ଭୁବନେଶ୍ବର: ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଗତକାଲି ନିଲମ୍ବନ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଗତକାଲିଠାରୁ ବୟାନବାଜି ଜାରି ରହିଛି। ବିଜେଡିର ବରିଷ୍ଠ ନେତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ଶ୍ରୀମୟୀଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଶ୍ରୀମୟୀ ବି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଜବାବ ଦେଉଛନ୍ତି। ଫଳରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ଶ୍ରୀମୟୀଙ୍କ ଉପରେ ଫୋକସ୍ ହୋଇଛି। ଗତକାଲି ନିଲମ୍ବନ ପରେ ସିଧା ଶ୍ରୀମୟୀ ଜଣାଇ ଦେଇଥିଲେ ଯେ ସେ ନିଜର ସଦସ୍ୟତା ନବୀକରଣ କରିନାହାନ୍ତି, ଦଳ ତାଙ୍କୁ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ତାଙ୍କର ସଦସ୍ୟତାର କ୍ରମିକ ନମ୍ବର ଜଣାଇବାକୁ ବି ସେ ସିଧାସଳଖ ବିଜେଡିକୁ ଆହ୍ବାନ ଦେଇଥିଲେ। ଆଜି ପୂର୍ବାହ୍ଣରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ବର୍ଷେ ହେଲା ବିଜେଡିରେ ନାହାନ୍ତି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ।
ବିଜେଡି ଏକ ଶୃଙ୍ଖଳିତ ଦଳ। ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଏ। ଗତ ଏକ ବର୍ଷ ଭିତରେ ଶ୍ରୀମୟୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଦଳର ନେତୃତ୍ବ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହି ସମୟରେ ଦଳ ତାଙ୍କୁ ବିଭିନ୍ନ ପଦବିରେ ଦାୟିତ୍ବ ଦେଇଛି। କୌଣସି ସମୟରେ ସେ ଦଳରେ ନାହାନ୍ତି ବୋଲି ମନ୍ତବ୍ୟ ରଖିନାହାନ୍ତି। ଦଳ ତାଙ୍କୁ ବିଭିନ୍ନ ପଦ ପଦବି ଦେଇ ଯଥେଷ୍ଟ ସମ୍ମାନ ଦେଇଥିଲା, କିନ୍ତୁ ସେହି ସମ୍ମାନର ମାନ ସେ ରଖିନାହାନ୍ତି। ବିଜେଡି ପକ୍ଷରୁ ଶ୍ରୀମୟୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଫଟୋ ଓ ଭିଡିଓ ଗଣମାଧ୍ୟମକୁ ଦିଆଯାଇଥିଲା। ଅତୀତରେ ବିଭିନ୍ନ କାର୍ଯ୍ୟକ୍ରମରେ ତତ୍କାଳୀନ ୫-ଟି ସଚିବଙ୍କୁ ପ୍ରଶଂସା କରୁଥିବାର ଭିଡିଓ ବି ଦଳ ଖୋଜି ଖୋଜି ବାହାର କରିଛି। ତେବେ ସେ ସଦସ୍ୟତା ନବୀକରଣ କରିଛନ୍ତି କି ନାହିଁ, ସେ ସମ୍ପର୍କରେ କିଛି କୁହାଯାଇ ନାହିଁ। ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ବି କାର୍ଯ୍ୟାନୁଷ୍ଠାନକୁ ଯୁକ୍ତିଯୁକ୍ତ ଦର୍ଶାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଦଳର କର୍ମକର୍ତ୍ତାମାନେ ମଧ୍ୟ ଶ୍ରୀମୟୀଙ୍କୁ ଲଗାତାର ଟାର୍ଗେଟ୍ କରି ଚାଲିଛନ୍ତି।
ବିଜେଡିର ଏହି ଆକ୍ରମଣରେ ଶ୍ରୀମୟୀ ବି ନିରବ ହୋଇଯାଇ ନାହାନ୍ତି। ଗଣମାଧ୍ୟମକୁ ଆଜି ସାମନା କରିନଥିଲେ ହେଁ ସାମାଜିକ ଗଣମାଧ୍ୟମରେ ପୁଣି ୩ଟି ପୋଷ୍ଟ କରି ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ଭଳି ନେତ୍ରୀମାନେ ଗତ ୧୦ଦିନ ମଧ୍ୟରେ ମୋ ସମ୍ପର୍କରେ ଗଣମାଧ୍ୟମରେ କେତେ ପ୍ରକାରର ବୟାନରେ କେତେଥର ୟୁଟର୍ଣ୍ଣ ନେଇଛନ୍ତି ତାହା ସେମାନେ ନିଜେ ଆତ୍ମସମୀକ୍ଷା କଲେ ଜାଣିପାରିବେ। କ୍ଷମତା ପାଇଁ ନୁହେଁ ସ୍ବାଭିମାନ ଓ ଆତ୍ମସମ୍ମାନ ପାଇଁ ପ୍ରଶ୍ନ ଉଠାଇ ନିରାଶ ହୋଇଛି। ମୁଁ ଯେଉଁ ଦଳୀୟ ନେତାଙ୍କୁ ପିତାତୁଲ୍ୟ ମାନୁଥିଲି, ତାଙ୍କ ଠାରୁ ସମର୍ଥନ ଓ ନ୍ୟାୟ ଆଶା କରିଥିଲି, କିନ୍ତୁ ସେହି ସମୟରେ ତାଙ୍କ ନିରବତା ମତେ ନିରାଶ କରିଛି।
ଯେଉଁଦିନ ଜଣେ ବୟସ୍କ ବ୍ୟକ୍ତି ମତେ ସୂର୍ପଣଖା କହି ସମ୍ବୋଧନ କଲେ, ଦଳୀୟ ବିଧାୟକ ଓ ଅନ୍ୟ ସଦସ୍ୟ ମତେ ନାନାଦି ଅପଶବ୍ଦ ବ୍ୟବହାର କରି କହିଲେ, ସେତେବେଳେ ଦଳର ଆଗଧାଡ଼ିର ନାରୀ ନେତ୍ରୀମାନଙ୍କୁ କହିଥିଲି। ସମସ୍ତେ ଚୁପ୍ ରହିଲେ। କେବଳ ଉଷା ଦେବୀ ମୋତେ ସାଙ୍ଗରେ ନେଇ ନବୀନ ନିବାସ ଯାଇଥିଲେ। ସବୁ ଘଟଣା ଦଳର ସଭାପତି ଶୁଣିଲା ପରେ କେବଳ ପଦେ କହିଲେ, ‘ରାଜନୀତିରେ ଏମିତି ଘଟେ।’ ସେହିଦିନ ହିଁ ମୋର ଜୀବନର ଟର୍ଣ୍ଣିଂ ପଏଣ୍ଟ ପାଲଟିଗଲା। ମୁଁ ନା ମୋ ସଦସ୍ୟତା ନବୀକରଣ କଲି ନା କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେଲି। ଦଳୀୟ ପଦପଦବିକୁ ନେଇ ନିଜର ଆପତ୍ତି ଓ ଅସନ୍ତୋଷ ମଧ୍ୟ ନବୀନ ନିବାସକୁ ବାରମ୍ବାର ଅବଗତ କରିଛି, ଯାହାର ପ୍ରମାଣ ସମୟ ଆସିଲେ ଦେବି।
ଦଳର ସଭାପତି ନିର୍ବାଚନର ସ୍ବଚ୍ଛତାକୁ ନେଇ ବି ସେ ପ୍ରଶ୍ନ କରିଛନ୍ତି। ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ। ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ସେହିପରି ବରିଷ୍ଠ ନେତା ପ୍ରତାପ ଜେନା ଅନ୍ୟ ଜଣେ ବିଧାୟକଙ୍କ ବାସଭବନ ଭଡ଼ାରେ ନେଇ ରହୁଛନ୍ତି। ଏପରି ନିୟମ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।