ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ଦୁଇଟି ପୋଷ୍ଟ ବିଜେଡିର ଆଗ ଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି। ଯଦିଓ ସେ ନିଜ ପୋଷ୍ଟରେ କାହାରି ନାମ ନେଇ ନଥିଲେ, ତେବେ ତାହାକୁ ବିଜେଡି ଦଳବିରୋଧୀ କାର୍ଯ୍ୟର ଆଖ୍ୟା ଦେଇଛି। ସେଥି ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ କାର୍ଯ୍ୟାନୁଷ୍ଠାନରେ ଶ୍ରୀମୟୀ ଦବିଯାଇ ନାହାନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହନ୍ତି ବୋଲି ଆକ୍ଷେପ କରିବା ସହ ବର୍ଷେ ହେଲା ସେ ଦଳରେ ନାହାନ୍ତି ବୋଲି ଜଣାଇ ଦେଇଛନ୍ତି।
ନିକଟରେ ସାମାଜିକ ଗଣମାଧ୍ୟମରେ ଶ୍ରୀମୟୀଙ୍କ ଦୁଇଟି ପୋଷ୍ଟ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା। ଗୋଟିଏ ପୋଷ୍ଟରେ ସେ ଧୃତରାଷ୍ଟ୍ର ଉପାଖ୍ୟାନ ବର୍ଣ୍ଣନା କରିଥିଲେ। ଅନ୍ୟ ଏକ ପୋଷ୍ଟରେ ଭଣ୍ଡ ସନ୍ନ୍ୟାସୀ କଥା କହିଥିଲେ। ଦୁଇଟି ଯାକ ପୋଷ୍ଟରେ ସେ କାହାରି ନାମ ନେଇ ନଥିଲେ। କିନ୍ତୁ ସେ ନବୀନଙ୍କୁ ଧୃତରାଷ୍ଟ୍ର ଓ ଭି କେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ଭଣ୍ଡ ସନ୍ନ୍ୟାସୀ କହୁଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଲା। ଶ୍ରୀମୟୀ ଏହା ଉପରେ କୌଣସି ସ୍ପଷ୍ଟୀକରଣ ରଖି ନଥିଲେ। ଶ୍ରୀମୟୀ ବିଜେଡିକୁ ନୁହେଁ, ବରଂ ବିଜେପିକୁ ଲକ୍ଷ୍ୟ କରି ଏପରି ପୋଷ୍ଟ କରୁଛନ୍ତି ବୋଲି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଗଣମାଧ୍ୟମରେ ବିବୃତି ଦେଇଥିଲେ। ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଆକ୍ଷେପ ଦଳ ଭିତରେ ଯେତିକି ପ୍ରତିକ୍ରିୟା ସୃଷ୍ଟି କରି ନଥିଲା, ‘ଭଣ୍ଡ ସନ୍ନ୍ୟାସୀ’ ପୋଷ୍ଟଟି ଦଳରେ ନିଆଁ ଲଗାଇ ଦେଇଥିଲା। କିଛି ଯୁବ ନେତାଙ୍କ ମାଧ୍ୟମରେ ଶ୍ରୀମୟୀଙ୍କୁ ଟାର୍ଗେଟ୍ କରାଯିବା ସହ ଚେତାବନୀ ଦିଆଯାଇଥିଲା। ସେବେଠାରୁ ଶ୍ରୀମୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଭାସ ମିଳିଯାଇଥିଲା।
ଆଜି ଶ୍ରୀମୟୀଙ୍କ ନିଲମ୍ବନ ଆଦେଶ ବାହାରିଲା ପରେ ସେ ସାମାଜିକ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ କରି ନାହିଁ କି କରିବି ନାହିଁ ମଧ୍ୟ। ଏକ ବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ବହୁବର୍ଷ ଧରି ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ବାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହେଁ, ଆଜି ପ୍ରମାଣିତ କରିଦେଲେ। ଜୟ ଜଗନ୍ନାଥ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମଗରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ ମନେ କରୁ ନାହିଁ।
ସୂଚନାଯୋଗ୍ୟ ଯେ ଶ୍ରୀମୟୀ ମିଶ୍ରଙ୍କୁ ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଦଳ ଆପାତତଃ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ ଶ୍ରୀମୟୀ ଭୁବନେଶ୍ବରରେ ବେଶ୍ ସକ୍ରିୟ ହୋଇଥିଲେ। ସବୁ ଦଳୀୟ ସଭାସମିତିରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ହଠାତ୍ ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ବଦଳାଇ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ବରରେ ପ୍ରାର୍ଥୀ କରିଥିଲା। ସେବେ ଠାରୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କୁ ଦେଖିବାକୁ ମିଳୁନି। ଶ୍ରୀମୟୀଙ୍କୁ ବିଜେଡିର ମୁଖପାତ୍ର କରାଯିବା ସହ ସାଧାରଣ ସମ୍ପାଦିକା ଭାବେ ଦଳର ମହିଳା ଶାଖାର ଦାୟିତ୍ବ ବି ଦିଆଯାଇଥିଲା। ଆଜି ଶ୍ରୀମୟୀଙ୍କ ସହ କପ୍ତିପଦାର ପୂର୍ବତନ ବ୍ଲକ ସଭାପତି ସୁବାସ ଚନ୍ଦ୍ର ସାଇ ଓ ମୟୂରଭଞ୍ଜର ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ବି ଦଳରୁ ନିଲମ୍ବନ କରାଯାଇଛି।