ସରକାର ଖୋଲିବେ କି ଶ୍ରୀ ଶାରଳା ସୂତାକଳ?

ରୋଜଗାର ପାଇବେ ପାଞ୍ଚ ହଜାର
ଦୂର ହେବ ଦାଦନ ସମସ୍ୟା
ଜିଲ୍ଲାପାଳ କହିଲେ ସରକାରଙ୍କୁ ଜଣାଇବୁ
ନବୀନଙ୍କ ନିବେଦନ କରିବେ ବିଷ୍ଣୁ

ଜଗତସିଂହପୁର ଟାଉନ୍, (ସୋମନାଥ ପରିଡ଼ା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ନାଉସୀରାରେ ରହିଛି ଶ୍ରୀ ଶାରଳା ବୁଣାକାର ସମବାୟ ସୂତା କଳ ଲିଃ । ଯେଉଁଠି ଦିନେ ହଜାର ହଜାର ଶ୍ରମିକ ରୋଜଗାରର ପନ୍ଥା ପାଇଥିଲେ । ହେଲେ ଦୀର୍ଘ ୨୦ ବର୍ଷ ହେବ ବନ୍ଦ ହୋଇଯିବାରୁ ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥା ପାଲଟି ଯାଇଛି । କରୋନା ଲକ୍‌ଡାଉନ୍ ଯୋଗୁଁ ବିଦେଶକୁ ଯାଇଥିବା ପ୍ରବାସୀ ଏବେ ଘରକୁ ଫେରିଛନ୍ତି । ସରକାର ସେମାନଙ୍କୁ ରୋଜଗାର ଯୋଗାଇ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ସମୟରେ ପୁଣି ଶାରଳା ସୂତାକଳ ଚାଲୁ ହେବା ନେଇ ଆଶା ସଂଚାର ହୋଇଛି । ତେବେ ରାଜ୍ୟ ସରକାର ଖୋଲିବ କି ସାରଳା ସୂତାକଳ? ଏନେଇ ଏବେ ଜିଲ୍ଲାରେ ନାନା ଆଲୋଚନା ମୁଣ୍ଡ ଟେକିଛି ।

ଶ୍ରୀ ଶାରଳା….. ଆଗକୁ କଣ ଲେଖା ଯାଇଛି ଅକ୍ଷର ଗୁଡ଼ିକ ଲିଭି ଗଲାଣି । ଫାଟକରେ ତାଲା ଝୁଲୁଛି । ସବୁ କିଛି ଭାଙ୍ଗି ରୁଜି ଗଲାଣି। ଭିତରକୁ ଚାହିଁଲେ ଅନାବନା ଗଛରେ ପରିପୂର୍ଣ୍ଣ । ଇଟା, ରଡ, ସିମେଣ୍ଟ, ବାଲିରେ ତିଆରି କୋଠା ଘର ଗୁଡ଼ିକୁ ଯେମିତି ଗଛ ଲତା କବଳିତ କରିଛି । ଚାରିଆଡେ ଶୂନଶାନ୍ । ନିର୍ଜନତା ଯେମିତି ଏଠି ରାଜ୍ କରୁଛି । କେହି ବିଶ୍ୱାସ କରିବେ ନାହିଁ ଯେ ଏଠି ଦିନେ କୋଳାହଳ ଲାଗି ରହିଥିଲା । ସକାଳ ସାଇରନ୍‌ରେ ଲୋକଙ୍କ ନିଦ ଭାଙ୍ଗୁଥିଲା। ମେସିନ୍‌ ଗର୍ଜନରେ ଏଠି ହଜାର ହଜାର ଶ୍ରମିକ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ। ସୂଚନା ଅନୁସାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୩୦ ଏକରୁ ଅଧିକ ଜମିରେ ଶାରଳା ସୂତାକଳ ଆରମ୍ଭ ହୋଇଥିଲା। ଏଥିପାଇଁ ସରକାର ୧୨ କୋଟି ଟଙ୍କା ବ୍ୟୟ କରିଥିଲେ। ସୂତାକଳ ୧୮୮୨ରେ ଆରମ୍ଭ ହୋଇଥିବା ବେଳେ ୧୯୮୪ରେ ସୂତା ପ୍ରଡକ୍ସନ ହୋଇଥିଲା। ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାରମାନଙ୍କୁ ପଚାଶ ପ୍ରତିଶତ ସବ୍‌ସିଡ୍ ଦେଉଥିଲେ। ପ୍ରାୟ ୨୦୦ ଅଧିକାରୀ ଓ ୧୩୦୦ କର୍ମଚାରୀଙ୍କୁ ନେଇ ଚାଲିଥିଲା ସୂତାକଳ । ଏହା ଭିତରେ ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ୱାଟର ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିଲା ।

ସୂତାକଳକୁ ଓଡ଼ିଶାର କଳାହାଣ୍ଡି, କୋରାଫୁଟ, ବଲାଙ୍ଗୀର, ମହାରଷ୍ଟ୍ର ଏବଂ ପାକିସ୍ତାନ ଭଳି ବାହାର ଦେଶରୁ କଞ୍ଚାମାଲ୍ ଆସୁଥିଲା । ଏଠାରେ ଥିବା କୂଶଳି କାରିଗର ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରୁଥିଲେ । ସୂତା କଲିକତା, ଗୁଜୁରାଟ ସମେତ ଏହାର ଅଧିକ ଚାହିଦା ଥିବାରୁ ଜାହାଜରେ ସାଉଥ୍ କୋରିଆ ମଧ୍ୟ ରପ୍ତାନୀ ହେଉଥିଲା । ସେତେବେଳର ସିନିୟର୍ ଆସିଷ୍ଟାଣ୍ଟ ତଥା ଷ୍ଟାଫ୍ ୟୁନିୟନ୍ ସାଧାରଣ ସମ୍ପାଦକ ସନ୍ତୋଷ ନାୟକ ଏବଂ ଅଜିତ କୁମାର ଆଚାର୍ଯ୍ୟଙ୍କ କହିବା ଅନୁସାରେ ସୂତାକଳ ଲାଭରେ ଚାଲିଥିଲା । ସେତେବେଳେ ପାଖା ପାଖି ୪୦ ଜଣ ତନ୍ତିକୁ ପ୍ରତି ମାସରେ ଦୁଇ ବେଲ୍ ସୂତା(ଗୋଟିଏ ବେଲ୍ ୧୮୧ କିଲୋ ହିସାବରେ ଦୁଇ ବେଲ୍‌କୁ ୩୬୨ କିଲୋ) ୫୦ ପ୍ରତିଶତ ରିହାତିରେ ଦିଆଯାଉଥିଲା। ଏଥିପାଇଁ ସରକାର ସେତେବେଳେ ପ୍ରାୟ ୭ ଲକ୍ଷ ଟଙ୍କା ଦେଉଥିଲେ । କିଛି ଦିନ ପରେ ସରକାର ତନ୍ତିଙ୍କୁ ଦେଉଥିବା ୫୦ ପ୍ରତିଶତ ରିହାତି ବନ୍ଦ କରିଦେଲେ। ଏହି ସମୟରେ କର୍ମଚାରୀଙ୍କ ଦରମା ବଢ଼ାଇ ଦିଆଗଲା । ଫଳରେ ସୂତାକଳ ଚଳାଇବା କଷ୍ଟକର ହୋଇ ପଡ଼ିଲା । ଏହାପରେ ୧୯୯୯ ମସିହା ମହାବାତ୍ୟାରେ ସୂତାକଳ ବହୁଳ ମାତ୍ରାରେ କ୍ଷତି ସହିଲା । ସେତେବେଳେ ସରକାର ୮୫ ଲକ୍ଷ ଟଙ୍କା ରିପାରିଂ ପାଇଁ ଦେଇଥିଲେ । ହେଲେ ସେଥିରେ ସମ୍ପୂର୍ଣ୍ଣ ମରାମତି ହୋଇ ପାରିଲା ନାହିଁ । ପରେ ପରେ ସରକାରଙ୍କ ଆନ୍ତରିକତା ଅଭାବରୁ ସୂତାକଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ।

ଏବେ କରୋନା ଭୟରେ ନିଜ ଘରକୁ ଫେରୁଛନ୍ତି ଶ୍ରମିକ । ରାଜ୍ୟରେ ୪ ଲକ୍ଷରୁ ଅଧିକ ଶ୍ରଂମିକ ଫେରିଥିବା ବେଳେ ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ଜଗତସିଂହପୁର ଜିଲ୍ଲାକୁ ୧୨ ହଜାରରୁ ଅଧିକ ଲୋକ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତରୁ ଅଧିକ ଶ୍ରମିକ ଶ୍ରେଣୀର । ସେମାନଙ୍କ ମଧ୍ୟରେ ସୂରଟରେ ସୂତା କଳରେ କୁଶଳୀ ଶ୍ରମିକଙ୍କ ସଂଖ୍ୟା ୫ ଶହରୁ ଅଧିକ । ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ବ୍ୟୟ ହେଲେ ପୁଣି ଥରେ ସୂତାକଳ ଚାଲି ପାରିବ ବୋଲି କୁହାଯାଉଛି । ଏହା ଦ୍ୱାରା ଜିଲ୍ଲାର ପ୍ରାୟ ୫ ହଜାର ଲୋକ ନିଯୁକ୍ତି ପାଇ ପାରିବା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ଲୋକ ଉପକୃତ ହେବେ । ୨୦ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିବାରୁ ଏଠି କିଛି ମୁଷ୍ଟି ମେୟ ଲୋକ ଭିତରେ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି । ଯନ୍ତ୍ରାଶକୁ ଭାଙ୍ଗି ରୁଜି ବିକ୍ରି କରାଯାଇଛି । ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ୱାଟରକୁ ଅସାଧୁଙ୍କ ହାତରେ ଟେକି ଦିଆଯାଇଛି। ଏହା ଦାୟିତ୍ୱରେ ଥିବା ଅଧିକାରୀ କଟକରେ ବସି କେବଳ ହୁକୁମ୍ ଚଲାଉଥିବା ଅଭିଯୋଗ ହେଉଛି ।

ସରକାର ପ୍ରବାସୀଙ୍କୁ କାମ ଯୋଗଇ ଦେବା ପାଇଁ କୋଟି କୋଟୀ ଟଙ୍କା ବ୍ୟୟ କରୁଥିବା ବେଳେ ପୁଣି ଥରେ ସୂତାକଳକୁ ଚାଲୁ କରିବା ପାଇଁ ଜୋରଦାର ଦାବି ଉଠୁଛି । ତେବେ ସରକାର ସୂତାକଳ ଚାଲୁ କରିବେ କି ଏନେଇ ପ୍ରଶ୍ନ ଉଠୁଛି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରଙ୍କୂ ଜଣାଇବେ ବୋଲି କହିଛନ୍ତି । ଅନ୍ୟପଟେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ମଧ୍ୟ ସୂତାକଳ ଚାଲିବା ସପକ୍ଷରେ ମତ ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଖୁବ୍ ଶୀଘ୍ର ଏଥିପାଇଁ ସକରାତ୍ମକ ବାଟ ବାହାର କରିବାକୁ କହିଛନ୍ତି ।

ସମ୍ବନ୍ଧିତ ଖବର