ଭୁବନେଶ୍ୱର: ଏବେ ଦେଶର ୧୫ଟି ସହରରେ ମେଟ୍ରୋ ରେଳ ଚାଲୁଛି। ଆଉ ୭ଟି ସହରରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣଧୀନ ଅଛି। ଗରିବଙ୍କ ରାଜ୍ୟ ବିହାରରେ ମଧ୍ୟ ମେଟ୍ରୋ ରେଳ ଚାଲିଲାଣି। ଦେଶର ୨୨ଟି ସହରବାସୀ ମେଟ୍ରୋ ରେଳ ସୁବିଧା ପାଇସାରିଲା ପରେ ଏବେ ଓଡ଼ିଶା ସରକାରଙ୍କର ମେଟ୍ରୋ ରେଳ ପ୍ରକଳ୍ପ କଥା ମନେପଡ଼ିଛି। ଦେଶର ପ୍ରାୟ ସମସ୍ତ ବଡ଼ବଡ଼ ରାଜ୍ୟରେ ମେଟ୍ରୋ ରେଳ ଚାଲିଲାଣି। କିନ୍ତୁ ଓଡ଼ିଶା ସରକାର ଡିପିଆର, ବିଜ୍ଞାପନରେ ଅଟକି ଯାଇଛନ୍ତି। ଓଡ଼ିଶାରେ ଏକ ସ୍ଥିର ସରକାର ଚାଲିଛି କିନ୍ତୁ ଆମର ବିକାଶ ବିଳମ୍ବିତ ହୋଇଛି ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ୨୦୧୭ରେ କେନ୍ଦ୍ର ସରକାର ମେଟ୍ରୋ ଟ୍ରେନ ପଲିସି ଆଣିଥିଲେ। କେନ୍ଦ୍ର ସରକାରଙ୍କର ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟିତ୍ୱ ଦିଆଯାଇଛି ଦେଶର ସବୁ ବଡ଼ ସହରରେ ମେଟ୍ରୋ ପ୍ରକଳ୍ପ କ୍ରିୟାନ୍ୱୟନ କରିବାକୁ। ଓଡ଼ିଶା ସରକାର ବି ଦିଲ୍ଲର ମେଟ୍ରୋ ରେଳ ନିଗମକୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ସେହିପରି ରାଜ୍ୟ ସରକାର ଏବେ କହୁଛନ୍ତି ଯେ ନିଜ ଖର୍ଚ୍ଚରେ ମେଟ୍ରୋ ରେଳ ପ୍ରକଳ୍ପ କରିବେ। ବାସ୍ତବରେ କେନ୍ଦ୍ର ସରକାର ଏଥିପାଇଁ ୫୦% ଅର୍ଥ ଦେବେ। ହେଲେ କେନ୍ଦ୍ର ସରକାର ଶ୍ରେୟ ନେଇଯିବେ ଆଶଙ୍କା କରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମିଛ କହୁଛନ୍ତି। ଯେପରି କୋଭିଡ ଟୀକା କିଣିବାକୁ ଗ୍ଲୋବାଲ ଟେଣ୍ଡର କରିଥିଲେ, କିନ୍ତୁ କେନ୍ଦ୍ର ସରକାର ସବୁ ଟୀକା ଯୋଗାଇଥିଲେ।
ଏହାସହ ସେ କହିଛନ୍ତି ଯେ ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପର ଅନୁମୋଦନ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା । ହେଲେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ସେହି ଘୋଷଣା କରିବା ପୂର୍ବରୁ କୌଣସି ବୈଠକ ବା କୌଣସି ଆଲୋଚନା ସରକାରୀ ସ୍ତରରେ କରିନଥିଲେ। କୁଆଡ଼େ ଗଲା ଆଜକୁ ୧୦ ବର୍ଷ ତଳେ ଘୋଷଣା ହୋଇଥିବା ଜାଗମରା–ଖଣ୍ଡଗିରି ୨୦୦ ଫୁଟିଆ ରାସ୍ତା ? କେବେ ସରିବ ୧୩ ବର୍ଷ ହେଲାଣି ଚାଲୁଥିବା ଜୟଦେବ ବିହାର- ନନ୍ଦନ କାନନ ରାସ୍ତା ପ୍ରଶସ୍ତୀକରଣ ଏବଂ ଦୁଇ ପାର୍ଶ୍ବରେ ନିର୍ମାଣ ହେଉଥିବା ସମାନ୍ତରାଳ ରାସ୍ତା କାମ? କେବେ ଭୁବନେଶ୍ୱର ସହର ଜଳମଗ୍ନ ସମସ୍ୟାରୁ ମୁକ୍ତି ପାଇବ। ୨୦୧୮ରେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ମହାନଦୀରେ ୨୯ଟା ବନ୍ଧ ବାନ୍ଧିବୁ, ହେଲେ ଗୋଟିଏ ମଧ୍ୟ କରିପାରିଲେ ନାହିଁ। କେବଳ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ହୁଏ, ନିର୍ବାଚନ ପରେ ଭୁଲିଯାଆନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।