ପଦ୍ମପୁର/ବିଷମକଟକ/ରାୟଗଡ଼ା: ପ୍ରେମ ନିବେଦନ କରି ବିଫଳ ହୋଇଥିବା ବିଷମକଟକ ଅଞ୍ଚଳର ଯୁବକ ଯୁକ୍ତଦୁଇରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଛି। ଫଳରେ, ଛାତ୍ରୀଙ୍କ ବେକ ଓ ପିଠି ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି। ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Advertisment

ଆକ୍ରମଣକାରୀ ଯୁବକ ହେଉଛନ୍ତି, କେ.ତିରୁମାଲା ରାଓ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଗୁମୁଡ଼ା ଦ୍ରୌପଦୀ ବିଦ୍ୟାପୀଠରେ ପରୀକ୍ଷା ଦେଇସାରି ଛାତ୍ରୀ ଜଣକ ଫେରୁଥିବା ବେଳେ ତିରୁମାଲା ତାଙ୍କୁ ପିଛା କରିଥିଲେ। କିଛିଦୂର ଯିବାପରେ ଛାତ୍ରୀଙ୍କୁ ଅଟକାଇବା ସହିତ ପ୍ରେମ ନିବେଦନ କରିଥିଲା। ଛାତ୍ରୀ ଜଣକ ସଫାସଫା ମନା କରିଦେଇ ଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ତିରୁମାଲା ସମ୍ପୃକ୍ତ ଛାତ୍ରୀଙ୍କ ଗଳାକାଟି ହତ୍ୟାଦେବାକୁ ସେ ଉଦ୍ୟମ ବି କରିଥିଲେ, ଦୈବାତ୍‌ ସେଥିରେ ସେ ସଫଳ ହୋଇନଥିଲେ। ଏହାପରେ, ଛାତ୍ରୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଛୁରୀରେ ଆକ୍ରମଣ କରିଥିଲେ। ଏହିଘଟଣା ଘଟାଇ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଆଖପାଖରେ ଥିବା ସହପାଠୀ ଏବଂ ସ୍ଥାନୀୟ ଲୋକ ତାଙ୍କୁ ଘେରି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗୁମୁଡ଼ା ଫାଣ୍ଡି ପୁଲିସ ପହଞ୍ଚି ତିରୁମାଲାଙ୍କୁ କାବୁ କରି ନେଇଥିଲେ।

ଅନ୍ୟପଟେ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରିବାର ଲୋକ ପହଞ୍ଚିବା ପରେ ପ୍ରାଥମିକ ଚିକିତ୍ସା କରି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଅମରେଶ ଜେନା ସୂଚନା ଦେଇଛନ୍ତି। ଏ ନେଇ ଛାତ୍ରୀଙ୍କ ସଂପର୍କୀୟ ଭାଇ ସୁମନ ସାମଲ ଗୁଡ଼ାରୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଥିବା ଜଣାପଡ଼ିଛି।