ଶ୍ରୀନିବାସ ପାଇକରାୟଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ରର ଥିଲେ ଅନ୍ୟତମ ଆଦି ରୂପକାର

ଭୁବନେଶ୍ବର : ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଦି ରୂପକାର ତଥା ପଞ୍ଚସଖା ଫିଲ୍ମସ୍‌ ଓ ଦେବାଶିଷ ପିକ୍‌ଚର୍ସର ପ୍ରଯୋଜକ ଶ୍ରୀନିବାସ ପାଇକରାୟ। ଭୁବନେଶ୍ୱରସ୍ଥିତ ବାସଭବନରେ ଆଜି ଅପରାହ୍‌ଣରେ ତାଙ୍କର ଦେହାନ୍ତ ହେଇଯାଇଛି। ତାଙ୍କୁ ୮୮ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ସେ ସଞ୍ଜିବନୀ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ଗତ କିଛି ଦିନ ହେଲା ସେ କୋମାରେ ଥିଲେ। ପତ୍ନୀଙ୍କ ସହ ପୁତ୍ର ଓ ପୁତ୍ରବଧୂମାନେ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ମରଶରୀରକୁ ତାଙ୍କର ପୈତୃକ ବାସଭବନ ନରଣଗଡ଼ର ମାନପୁରକୁ ନିଆଯାଇ ଅନ୍ତିମ ସଂସ୍କାର କରାଯା‌ଇଛି।

ସ୍ବର୍ଗତ ପାଇକରାୟଙ୍କ ବିୟୋଗରେ ପଞ୍ଚସଖା ପିକଚର୍ସର ଶେଷ ଦୀପ ଲିଭିଯାଇଛି। ଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ, କୈଳାସ ଚନ୍ଦ୍ର କରଣ, ଦିନମଣି ଖୁଣ୍ଟିଆ ଓ ଶ୍ରୀ ପାଇକରାୟ ପଞ୍ଚସଖା ନାମରେ ପରିଚିତ ଥିଲେ। ଏହି ୫ ଜଣ ଭଲ ବନ୍ଧୁ ଥିଲେ ଓ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ଚଳଚ୍ଚିତ୍ର ପ୍ରତି ଶ୍ରୀ ପାଇକରାୟଙ୍କ ସମର୍ପଣ ଭାବ କାହାକୁ ଅଛପା ନଥିଲା। ଚଳଚ୍ଚିତ୍ରଟିଏ ପାଇଁ ଏହି ପଞ୍ଚସଖା ସମ ଅଂଶୀଦାର ଥିଲେ ବି ଚଳଚ୍ଚିତ୍ର ନିର୍ମାଣରେ ସିଂହଭାଗରୁ ଅଧିକ ଖର୍ଚ କରୁଥିଲେ ଶ୍ରୀନିବାସ ପାଇକରାୟ। ଏଥିସହ ଚଳଚ୍ଚିତ୍ର ଓ ଧାରାବାହିକ ସୁଟିଂ ପାଇଁ ଶ୍ରୀ ପାଇକରାୟ ନିଜର ନରଣଗଡ଼ ରାଜମହଲକୁ ଖୋଲି ଦେଇଥିଲେ।

ନୂଆବୋଉ, ମାଣିକଯୋଡ଼ି, ନବଜନ୍ମ, କିଏ କାହାର ଆଦି ଚଳଚ୍ଚିତ୍ରରେ ଶ୍ରୀ ପାଇକରାୟ ଏହି ପଞ୍ଚସଖା ପିକଚର୍ସ ସହ ସମ୍ପୃକ୍ତ ଥିଲେ। ମାଣିକଯୋଡ଼ିରେ ଏକ ଗୀତି ଦୃଶ୍ୟରେ ଅଭିନୟ ବି କରିଥିଲେ। ତେବେ ତା’ ଭିତରେ ନିଜେ ‘ଦେବାଶିଷ ପିକଚର୍ସ’ ପ୍ରଯୋଜନା ସଂସ୍ଥା ଗଢି ‘ଜୀବନ ସାଥୀ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଜୀବନ ସାଥୀର ଅଧିକାଂଶ ସୁଟିଂ ହୋଇଥିଲା ସିମଲାରେ। ପାହାଡ଼ ଘେରା ଜଙ୍ଗଲ, ନ୍ୟାରୋ ଗଜ୍‌ ଟ୍ରେନ ଲାଇନ, ଡାକବଙ୍ଗଳା କାହାଣୀରେ ଥିଲା ଓ ସେଥିପାଇଁ ସେ ସୁଟିଂ ପାଇଁ ସିମଲାକୁ ବାଛିଥିଲେ। ବହିର୍ଦୃଶ୍ୟ ପାଇଁ ଏତେ ଦୂର ଯିବା ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଥିଲା ପ୍ରଥମ। ଅନ୍ୟପଟେ ସେ ସମୟରେ ନିର୍ମ‌ିତ ହେଉଥିବା ଯେକୌଣସି ଚଳଚ୍ଚିତ୍ର ସୁଟିଂଠାରୁ ‘ଜୀବନସାଥୀ’ ଚଳଚ୍ଚିତ୍ର ସୁଟିଂରେ ଖର୍ଚ୍ଚ ହୋଇଥିବା ଟଙ୍କା ବେଶ୍‌ ଅଧିକ ଥିଲା। ଏଥିସହ ତାଙ୍କ ଚଳଚ୍ଚିତ୍ର ‘ଜୀବନ ସାଥୀ’ ସଫଳ ହୋଇଥିଲା ଓ ରାଷ୍ଟ୍ରପତିଙ୍କ ପୁରସ୍କାର ପାଇଥିଲା। ଏହି ଚଳଚ୍ଚିତ୍ରରେ ଶ୍ରୀନିବାସ ପାଇକରାୟ ଅଭିନୟ ବି କରିଥିଲେ।

ସମ୍ବନ୍ଧିତ ଖବର