ଶ୍ରୀରାମ ଚନ୍ଦ୍ର ଦାଶ ଜନ୍ମ ଶତବାର୍ଷିକ ଉତ୍ସବ : ଚୀନ୍‌ର ନୀତି ଉପରେ ଭାରତ ଗୁରୁତ୍ବ ଦେଉ

ଭୁବନେଶ୍ବର : ଏସିଆ ମହାଦେଶର ଅର୍ଥନୈତିକ ବିକାଶ ହେବା ସହ ରାଜନୈତିକ ସ୍ଥିତି ସୁଦୃଢ଼ ହେଉଛି। ଏଥିରେ ଚୀନ ପ୍ରମୁଖ ଭୂମିକା ନେଇଛି। ତା’ର ଅର୍ଥନୀତି ବହୁତ ଉପରକୁ ବଢ଼ିଛି। ଯେଉଁଥିପାଇଁ ଆମେରିକା ସହ ପ୍ରତିଦ୍ବନ୍ଦ୍ବିତା କରୁଛି। ସେଠାକାର ସରକାର ଦେଶର ସାମରିକ ସ୍ଥିତି ବଢ଼ାଇବାକୁ ଚାହୁଁଛନ୍ତି। ଭାରତ ମହାସାଗର ଉପରେ ନିଜର ଅଧିକାର ଜାହିର କରି ଆମେରିକାର ଶକ୍ତିକୁ ଚାଲେଞ୍ଜ ଦେବାକୁ ଉଦ୍ୟମ କରୁଛନ୍ତି। ଭାରତ ମଧ୍ୟ ଏସିଆ ମହାଦେଶରେ ନିଜର ସ୍ଥିତି ସୁଦୃଢ଼ କରୁଛି। ପଡ଼ୋଶୀ ଦେଶମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ର ନୀତି ଉପରେ ଭାରତକୁ ଗୁରୁତ୍ବ ଦେବାକୁ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଶ୍ରୀରାମ ଚନ୍ଦ୍ର ଦାଶ ଜନ୍ମ ଶତବାର୍ଷିକ ଉତ୍ସବରେ ସ୍ମାରକୀ ବକ୍ତୃତା ଦେଇ ପୂର୍ବତନ ରାଷ୍ଟ୍ରଦୂତ ପ୍ରଫେସର ଏସ୍‌ ଡି ମୁନି କହିଛନ୍ତି।

‘ଦକ୍ଷିଣ ଏସିଆରେ ଭାରତର ରଣନୀତିର ଗୁରୁତ୍ବ’ ଶୀର୍ଷକ ବକ୍ତୃତାରେ ଯୋଗଦେଇ ପୂର୍ବତନ ପୁଲିସ ଡିଜି ଶରତ ମିଶ୍ର କହିଲେ, ଦକ୍ଷିଣ ଏସିଆରେ ୫ଟି ପ୍ରମୁଖ ଧର୍ମର ଲୋକେ ବସବାସ କରୁଛନ୍ତି। ଯେଉଁଥିପାଇଁ ଧାର୍ମିକ ଭାବନା ଆଧାରରେ ଦକ୍ଷିଣ ଏସିଆ ଆଗକୁ ବଢ଼ୁଛି। ଭାରତ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଯେଉଁ ସବୁ ବିକାଶ ହେଉଛି ତାହା ଭାରତ କୈନ୍ଦ୍ରିକ ବୋଲି ସେ କହିଥିଲେ। ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଅନ୍ୟତମ ବକ୍ତାଭାବେ ଯୋଗଦେଇ କହିଲେ, ସାମରିକ ଦୃଷ୍ଟିରୁ ଦକ୍ଷିଣ ଏସିଆରେ ଭାରତ ଭଲ ସ୍ଥିତିରେ ରହିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଭାରତକୁ କୌଣସି ପ୍ରକାର ଚାଲେଞ୍ଜ ରହୁ ନାହିଁ। ହେଲେ ଚୀନର ଅର୍ଥନୀତି, ସାମରିକ ଶକ୍ତି ଭାରତ ତୁଳନାରେ ଭଲ ରହିଛି। ରାଜ୍ୟ ଯୋଜନା ବୋର୍ଡର ଉପଦେଷ୍ଟା ଆର ଏନ୍‌ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ପୂର୍ବତନ ଅନ୍ତର୍ଜାତୀୟ ପ୍ରଶାସକ ବିବେକ ପଟ୍ଟନାୟକ, ପୂର୍ବତନ କୁଳପତି ପ୍ରଫେସର ଜେ କେ ବରାଳ, ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟା‌ଳୟ କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଅନ୍ୟତମ ବକ୍ତା ଭାବେ ଯୋ‌ଗଦେଇଥିଲେ।

ଶ୍ରୀରାମଚନ୍ଦ୍ର ଦାଶ ମେମୋରିଆଲ୍‌ ଫାଉଣ୍ତେସନ୍‌ର ସଭାପତି ଡ.ବିପିନ ବିହାରୀ ରଥଙ୍କ ଅଧ୍ୟକ୍ଷତାରେ ଅପରାହ୍ଣରେ ଅନୁଷ୍ଠିତ ଶତବାର୍ଷିକ ଉତ୍ସବରେ ଶିକ୍ଷାବିତ୍‌ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ, ପୂର୍ବତନ ଅନ୍ତର୍ଜାତୀୟ ପ୍ରଶାସକ ବିବେକ ପଟ୍ଟନାୟକ, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଦେବଦାସ ଛୋଟରାୟ, ପୂର୍ବତନ ମୁଖ୍ୟଶାସନ ସଚିବ ଅଜିତ କୁମାର ତ୍ରିପାଠୀ ବକ୍ତାଭା‌ବେ ଯୋଗଦେଇ ଶ୍ରୀରାମ ଚନ୍ଦ୍ର ଦାଶଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ବକ୍ତାମାନେ କହିଥିଲେ ଭାରତୀୟ ଶିକ୍ଷା କ୍ଷେତ୍ରରେ ପ୍ରଫେସର ଶ୍ରୀରାମ ଚନ୍ଦ୍ର ଦାଶ ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍‌ ଥିଲେ। ତାଙ୍କର ଶିକ୍ଷାଦାନ ଶୈଳୀରେ ସ୍ବତନ୍ତ୍ରତା ଥିଲା। ଯାହାକି ସବୁ ଅଧ୍ୟାପକଙ୍କ ପାଇଁ ଅନୁକରଣୀୟ। ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତାମାନେ ଆହ୍ବାନ ଦେଇଛନ୍ତି। ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ବିବରଣୀ ପାଠ କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗର ଡ.ସ୍ମିତା ନାୟକ ସ୍ବାଗତ ଭାଷଣ, ଡ. ସୀମା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ପରେ ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର