ଆଜିଠାରୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ‘ନିଧି ସମର୍ପଣ ଓ ସଂପର୍କ ଅଭିଯାନ’

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶାର ସହଯୋଗ ନିମନ୍ତେ ଅଭିଯାନ
ଓଡ଼ିଶାରେ ଜାନୁଆରି ୧୫ରୁ ଫେବ୍ରୁୟାରି ୧୦ ଯା‌ଏଁ ଅଭିଯାନ

ଭୁବନେଶ୍ୱର : ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ବିଶ୍ୱସ୍ତରୀୟ ମନ୍ଦିର ନିର୍ମାଣ କରାଯିବ। ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ(ଟ୍ରଷ୍ଟ) ଭାରତ ବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡ଼ିଛି। ଏହି ମନ୍ଦିର ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଯୋଡ଼ିବା ପାଇଁ ଏକ ସେତୁ ପରି କାମ କରିବ। ଏଥିପାଇଁ ମକର ସଂକ୍ରାନ୍ତିଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡ଼ିବା ପାଇଁ ଏକ ବ୍ୟାପକ ‘ନିଧି ସମର୍ପଣ ଓ ସଂପର୍କ ଅଭିଯାନ’ ଆୟୋଜିତ ହେବ। ଏହା ୧୫ ଜାନୁଆରିରୁ ୨୭ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବ। ପ୍ରତି ରାଜ୍ୟରେ ଥିବା ‘ଶ୍ରୀରାମ ଜନ୍ମ ମନ୍ଦିର ନିଧି ସମର୍ପଣ ସମିତି’ ଏଥିନିମନ୍ତେ ୧୫ ଦିନ ବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚଲାଇବେ। ଏହି କ୍ରମରେ ପୂର୍ବ ଓଡ଼ିଶାରେ ଜାନୁଆରି ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ଜାନୁଆରି ୨୫ରୁ ଫେବ୍ରୁଆରି ୧୦ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଏକ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡ଼ିଶାର ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର କହିଛନ୍ତି।

ଶ୍ରୀ ମହାପାତ୍ର କହିଲେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୫୧ ହଜାର ଗାଁର ଲୋକମାନେ ଯେପରି ଏହି ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇପାରି‌ବେ, ସେଥିପାଇଁ ସମିତି ତରଫରୁ ବ୍ୟାପକ ଯୋଜନା କରାଯାଇଛି। ସମିତି ତରଫରୁ ଜିଲ୍ଲା, ତହସିଲ, ପଂଚାୟତ ଏପରିକି ଅନେକ ଗାଁରେ ମଧ୍ୟ ସମିତି ଗଠନ କରାଯାଇଛି। ପୂର୍ବ ଓଡ଼ିଶାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୬ଟି ଜିଲ୍ଲାର ୩୨,୦୦୦ ଗାଁକୁ ସଂପର୍କ କରାଯିବ। ସେହିପରି ପଶ୍ଚିମ ଓଡ଼ିଶାରେ ୧୪ଟି ଜିଲ୍ଲାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୯,୦୦୭ ଗାଁକୁ ସଂପର୍କ କରାଯିବ ବୋଲି ଯୋଜନା କରାଯାଇଛି। ଓଡ଼ିଶାରେ ତିନି କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂପର୍କ କରାଯାଇ ନିଧି ସଂଗ୍ରହ କରାଯିବ ବୋଲି ସ୍ଥିର କରାଯାଇଛି। ସମିତିର କର୍ମକର୍ତାମାନେ ଘରକୁ ଘର ଯାଇ ସଂପର୍କ କରିବା ସହିତ ନିଧି ସଂଗ୍ରହ କରିବେ। ଏଥିପାଇଁ ୧୦, ୧୦୦ ଓ ୧୦୦୦ ଟଙ୍କା ପରିମାଣର କୁପନ ତିଆରି କରାଯାଇଛି। ଏତଦ୍ ବ୍ୟତୀତ ନିର୍ଦ୍ଧାରିତ କୁପନ ପରିମାଣରୁ ଅଧିକ ରାଶି ସମର୍ପଣ ପାଇଁ ରସିଦର ବ୍ୟବସ୍ଥା ମଧ୍ୟ କରାଯାଇଛି।

କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ସ୍ୱାମୀ ପ୍ରଜ୍ଞନାନନ୍ଦ, ସ୍ୱାମୀ ଶଙ୍କରାନନ୍ଦ ଗିରି, ସନ୍ଥ ନିତ୍ୟାନନ୍ଦ ଦାସ, ଅବିନାଶ ବାବା, ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ, ସ୍ୱାମୀ ତେଜୋମୟାନନ୍ଦ ଓ ସ୍ୱାମୀ ସନ୍ଥ ଗିରି ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗଦର୍ଶକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ଉପାଧ୍ୟକ୍ଷ ଭାବେ ମନସୁଖଲାଲା ସେଠିଆ ଓ ହରିଶ୍ଚନ୍ଦ୍ର ପରିଡ଼ା, ସଂପାଦକ ଭାବେ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଏବଂ ସହ-ସମ୍ପାଦକ ଭାବେ ମହେଶ ସାହୁ ଓ ସୁଧିର ରଂଜନ ବହିଦାର ପ୍ରମୁଖ ମନୋନୀତ ହୋଇଛନ୍ତି। ଏଥିସହ ୨୧ଜଣ ଏହି ସମିତିରେ ସଦସ୍ୟ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଓ ଉପାଧ୍ୟକ୍ଷ ମନସୁଖଲାଲା ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର