ମାର୍ଚ୍ଚ ୨୫ରୁ ସମସ୍ତ ଏସ୍‌ଟି୍ଏସ୍‌ସି ହଷ୍ଟେଲ ବନ୍ଦ

ଜୁନ୍ ୧୫ ଯାଏ ଛୁଟି, ୩ମାସର ଆଗୁଆ ବୃତ୍ତି ଅର୍ଥ ମିଳିବ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣର ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସମସ୍ତ ହଷ୍ଟେଲକୁ ମାର୍ଚ୍ଚ ୨୫ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଏବେ ଆବାସିକ ବିଦ୍ୟାଳୟରେ ପଢୁଥିବା ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ହଷ୍ଟେଲ ଖାଲି କରିବେ। ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ସ୍ବାସ୍ଥ୍ୟର ଯତ୍ନ ତଥା ଆନୁଷଙ୍ଗିକ ଖର୍ଚ୍ଚ ନିମନ୍ତେ ପ୍ରୋତ୍ସାହନ ଦିଆଯିବ। ଏଥିପାଇଁ ସରକାର ଆଗୁଆ ତିନିମାସର ପ୍ରାକ୍ ମାଟ୍ରିକ୍ ବୃତ୍ତି ପ୍ରଦାନ କରିବେ। ଛାତ୍ରମାନଙ୍କୁ ୨୨୫୦ ଟଙ୍କା ଓ ଛାତ୍ରାମାନଙ୍କୁ ୨୪୦୦ଟଙ୍କା ହିସାବରେ ସହାୟତା ରାଶି ପିତାମାତା ଓ ଅଭିଭାବକଙ୍କୁ ଦିଆଯିବ। ଏହି ରାଶି ଛାତ୍ରଛାତ୍ରୀଙ୍କ ପିତାମାତା କିମ୍ବା ଅଭିଭାବକ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କଠାରୁ ଗ୍ରହଣ କରିବେ ବୋଲି ବିଭାଗର ସଚିବ ରଂଜନା ଚୋପ୍ରା କହିଛନ୍ତି।

ଆଜି ସ୍ବତନ୍ତ୍ର ଓ୍ୱାର୍ଡ ବୈଠକ
ଭୁବନେଶ୍ବର : ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତ ସଚେତନ କରିବା ପାଇଁ ଆସନ୍ତାକାଲି ସମସ୍ତ ପୌରାଞ୍ଚଳର ପ୍ରତ୍ୟେକ ଵାର୍ଡରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ନିଗମ ଓ ପୌରସଂସ୍ଥାକୁ ପତ୍ର ଲେଖିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଠାଯାଇଥିବା ନିର୍ଦେଶନାମାରେ ଆସନ୍ତା ୨୧ ତାରିଖ ସକାଳ ୧୦ଟା ବେଳେ ଵାର୍ଡ ଅଫିସରମାନେ ନିଜ ନିଜ ସ୍ତରରେ ଏହି ବୈଠକ ଡାକିବାକୁ କୁହାଯାଇଛି। ଏଥିରେ ବର୍ତମାନ ଓ ପୂର୍ବତନ କର୍ପୋରେଟର ଏବଂ କାଉନସିଲରଙ୍କ ସହିତ ସାଧାରଣ ଲୋକ ଯୋଗଦେଇ ମତ ରଖିବେ। ବୈଠକରେ ଯଦି ଲୋକସଂଖ୍ୟା ଅଧିକ ହୁଏ, ତେବେ ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ଆଲୋଚନା ଆଗକୁ ବଢ଼ାଇବାକୁ କୁହାଯାଇଛି। ଏଥିସହିତ ରାଜ୍ୟ ସରକାର କରୋନା ସଚେତନତା ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଆଲେଖ୍ୟକୁ ଵାର୍ଡ ଅଫିସରଙ୍କୁ ଅବଗତ କରିବେ। କରୋନା ସଚେତନତା ନେଇ ପୌରସଂସ୍ଥା ସହିତ ସାଧାରଣ ଲୋକଙ୍କୁ କିଭଳି ଜଡ଼ିତ କରାଯିବ, ସେ ନେଇ ବୈଠକରେ ସୂଚନା ଦିଆଯିବ। ପୌରାଞ୍ଚଳ ସଫାସୁତୁରା ବଜାୟ ରଖିବା ଲାଗି ମଧ୍ୟ ନିର୍ଦେଶ ଦିଆଯିବ।

୨୫୯୦ ସୁଲଭ ଦୋକାନର ଲାଇସେନ୍ସ ନବୀକରଣ
ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ହିତାଧିକାରୀମାନେ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟଶସ୍ୟ ସୁବିଧାରେ ପାଇପାରିବେ, ସେ ନେଇ ସରକାର ପଦକ୍ଷେପ ନେଇଛନ୍ତି। ୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଏପ୍ରିଲରୁ ଜୁଲାଇ ମାସ ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ନବୀକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଖୁଚୁରା ଦୋକାନୀମାନଙ୍କର ଲାଇସେନ୍ସ ନବୀକରଣ ମାତ୍ର ୪ମାସ ପାଇଁ କରାଯାଇଛି। ଆଜି ଖାଦ୍ୟ ଯୋଗାଣ ବିଭାଗର ଶାସନ ସଚିବ ବୀର ବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି।

ସମ୍ବନ୍ଧିତ ଖବର