ଯୁବ କଂଗ୍ରେସ ସମାବେଶରେ ଛୁରାମାଡ଼

ଜଣେ କର୍ମୀ ଆହତ, ଦୁଇ ଗୋଷ୍ଠୀ ମୁହାଁମୁହିଁ

ମାହାଙ୍ଗା : କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଯୁବ କଂଗ୍ରେସ ସମାବେଶରେ ଆଜି ଛୁରାମାଡ଼ ହୋଇଛି। ଗାଳିଗୁଲଜ, ଠେଲାପେଲା ଭିତରେ ଛୁରାମାଡ଼ ଯୋଗୁ ଜଣେ କର୍ମୀ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ମୁହିାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ମାମଲା ଥାନାରେ ପହଞ୍ଚିଛି। ଏହି ଘଟଣା‌େର ପୁଲିସ୍‌ ସୋମନାଥ ଜେନା ଓରଫ୍‌ ଟିପୁଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ ଆଜି ପୂର୍ବତନ ପିସିସି ସଂପାଦକ ପ୍ରଦୀପ୍ତ କୁମାର ଦାସଙ୍କ ନେତୃତ୍ବରେ ମଣିଯୋରୀଠାରେ ଯୁବ କଂଗ୍ରେସର ବୈଠକ ଅନୁଷ୍ଠିତ ହେଉଥିଲା। ଏହି ସଭାରେ ପ୍ରାକ୍ତନ ପିସିସି ସାଧାରଣ ସଂପାଦକ ବିଶ୍ବଜିତ ଦାସ, ପ୍ରାକ୍ତନ ପିସିସି ମୁଖପାତ୍ର ନିକୁଞ୍ଜ ପଶାୟତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, ଯୁବ ସଂଗଠକ ମସୁଦ ଅଲି, ସୌକତ ଅଲି, ସୁକାନ୍ତ ନନ୍ଦ, ସଂଗ୍ରାମ ସାମଲ, ମନ୍ମଥ ଖଟୁଆ, ଅରୁଣ ନାଥ, ପ୍ରଭାତ କର, ସେକ କଲିମୁଲ୍ଲା, ଏସକେ ଜାବିର, ଉମେଶ ସାହୁ, ସଂଗ୍ରାମ ମଲିକ, ପ୍ରତାପ ନାୟକ, ଦୀପକ ନାୟକ, ଗଣେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟରେ ସେଠାରେ କିଛି ଯୁବକ ପହଞ୍ଚି ମଂଚକୁ ଚଢି ଯାଇ ଗାଳିଗୁଲଜ କରିବା ସହିତ ମାହାଙ୍ଗାରେ ଦେବେନ୍ଦ୍ର ସାହୁ ସେମାନଙ୍କର ନେତା ବୋଲି କହିଥିଲେ। ସେଠାରେ ବସିଥିବା ନେତାଙ୍କୁ ଏମାନେ ଏଠି କିଏ ବୋଲି କହି ପ୍ରଶ୍ନ କରିବା ସହ ହୋ’ହାଲ୍ଳା କରି ସଭା ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ସଭା ଆୟୋଜନ କରୁଥିବା ଗୋଷ୍ଠୀର କର୍ମୀମାନେ ସେମାନଙ୍କୁ ଗଣ୍ତଗୋଳ ନ କରିବାକୁ ବାରଣ କରିବାବେଳେ ଉଭୟ ପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହେବା ସହିତ ଉତ୍ତେଜନା ବଢିଥିଲା। ଉଭୟପକ୍ଷ ଭିତରେ ଠେଲାପେଲା ଭିତରେ ଛୁରା ମାଡ଼ରେ ମଣିଯୋରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପେଟରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଆହତ ଶ୍ରୀ ସାହୁ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ସଭାରେ ଗଣ୍ଡଗୋଳ ଖବର ପାଇ ଘଟଣାସ୍ଥଳରେ ମାହାଙ୍ଗା ପୁଲିସ ପହଞ୍ଚିଲା ବେଳକୁ ଗଣ୍ତଗୋଳକାରୀମାନେ ସେଠାରୁ ପଳାଇ ଯାଇଥିଲେ।

ଗଲା ନିର୍ବାଚନରେ ମାହାଙ୍ଗାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଦେବେନ୍ଦ୍ର ସାହୁ କିନ୍ତୁ ଏହି ସଭା ସଂପର୍କରେ ଜାଣିନାହାନ୍ତି କି କିଏ ଗଣ୍ଡଗୋଳ କରିଛି, ଜାଣିନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ ସଭା ଆୟୋଜନ କରିଥିବା ପ୍ରଦୀପ୍ତ କୁମାର ଦାସ କହିଛନ୍ତି ଯେ ଯେଉଁଭଳି ତାଙ୍କ ସଭାରେ ଆକ୍ରମଣ କରାଯାଇଛି ସେହିଭଳି ଭାବେ ବିରୋଧୀ ଗୋଷ୍ଠୀକୁ ଜବାବ ଦେବେ।

ଆଜିର ଏହି ଘଟଣା ଅଞ୍ଚଳରେ ଦଳ ପାଇଁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର