ପୁରୀ : ଆଜି (ମଙ୍ଗଳବାର)ଠାରୁ ପୁଣିଥରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ସୁଯୋଗ ପାଇବେ। ୨୧ ଦିନ ଧରି ଦର୍ଶନରୁ ବଞ୍ଚିତ ହେବା ପରେ ପୁଣିଥରେ କାଳିଆକୁ ମନଭରି ଦେଖିବେ। ଏ ଉପରେ ଶ୍ରୀମନ୍ଦିର ପ୍ରଶାସନ ନୂଆ ଏସ୍ଓପି ଜାରି କରିଛି। ଛତିଶାନିଯୋଗ ବୈଠକ ନିଷ୍ପତ୍ତି ଅନୁଯାୟୀ, ପ୍ରତି ରବିବାର ଶ୍ରୀମନ୍ଦିର ବାହାର ଓ ଭିତର ବିଶୋଧନ ପାଇଁ ଦର୍ଶନ ବନ୍ଦ ରହିବ। ଅନ୍ୟଦିନ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ନୂଆ ମାର୍ଗଦର୍ଶିକ ଅନୁସାରେ ଫେବ୍ରୁ୍ଆରି ୧୭ ତାରିଖ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପଡ଼ିଲେ ୧୭ ତାରିଖରୁ ନୂଆ ଏସ୍ଓପି ଜାରି କରାଯିବ।
କୋଭିଡ୍ ସଂକ୍ରମଣ ମାତ୍ରା ବୃଦ୍ଧି ପାଇବାରୁ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଦର୍ଶନ ବନ୍ଦ କରି ଦେଇଥିଲା। ଏବେ କୋଭିଡ୍ ସଂକ୍ରମଣ କମିବା ପରେ ପୁଣିଥରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇଛି। ଭକ୍ତଙ୍କ ପାଇଁ ଜାରି ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରବେଶ ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍ଟିପିସିଆର୍ ରିପୋର୍ଟ କିମ୍ବା କୋଭିଡ୍ର ଦୁଇଟି ଡୋଜ୍ ଟିକା ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଦର୍ଶନ ପାଇଁ ଯିବେ, ସେମାନେ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ଅନୁପାଳନ କରିବେ। ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଇପାରିବେ। କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ପ୍ରତି ରବିବାର ଦର୍ଶନ ବନ୍ଦ ରହିବ ଓ ଶ୍ରୀମନ୍ଦିର ବିଶୋଧନ କରାଯିବ। ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଆଧାରକାର୍ଡ, ଭୋଟର କାର୍ଡ ସହ ଅନ୍ୟାନ୍ୟ ପରିଚୟପତ୍ର ସାଙ୍ଗରେ ଆଣିବେ।
ପୂର୍ବରୁ କୋଭିଡ୍ ନିୟମ ଉଲ୍ଲଂଘନ ଯୋଗୁ ସେବାୟତଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀ କୋଭିଡ୍ ସଂକ୍ରମଣର ଶିକାର ହୋଇଥିଲେ। ଏଥିପାଇଁ ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡ଼ିଥିଲା। ଏଣୁ ଏଥର ଏହି ନିୟମକୁ ଶ୍ରୀମନ୍ଦିର ପ୍ରଶାସନ କଡ଼ାକଡ଼ି କରିଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନ କଲେ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯିବ। ଶ୍ରୀମନ୍ଦିର ପ୍ରବେଶର ଅନୁମତି ମିଳିବନି ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପଟେ ସେବାୟତ ସଂକ୍ରମଣ ରୋକିବାକୁ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ସେବାୟତଙ୍କୁ ବୁଷ୍ଟର୍ ଡୋଜ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ ସ୍ବତନ୍ତ୍ର କ୍ୟାମ୍ପ୍ର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।