକ୍ତଙ୍କୁ ନିବେଦନ କରିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏସ୍‌ଓପି ଜାରି କରାଯାଇ ପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର