ଘୁ ଉଦୟଗିରି: ଜିଲ୍ଲାପାଳ ଭାବେ ଆଶିଷ ଈଶ୍ଵର ପାଟିଲଙ୍କ ଯୋଗ ଦାନ ପରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଷ୍ଟ୍ରବେରି ଚାଷ କରିବା ନିମନ୍ତେ ମିସନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଟୀର ମହିଳାମାନଙ୍କ ଆଗ୍ରହ ବୃଦ୍ଧି ପାଇଛି। ଶ୍ରୀ ପାଟିଲ ଷ୍ଟ୍ରବେରି ଚାଷ କରିବା ପାଇଁ ଉତ୍ସାହିତ କରିବା ସହିତ ସରକାରଙ୍କ ଦ୍ଵାରା ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରୟାସ କରିଥିଲେ। ରାଇକିଆ ବ୍ଲକର ବିଅରପାଙ୍ଗା ଓ ଦାରିଙ୍ଗବାଡି ବ୍ଲକ ପରେ ଘୁ ଉଦୟଗିରି ବ୍ଲକରେ ଷ୍ଟ୍ରବେରି ଚାଷ କରାଯାଇଥିଲା। ସେଥି ମଧ୍ୟରୁ ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଗଟାମାହା ଗ୍ରାମରେ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯଥା ପାର୍ବତୀ ଏବଂ ସରସ୍ୱତୀ ଗ୍ରୁପ୍ ପକ୍ଷରୁ ଷ୍ଟ୍ରବେରି ଚାଷ ଚଳିତ ବର୍ଷ ଆରମ୍ଭ କରାଯାଇ ଥିଲା। ଅଢେଇ ଏକର ଜମିରେ ଏହି ଗ୍ରୁପର ମହିଳାମାନେ ବେଶ ଆଗ୍ରହ ସହକାରେ ଚାଷ ଆରମ୍ଭ କରିଥିଲେ। ଏହି ଚାଷ ମିସନ ଶକ୍ତି ସହଯୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ୬ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି ଚାଷ କରାଯାଇଛି।

Advertisment

publive-image

ଦୁଇଟି ଗ୍ରୁପ୍ ମିସନ ଶକ୍ତି ମହିଳାମାନଙ୍କ ଦ୍ଵାରା ଋଣ ଆଣି ଏହି ଚାଷ ଘୁ ଉଦୟଗିରିରେ ପ୍ରଥମ ଥର ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ଚାଷୀ ମୁଣ୍ଡରେ ହାତ ଦେଲେଣି।ସେପଟେ ସ୍ଥାନୀୟ ବ୍ଲକ ମିସନ ଶକ୍ତି  ଅଧିକାରିଣୀ ମହିଳା ଚାଷୀଙ୍କୁ ନିଜ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାକୁ ବ୍ୟବସ୍ଥା କରାଯିବାକୁ କହିଥିଲେ କିନ୍ତୁ ଷ୍ଟ୍ରବେରି ଉତ୍ପାଦନ ବେଳକୁ  ବିଭାଗୀୟ ଅଧିକାରୀମାନଙ୍କର ଦେଖା ନାହି। ଚାଷ ଆରମ୍ଭରୁ ବିଭାଗୀୟ ଅଧିକାରୀ ଏବଂ ବିପିଏମ ମହିଳାମାନଙ୍କୁ ଲୋଭନୀୟ ବିକ୍ରି ସୁବିଧାର ସ୍ୱପ୍ନ ଦେଖାଇ ଥିଲେ। କହିଥିଲେ ତମ ଷ୍ଟ୍ରବେରି  ସିଙ୍ଗାପୁର ରପ୍ତାନି କରାଯିବ। ତୁମେ ଖାଲି ମନ ଧ୍ୟାନ ଦେଇ ପରିଶ୍ରମ କରି ଚାଷ କର। ବାକି ବିକ୍ରି କରିବା ଦାୟିତ୍ୱ ଆମର। ଏତେ ସବୁ ସ୍ୱପ୍ନ ଦେଖେଇ ଥିଲେ ହେଲେ ଏବେ ଜମିରେ ସୁନ୍ଦର ଷ୍ଟ୍ରବେରି ଫଳି ନଷ୍ଟ ହେବାକୁ ବସିଲାଣି ବଜାର ଅଭାବ ସାଙ୍ଗକୁ ଷ୍ଟ୍ରବେରି ଦର କମି କମି ଗଲାଣି। ଚାଷରେ ହାଡ଼ଭଙ୍ଗା ପରିଶ୍ରମ କରିବା ପରେ ଆଦାୟ ହେବା ପରେ ବିକ୍ରି ବ୍ୟବସ୍ଥା ନଥିବା ହେତୁ ବର୍ତ୍ତମାନ ନିଜେ ନିଜର ବିକ୍ରୟ ବ୍ୟବସ୍ଥା ଦେଖନ୍ତୁ ବୋଲି କହୁଛନ୍ତି ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ।

ସେପଟେ ସରକାର ମିସନ ଶକ୍ତି ମହିଳାମାନଙ୍କୁ ନେଇ ଏସଏଚଜି ଠାରୁ ଏସଏମ୍ ଇ ଅଗ୍ରସର କରୁଥିବା ବେଳେ ମଧ୍ୟଭାଗରେ ଏସଏଚଜି ମହିଳା ଗ୍ରୁପ୍ ନାହି ନ ଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଷ୍ଟ୍ରବେରି ବିକ୍ରୟ କରିବାକୁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ କିନ୍ତୁ ଆଉ କଲେ ନାହି। ଉକ୍ତ ଦୁଇଟି ମହିଳା ସସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜଣେ ମହିଳା ପ୍ରକାଶ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ସେମାନେ କେବଳ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। କିନ୍ତୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହି ଚାଷ କରାଯାଇଛି। ସୁନ୍ଦର୍ ଷ୍ଟ୍ରବେରି ଫଳୁଥିବା ବେଳେ ବିକ୍ରି ହେଇ ପରୁ ନାହି। ପ୍ରଥମେ ପ୍ରଥମେ ଉଚ୍ଚ ଦରରେ ବିକ୍ରି ହେଲା କିନ୍ତୁ ପରେ ପରେ ଆଉ ବିକ୍ରି ହେଉ ନାହିଁ କିମ୍ବା ଦାମ ଶସ୍ତା ହେଲେ ମଧ୍ୟ ବିକ୍ରି ହେଇ ପାରୁନାହିଁ।

publive-image

ମହିଳା ଗ୍ରୁପ୍ ମା’ମାନେ ବଜାରକୁ ନେଇ ୨୦୦ ଗ୍ରାମ ୫୦ ଟଙ୍କାରେ ବିକ୍ରି କଲେ ମଧ୍ୟ ଯେତିକି ନେଇଥାନ୍ତି ତାହା ମଧ୍ୟ ସରୁ ନାହି। ଏହିପରି ସ୍ଥଳେ ଷ୍ଟ୍ରବେରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେପଟେ ଷ୍ଟ୍ରବେରି ପାଚି ନଷ୍ଟ ହେଉଥିବା ବେଳେ ତାହାକୁ ମଧ୍ୟ ମହିଳା ଗ୍ରୁପ୍ ପକ୍ଷରୁ ଜାମ ପ୍ରସ୍ତୁତ କରି ବିକ୍ରି କରିବାକୁ ପ୍ରୟାସ କରୁଛନ୍ତି। ବିକ୍ରି ପାଇଁ ସମସ୍ୟା ଉପୁଜିଥିବା ବେଳେ ଚାଷ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଟି ହନ୍ତସନ୍ତ ହେଉଥିବା ସୂଚନା ରହିଛି। ଜିଲ୍ଲାପାଳଙ୍କ ପ୍ରୟାସ ସ୍ବାଗତଯୋଗ୍ୟ। କିନ୍ତୁ ସୁନ୍ଦର ସୁନ୍ଦର ଫଳ ଫଳି ଯଦି ବିକ୍ରୟ କରାଯାଇ ପାରିବ ନାହିଁ ଓ ତାହା ପଚି ସଢ଼ି ନଷ୍ଟ ହେବ। ତେବେ ଚାଷ କରି କି ଲାଭ। ସରକାରଙ୍କ ପ୍ରୟାସ ଏସ୍‌ଏଚ୍‌ଜି ଠାରୁ ଏସ ଏମ୍ ଇ ଉଦ୍ୟମ ବିଫଳ ହେବା ଆଶଙ୍କା କରାଯାଉଛି। ତେବେ ସରକାର ଯଦି ଏହିପରି ଉଦ୍ୟୋଗୀ ମହିଳାମାନଙ୍କୁ ବିକ୍ରୟ ବ୍ୟବସ୍ଥା କରନ୍ତି ତେବେ ମହିଳା ଉଦ୍ୟୋଗୀମାନେ ଲାଭବାନ ହୋଇପାରିଥାନ୍ତେ।

ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାରେ ଦୁଇ ବର୍ଷ ତଳେ ଷ୍ଟ୍ରବେରି ଚାଷ ଆରମ୍ଭ ହୋଇଥିବା ବେଳେ ଏହା କିଲୋ ପିଛା ୫୦୦ଟଙ୍କା ଦର ଥିବା ବେଳେ ବର୍ତ୍ତମାନ ଏହି ଚାଷ ଏତେ ମାତ୍ରାରେ ବଢିଯିବା ସହ ପ୍ରବଳ ଆଦାୟ ଯୋଗୁଁ ଦର ବି ହ୍ରାସ ପାଇବାରେ ଲାଗିଲା। ବର୍ତମାନ ଏହାର ଦର କିଲୋ ପିଛା୨୫୦ଟଙ୍କା ବିକ୍ରି ହେଉଥିବା ବେଳେ ଏହି ଦରରେ ବି ଉତ୍ପାଦିତ ଷ୍ଟ୍ରବେରି ବିକ୍ରି ହୋଇପାରୁନାହିଁ। ତାର କାରଣ ବଜାର ଅଭାବ। ବାହାର ଜିଲ୍ଲାର ପ୍ରମୁଖ ସହର ମାନଙ୍କରେ ଏହାର ଚାହିଦା ଢେର ଥିବା ବେଳେ ଏଠାରେ ଏହାର ଚାହିଦା ନାହିଁ। ସରକାର ଏହି ଉତ୍ପାଦିତ ଷ୍ଟ୍ରବେରିକୁ ଚାଷୀଙ୍କ ଠାରୁ ସଂଗ୍ରହ କରି ବିକ୍ରି ବ୍ୟବସ୍ଥା କଲେ ଚାଷୀ ବଞ୍ଚିବେ। ନଚେତ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ମୋଡି ହୋଇଯିବ।