ଜେଏସଡବ୍ଲୁ ବିପିଏସଏଲ ପ୍ଲାଣ୍ଟ ଦୁର୍ଘଟଣାରେ ଶ୍ରମିକ ଆହତ ଘଟଣା : ତଦନ୍ତ କରିବେ ଜାତୀୟ ଅନୁସୂଚୀତ ଜନଜାତି ଆୟୋଗ

ଭୁବନେଶ୍ବର : ଗତ ମାର୍ଚ୍ଚ ୧୧ ତାରିଖରେ  ଝାରସୁଗୁଡ଼ାସ୍ଥିତ ଜେଏସଡବ୍ଲୁ ବିପିଏସଏଲ ପ୍ଲାଣ୍ଟରେ ହୋଇଥିବା ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକ ମାମଲାର ତଦନ୍ତ ଜାତୀୟ ଅନୁସୂଚୀତ ଜନଜାତି ଆୟୋଗ କରିବେ । ଏହି ଘଟଣା ସଂପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ଆୟୋଗ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ମାର୍ଚ୍ଚ ୧୧ ତାରିଖ ଦିନ ଠେଲକୋଲୋଇ ସ୍ଥିତ ଜେଏସଡବ୍ଲୁ ବିପିଏସଏଲ କାରଖାନାକୁ ଏକ ଠିକାସଂସ୍ଥା ଅଧିନରେ କାମ କରିବାକୁ ଯାଇଥିବା ୪ ଜଣ ଶ୍ରମିକ- କରନ ଓରାମ, ନୀଳମଣି ଓରାମ, ଅଶୋକ ଧୁରୁଆ ଓ ଅଂଜନ ଓରାମ ଗୁରୁତର ଆହତ ହୋଇଥିଲେ । ଏହି ଶ୍ରମିକ ମାନେ ସମେସ୍ତ ଝାରସୁଗୁଡ଼ା ଲଇକେରା ବ୍ଲକ ଭାତଲଇଡ଼ା ପଞ୍ଚାୟତର ଟିଠେଇମାଲ ଗ୍ରାମର ଅତି ଗରୀବ ଶ୍ରେଣୀର ଲୋକ। ସଂପୃକ୍ତ ଠିକା ସଂସ୍ଥା ଏହି ଶ୍ରମିକ ମାନଙ୍କୁ କାମ କରିବାକୁ ନେଇଥିବା ବେଳେ ୧୧ ତାରିଖ ରାତିରେ ଏକ କଣ୍ଟେନର ମଧ୍ୟରେ ଏମାନଙ୍କ ଶୋଇବାକୁ ଦେଇଥିଲା। ମଧ୍ୟରାତ୍ରୀରେ ଏକ ବିଷ୍ଫୋରଣ ଘଟିଥିବା ବେଳେ ଏହି ଶ୍ରମିକମାନେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଠିକାସଂସ୍ଥା ଜିନ୍ଦଲ ଡିସପେନ୍‌ସରିରେ ପ୍ରାଥମିକ ଚିକିତ୍ସା ପରେ ୮୦ ପ୍ରତିଶତ ପୋଡ଼ିଥିବା କରନ ଓ ୩୦ ପ୍ରତିଶତ ପୋଡ଼ିଥିବା ନିଳମଣୀଙ୍କୁ ରାଉରକେଲା ଆଇଜିଏଚ୍‌କୁ ଏବଂ ଅନ୍ୟ ଦୁଇଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲା ।

ଏହି ଶ୍ରମିକମାନଙ୍କ ଚିକିତ୍ସାରେ ଅବହେଳା କରାଯିବା ସହ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯାଉନଥିବା ଗତ ସପ୍ତାହରେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର