ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିଲା ଲକ୍ଷ୍ମୀଙ୍କ ମନ୍ଦିର

ପୁରୀ : ମା’ ଲକ୍ଷ୍ମୀଙ୍କ ସୁନା ମୁକୁଟରୁ ଆରମ୍ଭ ହୋଇଥିଲା ବିବାଦ। ପରିଣତି ହେଲା, ମା’ ଲକ୍ଷ୍ମୀଙ୍କ ମନ୍ଦିର ଆଜି ଶ୍ରୀମନ୍ଦିର ପ୍ରଶାସନ ଅକ୍ତିଆରକୁ ଆସିଲା। ଖୁବ୍‌ଶୀଘ୍ର ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ତିଆରି କରାଯାଇ ଏହାକୁ ନିୟନ୍ତ୍ରଣ କରାଯିବ। ମା’ ଲକ୍ଷ୍ମୀଙ୍କ ସେବକମାନଙ୍କ ସହିତ ଆଜି ରାତିରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ ସ୍ଥିର ହୋଇଛି, ମା’ ଲକ୍ଷ୍ମୀଙ୍କ ପାଇଁ ସମ୍ପୂର୍ଣ୍ଣ ସୁନାରେ ମୁକୁଟ ତିଆରି କରିବ। ଝୁମ୍ପି ଓ ମାଳା ସହ ଅନ୍ୟାନ୍ୟ କେତେକ ଗହଣା ମା’ଙ୍କ ପାଇଁ ଆବଶ୍ୟକ ହେଉଛି। ସେ ସବୁର ବ୍ୟବସ୍ଥା ଖୁବଶ୍ରୀଘ୍ର ପ୍ରଶାସନ କରିବ। ଅନ୍ୟପକ୍ଷରେ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କର ଥିବା ସମସ୍ତ ଦାନ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ହିସାବ କରାଯିବ। ଏବଂ ଲକ୍ଷ୍ମୀଙ୍କ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ଭଣ୍ଡାର ଘର ସହ ସମାନ୍ତରାଳ ଭାବରେ ଚାଲିଥିବା ମା’ ଲକ୍ଷ୍ମୀଙ୍କ ଭଣ୍ଡାର ଘର ମଧ୍ୟ ଖୋଲା ହେବ। ଏଥିରେ ଥିବା ସମସ୍ତ ସାମଗ୍ରୀ, ସୁନା ରୁପା ଅଳଙ୍କାର, ବସ୍ତ୍ର ରେକର୍ଡ କରାଯାଇ ପ୍ରଶାସନ ଅଧୀନକୁ ଅଣାଯିବ।

ଏଣିକି ଏସବୁରେ ଲକ୍ଷ୍ମୀଙ୍କ ସେବାୟତଙ୍କର ଆଉ କୌଣସି କର୍ତ୍ତୃତ୍ଵ ରହିବ ନାହିଁ। ମହାପ୍ରଭୁଙ୍କ କ୍ଷେତ୍ରରେ ଯେଉଁ ପ୍ରକ୍ରିୟା ଚାଲିଛି, ମା’ଙ୍କର କୌଣସି ଲାଗିବସ୍ତ୍ର ବା ଅଳଙ୍କାରର ଆବଶ୍ୟକ ପଡ଼ିଲେ ଅନୁରୂପ ପଦକ୍ଷେପ ନିଆଯିବ। ଠାକୁରାଣୀଙ୍କର ସମସ୍ତ ଜିନିଷ କେନ୍ଦ୍ରୀୟ ଷ୍ଟୋର୍‌ରେ ରହିବ। ମା’ ଲକ୍ଷ୍ମୀଙ୍କ ଅଙ୍ଗରୁ କୌଣସି ଗହଣା ସେବାୟତମାନେ ପ୍ରଶାସନର ବିନାନୁମତିରେ ଖୋଲି ପାରିବେ ନାହିଁ। ସେହିଭଳି କୌଣସି ସେବାୟତ ଏଠାରେ ଦାନ ଗ୍ରହଣ କରିପାରିବେ ନାହିଁ। ଭକ୍ତ ଯାହା ଦାନ କରିବାକୁ ଚାହିଁବେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ଜରିଆରେ ଦେବେ।

ଏକ ଆଦର୍ଶ ଆଚରଣ ବିଧି ପ୍ରସ୍ତୁତ କରାଯିବ। ଏହାକୁ ମାନି ସମସ୍ତ ସେବାୟତ ଚଳିବେ। ପରବର୍ତ୍ତୀ ସମୟରେ ଏହା ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ପ୍ରତି ତିନି ମାସରେ ନୀତି ପ୍ରଶାସକ ଏସବୁର ସମୀକ୍ଷା କରିବେ। ବ୍ୟବସ୍ଥାବଳୀ ଅମାନ୍ୟ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର