କଟକ: ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପୋଷ୍ୟ ଭାବେ ଗ୍ରହଣ କରିଥିବା ପୁଅ ଅନୁକମ୍ପାମୂଳକ ଯୋଜନାରେ ନିଯୁକ୍ତି ପାଇପାରିବେ। ଓସିଏସ୍ (ଆରଏ) ନିୟମାବଳୀ, ୧୯୯୦ ଅନୁସାରେ ଆଇନ ଅନୁଯାୟୀ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇବେ ବୋଲି ଆଜି ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପଞ୍ଜୀକୃତ କରାଯାଇଥିବା ପୋଷ୍ୟ ସନ୍ତାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ ନାହିଁ ବୋଲି ୧୯୯୬ ଅକ୍ଟୋବର ୧୦ରେ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶନାମାକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

Advertisment

ଏହି ପ୍ରସଙ୍ଗରେ ସହକାରୀ ଶିକ୍ଷକ ୱଲିୟମ ସିଂଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନିରଂଜନା ସିଂ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିବା ପୁଅକୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ସପକ୍ଷରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ୨୦୧୫ ସେପ୍ଟେମ୍ବର ୨୯ରେ ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ସ୍ୟାଟ୍ ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିବା ସହିତ ଚାରି ସପ୍ତାହ ଭିତରେ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ନିଜର ଅଧିକାର ପାଇଁ ଲଢୁଥିବା ବ୍ୟକ୍ତି ୩୦ ବର୍ଷର ଲଢେଇ ପରେ ନ୍ୟାୟ ପାଇବାକୁ ଯାଉଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବାଲିଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଧୀନ କେଟିଙ୍ଗା ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ୱଲିୟମ ସିଂଙ୍କ ୧୯୯୨, ଏପ୍ରିଲ ୯ରେ ପରଲୋକ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପତ୍ନୀ ନିରଂଜନା ସିଂ ଜଣଙ୍କୁ ପୋଷ୍ୟ ପୁଅ ଭାବେ ଗ୍ରହଣ ନେଇ ଦଲିଲ ପଞ୍ଜୀକରଣ କରାଇଥିଲେ। ଏହାପରେ ନିରଂଜନାଙ୍କ ପୋଷ୍ୟ ପୁଅ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ। ମାସ୍କାପଙ୍ଗା ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ପୋଷ୍ୟ ପୁଅଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ନିଯୁକ୍ତି ସ୍ଥଗିତ ରଖିବାକୁ ବାଲିଗୁଡ଼ା ବିଇଓ ନିର୍ଦ୍ଦେଶ ଦେଇଥିଲେ। ୧୯୯୩, ନଭେମ୍ବର ୨୦ରେ ତାଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୧୯୯୪ରେ ତ‌ାଙ୍କ ଆବେଦନର ଶୁଣାଣି କରି ସ୍ୟାଟ୍ ଉପରୋକ୍ତ ଦୁଇ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଫଳରେ ସେ ପୂର୍ବଭଳି କାର୍ଯ୍ୟ କରିଥିଲେ। ନିରଂଜନାଙ୍କ ପୋଷ୍ୟ ପୁଅକୁ ଚାକିରିରେ ପୁନଃଅବସ୍ଥାପିତ କରିବା ସହିତ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ସ୍ୟାଟ୍ ୨୦୧୫ ସେପ୍ଟେମ୍ବର ୨୯ରେ ନିର୍ଦ୍ଦେଶ ଦେଇଥିଲେ। ସ୍ୟାଟ୍‌ଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ୨୦୧୬ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ।