ସମ୍ବଲପୁର: ଦୁଇ ଜଣ ଦୁର୍ବୃତ୍ତ ଭୁଜାଲି ଦେଖାଇ ୨ ଲକ୍ଷ ଟଙ୍କା ମାଗିଲେ। ମନା କରିବାରୁ ତାଙ୍କୁ ଭୁଜାଲିମାଡ଼ କଲେ। ଧନୁପାଲି ଥାନା ମୋତିଝରଣ ନିକଟରେ ଏହି ଘଟଣା ଘଟିଥିଲା। ସୁନାପାଲିର ସାଇଦୁଲ୍ ଖାନ୍ ଫେବ୍ରୁଆରି ୯ ତାରିଖ ଦିନ ତାଙ୍କ ସାଙ୍ଗ ସହ କଥା ହେଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କ ପାଖକୁ ଆସିଥିଲେ। ଛୁରି, ଭୁଜାଲି ଦେଖାଇ ୨ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ।
ସେ ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ମନିପର୍ସ, ମୋବାଇଲ୍ ଫୋନ୍, ବ୍ୟାଗ୍ ଛଡ଼ାଇ ନେଇଥିଲେ। ତାପରେ ତାଙ୍କୁ ଆକ୍ରମଣ କରିଥିଲେ। ଏକଥା ପୁଲିସକୁ କହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ। ସେ ଏ ନେଇ ସୋମବାର ରାତି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।