ଏସ୍‌ସିବିର ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମ: ଉଦ୍‌ଯାପନୀ ସମାରୋହକୁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ

କଟକ : କଟକ ବଡ଼ ଡାକ୍ତରଖାନାର କୀର୍ତ୍ତି ଓ କୃତିକୁ ସାରାବିଶ୍ବ ଦେଖୁଛି। ୭୫ ବର୍ଷର ଗୌରବମୟ ଇତିହାସକୁ ପୁଞ୍ଜିକରି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ତାହାର ପ୍ଲାଟିନମ୍‌ ଜୁବୁଲି ପାଳନ କରୁଛି। କାର୍ଯ୍ୟକ୍ରମ ପାଇଁ ଦେଶର ମହାମହିମ ରାଷ୍ଟ୍ରପତି ‌ରାମନାଥ କୋବିନ୍ଦଙ୍କୁ ଆମନ୍ତ୍ରଣ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ, ଆଇସିଏମ୍‌ଆର୍‌ ନିର୍ଦ୍ଦେଶକଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିତ୍ବମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସ୍‌ସିବି ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା।

ଡକ୍ଟର ହୋତା କହିଛନ୍ତି, ଆଗାମୀ ୨୫ ବର୍ଷ ପରେ ଏସ୍‌ସିବିର ରୂପରେଖ କିଭଳି ହେବା ଆବଶ୍ୟକ, ସେ ସଂପର୍କରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ମତାମତ ନେବା ପାଇଁ ଆସନ୍ତା ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କର୍ମଶାଳା। କର୍ମଶାଳାରେ ଯେଉଁ ମତ, ମନ୍ତବ୍ୟ, ଦିଗ୍‌ଦର୍ଶନ ମିଳିବ ତାହାକୁ ଗ୍ରହଣ କରି ଏସ୍‌ସିବି ଆଗକୁ ବଢ଼ିବ। ସେହିଭଳି, ପ୍ଲାଟିନମ ଜୁବୁଲି ପାଇଁ ଚାଲିଥିବା ‘୭୫ରେ ୭୫’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ତିନି ଦିନ ଧରି ପାଳନ କରାଯିବ। କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ, ଆଇସିଏମ୍‌ଆର୍‌ ନିର୍ଦ୍ଦେଶକଙ୍କ ଭଳି ପ୍ରଖ୍ୟାତ ବ୍ୟକ୍ତିତ୍ବମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କେଉଁମାନେ ଅତିଥି ହେବେ, ସେ ସଂପର୍କରେ ଆସନ୍ତା ୨୩ ତାରିଖ ଦିନ ସୂଚନା ଦିଆଯିବ ବୋଲି ପ୍ରଫେସର ହୋତା କହିଛନ୍ତି। ଏସ୍‌ସିବିର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମ ତିନିଟି ଭାଗରେ ପାଳନ କରାଯାଉଛି। ଜାତୀୟ ଡାକ୍ତର ଦିବସ ଅବସରରେ ଅର୍ଥାତ୍‌ ଜୁଲାଇ ୧ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ସିଏମ୍‌ଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଦ୍ବିତୀୟ ପର୍ଯ୍ୟାୟ ‘୭୫ ରେ ୭୫’ର କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୩ ରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ। ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଗାମୀ ୧୬ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ ଡ. ହୋତା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିବିର ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଉପାଧ୍ୟକ୍ଷ ତଥା ମିଡିଆ କମିଟିର ଆବାହକ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ରଜତ ଜୟନ୍ତୀ ଉତ୍ସବ ପାଳନ କମିଟିର ଆବାହକ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର,ଏସ୍‌ସିବି ଆଲୁମ୍‌ନି ସଂଘର ସମ୍ପାଦକ ପ୍ରଫେସର ଡାକ୍ତର ଶିବରାମ ସିଂହ, ଅଧ୍ୟକ୍ଷ, ବୈଜ୍ଞାନିକ କମିଟି ପ୍ରଫେସର ଡାକ୍ତର ବିଦ୍ୟୁତ ଦାସ, ମିଡିଆ କମିଟିର ଯୁଗ୍ମ ଆବାହକ ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର