ଯୁଯୁମୁରା: ଯୁଯୁମୁରା ଥାନା ରାମବଡ଼ମାଲ ଗାଁ ମୁଣ୍ଡରେ ୨ ଯୁବକଙ୍କୁ ସୋମବାର ଅପରାହ୍ନ ପ୍ରାୟ ୪ଟା ୩୦ରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଯୁବକ ଛୁରିରେ ସେମାନଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ଆହତ ହୋଇଥିବା ବେଳେ ଅନନ୍ତ ମିର୍ଦ୍ଧା (୨୯) ନାମକ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଚାରମାଳ ଥାନା ମୋଚିବାହାଲ ପଞ୍ଚାୟତ ସତ୍ୟାନନ୍ଦପାଲିର ଅନନ୍ତ ଓ ଯୁଯୁମୁରା ଥାନା ରାମବଡ଼ମାଲର ନବୀନ ବିଂଝାଲ (୩୦) ଅପରାହ୍ନ ପ୍ରାୟ ୪ଟା ୩୦ରେ ରାମବଡ଼ମାଲ ଗାଁ ମୁଣ୍ଡରେ ଥିବା କଲଭର୍ଟରେ ବସିଥିଲେ।
ଏହି ସମୟରେ ଦୁଇ ଯୁବକ ଏକ ବାଇକ୍ରେ ସେଠାରେ ପହଞ୍ଚି ସେମାନଙ୍କୁ କେଉଁ ଗାଁର ପଚାରିଥିଲେ। ତେବେ ନୀବନ ଓ ଅନନ୍ତ ଓଲଟା ବାଇକ୍ରେ ଥିବା ଯୁବକ ଦ୍ବୟ କେଉଁ ଗାଁର ବୋଲି ପଚାରିଥିଲେ। ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବାଇକ୍ରେ ଥିବା ଯୁବକ ଦ୍ବୟ ହଠାତ୍ ଛୁରିରେ ଅନନ୍ତ ଓ ନବୀନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ ଅନନ୍ତଙ୍କ ଜଂଘ ଓ ପିଠିରେ ଗୁରୁତର ଆଘାତ ଲାଗିଛି। ନବୀନଙ୍କ ଆଂଗୁଠିରେ ମଧ୍ୟ ଛୁରି ମାଡ଼ ହୋଇଛି।
ଆକ୍ରମଣ ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବରପାଇ ସ୍ଥାନୀୟ ଲୋକ ଉଭୟଙ୍କୁ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିଲା। ଏଠାରେ ନବୀନଙ୍କ ଚିକିତ୍ସା କରି ଛାଡ଼ି ଦିଆଯାଇଥିଲା। ଅନନ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।